ତାମିଲନାଡ଼ୁର ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ମହିଳାଙ୍କ ସମେତ ୮ ମୃତ

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ: ତାମିଲନାଡୁର ବିରୁଧୁନଗରରେ ଗୁରୁବାର ଅପରାହ୍ଣରେ ବଡ ଅଘଟଣ ଘଟିଛି । ଶିବକାଶୀ ନିକଟରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ବଡ଼ ଥିଲା ଯେ ଘଟଣାସ୍ଥଳରେ ପାଞ୍ଚ ମହିଳା ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀର କର୍ମଚାରୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ବିରୁଧୁନଗର ଜିଲ୍ଲାର ଶିବକାଶୀରେ ଏକ ନିଛାଟିଆ ଅଞ୍ଚଳରେ ବାଣ ଫ୍ୟାକ୍ଟ୍ରି ଥିଲା । ପ୍ରତିଦିନ ପରି କର୍ମଚାରୀମାନେ ଏଠାକୁ କାମ କରିବା ପାଇଁ ଆସିଥିଲେ । ତେବେ ଏହାରି ଭିତରେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରି ଭିତରୁ ବାହାରିଥିବା କାନ୍ଦ ବୋବାଳିକର ଶବ୍ଦ ପୁରା ଅଞ୍ଚଳକୁ ଆନ୍ଦୋଳିତ କରିଥିଲା । 

ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଖବର ମିଳିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀ ବର୍ତ୍ତମାନ ସୁଦ୍ଧା 8ଟି ମୃତ ଦେହକୁ ବାହାର କରିଛନ୍ତି । ଏଥିରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ପୁରୁଷଙ୍କ ଶବ ରହିଛି । ଖବର ମିଳିବା ପରେ ବିରୁଧୁନଗର ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ସ୍ଥିତିର ସମୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.