କାନାଡାରେ ଗଣହତ୍ୟା, ଛୁରା ମାଡରେ ୧୦ ମୃତ, ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଲେ-ଭୟାବହ ଏବଂ ହୃଦୟବିଦାରକ
5/09/2022 at 5:54 PM

ନୂଆଦିଲ୍ଲୀ: କାନାଡାର ସକ୍ସେଚେୱାନରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏହି ସମୟରେ ଛୁରା ମାଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ କାନାଡା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି । ପୋଲିସ ସୂଚନା ଅନୁସାରେ ଜେମ୍ସ ସ୍ମିଥ କ୍ରୀ ନ୍ୟାସନରେ ପ୍ରଥମ ଛୁରା ମାଡ ଘଟଣା ସାମନାକୁ ଆସିଥିଲା । ଏହାର କ୍ଷଣିକ ପରେ ୧୩ଟି ଭିନ୍ନ ଭିନ୍ନ ସ୍ଥାନରୁ ଛୁରା ମାଡର ଖବର ଆସିଥିଲା।
କାନାଡା ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ପରିଚୟ ଜାରି କରିଛି । ଜଣଙ୍କ ପରିଚୟ ୩୦ ବର୍ଷୀୟ ସାଣ୍ଡ୍ରେସନ ହୋଇଥିବା ବେଳେ ଅନ୍ୟ ଜଣ ଅଭିଯୁକ୍ତ ହେଲେ ୩୧ ବର୍ଷୀୟ ସାଇଲ ସାଣ୍ଡ୍ରେସନ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଘଟଣା ପରେ ଦୁଇ ଅଭିଯୁକ୍ତ ବାଇକରେ ଫେରାର ହୋଇଯାଇଛନ୍ତି। ତେବେ ଦୁହିଁଙ୍କ ମଧ୍ୟର କେଉଁ ସମ୍ପର୍କ ରହିଛି ତାହା ସ୍ପଷ୍ଟ ନାହିଁ ।
କାନାଡା ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି, କିଛି ଲୋକଙ୍କ ସନ୍ଧିଗ୍ଧ ଆକ୍ରମଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପଛର କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ କାନାଡାର ମୂଳ ବାସିନ୍ଦାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କାନାଡାର ମୋଟ ଜନସଂଖ୍ୟାର ୫ ପ୍ରତିଶତ ସେଠାକାର ମୂଳ ଜନଜତିର ଲୋକେ । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଗଣହତ୍ୟାକୁ ଭୟାବହ ଏବଂ ହୃଦୟବିଦାରକ ବୋଲି କହିଛନ୍ତି।