ଭାରତରେ ଗୋଟିଏ ଦିନରେ ରେକର୍ଡ ୪.୨୦ ଲକ୍ଷ କରୋନା ଟେଷ୍ଟ, ମାତ୍ର ଚିନ୍ତା ବଢାଉଛି ସଂକ୍ରମଣ ସଂଖ୍ୟା

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୦୭: ଭାରତରେ ପ୍ରଥମ ଥର ଗୋଟିଏ ଦିନରେ ରେକର୍ଡ ୪.୨୦ ଲକ୍ଷ କରୋନା ପରୀକ୍ଷଣ କରାଯାଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଟେଷ୍ଟିଂ ଲ୍ୟାବ୍ ସଂଖ୍ୟା ବୃଦ୍ଧି ହେବାରୁ ଏତେ ସଂଖ୍ୟାରେ ଯାଞ୍ଚ କରିବା ସମ୍ଭବ ହୋଇ ପାରିଛି। କିନ୍ତୁ ଗତ ୨୪ ଘଣ୍ଟାରେ ୪୮,୮୯୪ ନୂତନ ସଂକ୍ରମିତ ଚିହ୍ନଟ ମଧ୍ୟ ହୋଇଛନ୍ତି। ଉଲ୍ଲେଖନୀୟ ଭାରତରେ ଜାନୁଆରୀ ମାସରେ କୋଭିଡ୍-୧୯ର ଯାଞ୍ଚ ପାଇଁ କେବଳ ଗୋଟିଏ ଲ୍ୟାବ୍‌ ଥିଲା, ମାତ୍ର ଏହାର ସଂଖ୍ୟା ବଢି ବର୍ତ୍ତମାନ ୧୩୦୧ରେ ପହଞ୍ଚିଛି। ଏଥିରେ ଘରୋଇ ଲ୍ୟାବ୍ ମଧ୍ୟ ସାମିଲ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଆଇସିଏମଆରର ସଂଶୋଧିତ ମାର୍ଗଦର୍ଶିକା ଓ ରାଜ୍ୟ ପକ୍ଷରୁ ହୋଇଥିବା ପ୍ରୟାସ ଜାରଣରୁ ଆଜି ଏତେ ସଂଖ୍ୟାରେ କରୋନା ଯାଞ୍ଚ କରିବାରେ ଆମେ ସଫଳ ହୋଇଛୁ। ଦେଶରେ ଶୁକ୍ରବାର ସୁଦ୍ଧା କୋଭିଡ୍-୧୯ର ମୋଟ୍ ୧ କୋଟି ୫୮ ଲକ୍ଷ  ୪୯ ହଜାର ୬୮ଟି ନମୂନା ଯାଞ୍ଚ କରାଯାଇଛି। ମନ୍ତ୍ରଣାଳୟ କହିଛି ଭାରତରେ ଗତ ଏକ ସପ୍ତାହରେ ପ୍ରତି ଦିନ ୩.୫୦ ଲକ୍ଷ ଟେଷ୍ଟ କରାଯାଉଛି। ଗତ ୨୪ ଘଣ୍ଟାରେ ୪,୨୦,୮୯୮ ଟେଷ୍ଟ କାରଣରୁ ଦେଶରେ  ପ୍ରତି ୧୦ ଲକ୍ଷ୍ୟ ବ୍ୟକ୍ତିଙ୍କ ଉପରେ ଯାଞ୍ଚ ହାର ୧୧,୪୮୫ରେ ପହଞ୍ଚିଛି। ଏଥିରେ ଲଗାତାର ବୃଦ୍ଧି ଘଟୁଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହୁଛି।

ଭାରତରେ  ମୃତ୍ୟୁହାର ସବୁଠୁ କମ

କୋଭିଡ୍-୧୯ ଯାଞ୍ଚ ବଢିବାରୁ ଶନିବାର ମୃତ୍ୟୁହାରରେ ମହତ୍ଵପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଛି। ଦେଶରେ ସଂପ୍ରତି କରୋନାଜନିତ ମୃତ୍ୟୁହାର ୨.୩୫ ପ୍ରତିଶତ ରହିଥିବା ବେଳେ ସୁସ୍ଥହାର ସୁଧୁରି ୬୩.୫୪ ପ୍ରତିଶତରେ ପହଞ୍ଚିଛି। ଦୁନିଆରେ ସର୍ବାଧିକ କରୋନା ପ୍ରଭାବିତ ଦେଶଗୁଡିକ ତୂଳନାରେ ଭାରତର ମୃତ୍ୟୁହାର ସବୁଠୁ କମ ରହିଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଦେଶରେ ଏ ପର୍ଯ୍ୟନ୍ତ ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ସୁସ୍ଥ ହୋଇ ସାରିଥିବା ଲୋକଙ୍କ ସଂଖ୍ୟା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାଠୁ ୩ ଲକ୍ଷ ୯୩ ହଜାର ୩୬୦ ଅଧିକ ରହିଛି। ମହାମାରୀଜନିତ ମୃତ୍ୟୁ ସଂଖ୍ୟା ବଢି ୩୧,୩୫୮ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.