ବଳ-ବୁଦ୍ଧି ଖଟାଇଲେ, ତଥାପି ଅଶ୍ୱିନୀଙ୍କୁ ରୋକିପାରିଲାନି କଙ୍ଗାରୁ
11/02/2023 at 2:56 PM

ନାଗପୁର ୧୧।୦୨ : ବଳ,ବୁଦ୍ଧି ସବୁ ଖଟାଇଲେ । ହେଲେ ଅଶ୍ୱିନୀଙ୍କୁ ରୋକିପାରିଲେନି କଙ୍ଗାରୁ । ପ୍ରଥମ ଟେଷ୍ଟ ପୂର୍ବରୁ ଅଶ୍ୱିନୀ ବୋଲିଂର ସାମ୍ନା କରିବାକୁ ବିଭିନ୍ନ ରଣନୀତି ଆପଣାଇଥିଲା ଭ୍ରମଣକାରୀ ଟିମ୍ । ହେଲେ ସବୁ ମାରିଲା ଫେର୍ । ଏପିରିକି ଅଶ୍ୱିନୀଙ୍କ ନକଲ ବୋଲିଂ କରିପାରୁଥିବା ଜଣେ ଭାରତୀୟ ବୋଲରଙ୍କୁ ବି ନେଟ୍ସ୍ ବୋଲିଂ କରିବାକୁ ନିଯୁକ୍ତି ଦେଇଥିଲେ । ତାପରେ ବି କିଛି ସୁଫଳ ହେଲାନି । ସ୍ପିନ୍ ବୋଲିଂକୁ ବୁଝିବା ବଦଳରେ ଅଧିକା ଫସିଥିଲେ କଙ୍ଗାରୁ । ପୁରା ମ୍ୟାଚ୍ରେ ଅଧାରୁ ଅଧିକ ଓ୍ୱିକେଟ୍ ନେଇଛନ୍ତି ଭାରତୀୟ ସ୍ପିନର ।
Ashwin 🤝 Fifers
— BCCI (@BCCI) February 11, 2023
How good has @ashwinravi99 been with the ball in the second innings 🔥🔥
Follow the match ▶️ https://t.co/SwTGoyHfZx#TeamIndia | #INDvAUS | @mastercardindia pic.twitter.com/e3pLGLPrKb
ତେବେ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଅଶ୍ୱିନୀଙ୍କ ବୋଲିଂକୁ ସଫଳ ଭାବେ ମୁକାବିଲା କରିବା ଲାଗି ଜଣେ ଭାରତୀୟ ଯୁବ ବୋଲରଙ୍କୁ ନିଯୁକ୍ତ କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଗୁଜୁରାଟର ଯୁବ ଖେଳାଳି ମହେଶ ପାଥିଆଙ୍କୁ ନେଟ୍ସରେ ବୋଲିଂ କରିବାକୁ ଅଷ୍ଟ୍ରେଲିଆ ଆମନ୍ତ୍ରଣ କରିଥିଲା । ଲଗାତର ଭାବେ ନେଟ୍ସରେ ମହେଶଙ୍କ ବୋଲିଂ ନୀରକ୍ଷଣ କରିଥିଲେ ଅଷ୍ଟ୍ରେଲିଆ ବ୍ୟାଟର । ଏପିରିକି ଆମେ ଅଶ୍ୱିନୀଙ୍କ ବୋଲିଂ ଶୈଳୀକୁ ସଫଳ ଭାବେ ମୁକାବିଲା କରିବା ନେଇ ଦୃଢତା ଦେଖାଇଥିଲା ଟିମ୍ ଅଷ୍ଟ୍ରେଲିଆ । ହେଲେ ସବୁ ପ୍ଲାନ୍ ଫେଲ୍ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଚିତ୍ପଟାଙ୍ଗ ।
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯାଇଥିଲା । ପ୍ରଥମ ଟେଷ୍ଟକୁ ଟିମ୍ ଇଣ୍ଡିଆ ନିଜ ନାମରେ କରିବାରେ ସଫଳ ହୋଇଛି । ଭ୍ରମଣକାରୀ ଦଳକୁ ୧୩୨ରନ୍ରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ସ୍ପିନ୍ର ଜଲଓ୍ୱା ଦେଖିବାକୁ ମିଳିଥିଲା । ଖାସ୍ କରି ଅଶ୍ୱିନୀ ଏବଂ ଜାଡେଜାଙ୍କ ବାେଲିଂ । ପ୍ରଥମ ଇନିଂସରେ ଜାଡେଜା ୫ଟି ଓ୍ୱିକେଟ୍ ନେଇଥିବା ବେଳେ ଅଶ୍ୱିନୀ ପାଇଥିଲେ ୩ଟି ଓ୍ୱିକେଟ୍ । ସେହିପରି ୨ୟ ଇନିଂସରେ ପୂର୍ବ ଅପେକ୍ଷା ଅଧିକ ଘାତକ ସାଜିଥିଲେ ଅଶ୍ୱିନୀ । ଅଷ୍ଟ୍ରେଲିଆର ୨ୟ ପାଳିରେ ଅଶ୍ୱିନୀ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ଜାଡେଜା ୨ଟି ଓ୍ୱିକେଟ୍ ପାଇଛନ୍ତି । ବାକି ଅକ୍ଷର ପଟେଲ୍ଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍ । ପ୍ରଥମ ଟେଷ୍ଟରେ ଅଶ୍ୱିନୀ ୮ଟି ଓ୍ୱିକେଟ୍ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୭ଟି ଓ୍ୱିକେଟ୍ ହାତେଇଛନ୍ତି ।