ତାମିଲନାଡ଼ୁରେ ମଦ ମୃତ୍ୟୁ ଅଭିଯୋଗ; ପ୍ରାଣ ହରାଇଲେଣି ୨୯, ୬୦ରୁ ଅଧିକ ଅସୁସ୍ଥ

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ତାମିଲନାଡ଼ୁରେ ବିଷାକ୍ତ ମଦ ନେଉଛି ଜୀବନ । କଲାକୁରୁଚିରେ ବିଷାକ୍ତ ମଦ ପିଇ ପ୍ରାୟ ୨୯ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ୬୦ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏହି ମାମଲାରେ ତଦନ୍ତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୨୦୦ ଲିଟରରୁ ଅଧିକ ବିଷାକ୍ତ ମଦ ଜବତ୍ କରିଛି । ଅନ୍ୟପଟେ ମୃତକଙ୍କ ପୋଷ୍ଟମର୍ଟମ ପରେ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି ।  

ତାମିଲନାଡ଼ୁର କଲାକୁରୁଚିରୁ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଗତ ୧୮ ତାରିଖରେ ମଦ ପିଇ ଲୋକେ ଅସୁସ୍ଥ ହୋଇଯାଇଥିଲା । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ପରେ ଧୀରେ ଧୀରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିଥିଲା । ତେବେ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଅସୁସ୍ଥ ହୋଇ ତାମିଲନାଡୁର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  । ସେମାନଙ୍କର ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ କଲାକୁରୁଚିରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 


ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯଦି ରାଜ୍ୟରେ ଯେଉଁଠି ବେଆଇନ ଭାବେ ମଦ ତିଆରି ହେଉଛି, ତେବେ ତୁରନ୍ତ ସୂଚିତ କରାନ୍ତୁ । ଲୋକଙ୍କ ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମାଜକୁ ନଷ୍ଟ କରୁଥିବା ଅଭିଯୁକ୍ତଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ତାମିଲନାଡୁ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ବ ସିବି-ସିଆଇଡିକୁ ଦେଇଛନ୍ତି । ଅନ୍ୟପଟେ ଏହି ମାମଲାର ତଦନ୍ତ ଦାୟିତ୍ବରୁ କଲାକୁରୁଚି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ହଟାଇ ଦିଆଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.