scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ୍ ନେଇ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ଅଷ୍ଟ୍ରେଲିଆକୁ ହରାଇ ଟ୍ରଫି ହାତେଇବେ ରୋହିତ

18/11/2023 at 8:24 AM

ଅହମ୍ମଦାବାଦ,୧୮/୧୧: ଆଉ ଦିନକର ଅପେକ୍ଷା । ହେବ ବିଶ୍ୱକପ୍‌ ଲଢ଼େଇ । ଉତ୍କଣ୍ଠା ଏବେ ଶିଖରରେ । ମନରେ ଗୋଟିଏ ପ୍ରଶ୍ନ… କିଏ ଜିତିବ? ଉତ୍ତର…ଭାରତ..ଭାରତ ହିଁ ଜିତିବ । ତୃତୀୟ ଥର ହାତେଇବ ବିଶ୍ୱକପ୍‌ । ଏହା ଆମେ କହୁନୁ…କହୁଛନ୍ତି ଜଣାଶୁଣା ଜ୍ୟୋତିର୍ବିଦ୍‌ । ହିଟ୍‌ମ୍ୟାନ୍‌ ରୋହିତଙ୍କ ଜାତକର ରାଶି ନକ୍ଷତ୍ର ଏବେ ଉଚ୍ଚସ୍ଥାନରେ ।

ସାଥୀ ଖେଳାଳିଙ୍କ ଭାଗ୍ୟ ବି ଟାଣ ଅଛି । ଲଢ଼ୁଆ ଟିମ୍‌ ଅଷ୍ଟ୍ରେଲିଆ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହେବ । ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିଷ ଜଗନ୍ନାଥ ଗୁରୁଜୀ ଏବଂ ଅନିରୁଦ୍ଧ କୁମାର । ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ୍‌ରେ ଶେଷ ସଂଘର୍ଷ ପାଇଁ ତୟାର । ଟ୍ରଫି ପାଇଁ ହେବ ଘମାଘୋଟ ଲଢ଼େଇ । ଦର୍ଶକଙ୍କ ଉତ୍କଣ୍ଠା କାହିଁରେ କ’ଣ । ଅହମ୍ମଦାବାଦ ସହରର ରାଜ ରାସ୍ତା ଏବେ ଜନସମୁଦ୍ର । ହୋଟେଲ ରୁମ୍‌ର ମୂଲ୍ୟକୁ ଆଖି ପାଉନାହିଁ ।

ଅଗଣିତ କ୍ରିକେଟ୍‌ ପ୍ରେମୀ ଭାରତର ବିଜୟ ପାଇଁ ବ୍ରତ ରଖିଛନ୍ତି । ମନ୍ଦିରରେ ପୂଜାପାଠ ଆରମ୍ଭ ହୋଇଯାଇଛି । ଏପଟେ ଜ୍ୟୋତିଷମାନେ ମଧ୍ୟ ମ୍ୟାଚ୍‌କୁ ନେଇ ଗଣନା ଆରମ୍ଭ କରିଦେଇଛନ୍ତି । ଉଭୟ ଦଳର ଅଧିନାୟକଙ୍କ ଜାତକ ଦେଖା ଚାଲିଛି । କିଏ ହେବେ ବିଶ୍ୱ ବିଜେତା? କାହା ହାତରେ ଚମକିବ ବିଶ୍ୱକପ୍‌ ଟ୍ରଫି? କ୍ରିକେଟ୍‌ ପ୍ରେମୀଙ୍କ ମନରେ ଚାଲିଥିବା ଏଭଳି ଅନେକ ପ୍ରଶ୍ନର ସମାଧାନ କରିବାରେ ଲାଗି ପଡ଼ିଛନ୍ତି ଜ୍ୟୋତିଷ ବିଶାରଦ ।

ଜ୍ୟୋତିଷ ଜଗନ୍ନାଥ ଗୁରୁଜୀଙ୍କ ଗଣନା ଅନୁଯାୟୀ ଭାରତ ଏଥର ବିଶ୍ୱକପ ଜିତିବ । ଅଷ୍ଟ୍ରେଲିଆ ତୁଳନାରେ ଭାରତର ରାଶିରେ ଶକ୍ତିଶାଳୀ ଗ୍ରହଙ୍କ ସମନ୍ୱୟ ଘଟିଛି । ସେ କହିଛନ୍ତି, ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କ ରାଶିରେ ୟୁରେନସ, ନେପଚ୍ୟୁନ ଓ ଶୁକ୍ର ଗ୍ରହ ରହିଥିବାରୁ ବିଶ୍ୱକପ୍‌ରେ ସେମାନଙ୍କ ଚମକ ଜାରି ରହିଛି । ମାତ୍ର ଅଷ୍ଟମରେ ମଙ୍ଗଳ ରହିଥିବାରୁ ଭାରତୀୟ ଦଳକୁ ସତର୍କ ରହିବାକୁ ହେବ ।

ମାତ୍ରାଧିକ ଆତ୍ମବିଶ୍ୱାସ ଦେଖାଇଲେ ଘାତକ ହୋଇପାରେ । ବରଂ ନିଜ ନିଜର କ୍ଷମତା ବଳରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପ୍ରୟାସ କରନ୍ତୁ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ରାଶିରେ ଶକ୍ତିଶାଳୀ ଗ୍ରହଙ୍କ ସମନ୍ୱୟ ରହିଛି । ମାତ୍ର ରୋହିତଙ୍କ ରାଶି ତୁଳନାରେ ଉନ୍ନତ ନୁହେଁ । ଫାଇନାଲ୍‌ ମୁକାବିଲାରେ କମିନ୍ସଙ୍କ ନେତୃତ୍ୱ ଶୈଳୀ ଶକ୍ତିଶାଳୀ ରହିବ । ମାତ୍ର ରୋହିତ ସବୁ ବିଭାଗରେ ତାଙ୍କୁ ଟପିଯିବେ ।

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍‌ ହେଡ୍‌, ଆଡାମ ଜାମ୍ପା, ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍ନସ ଲାବୁସାନ ପ୍ରଭାବଶାଳୀ ପ୍ରଦର୍ଶନ କରି ଭାରତ ଉପରେ ପ୍ରବଳ ଚାପ ପକାଇବେ । ମଧ୍ୟ ଓଭର ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବ । ଅଷ୍ଟ୍ରେଲିଆ କଡ଼ା ଟକ୍କର ଦେବ । ମାତ୍ର ରୋହିତ ସବୁ ହର୍ଡଲ୍ସ ପାର କରିବେ । ବ୍ୟକ୍ତିଗତ ଭାବେ ଦେଖିବାକୁ ଗଲେ ରୋହିତ ଶର୍ମାଙ୍କ ରାଶିରେ ଟ୍ରଫି ଉଠାଇବାରେ ଯୋଗ ରହିଛି । ତାଙ୍କ ରାଶି ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଛି । ତାଙ୍କ ନେତୃତ୍ୱ ଦକ୍ଷତାରେ ବୃଦ୍ଧି ଘଟିଛି ।

ରୋହିତଙ୍କ ରାଶିରେ ବର୍ତ୍ତମାନ ଗ୍ରହଙ୍କ ଉପସ୍ଥିତି ଯେଉଁ ଯେଉଁ ସ୍ଥାନରେ ରହିଛି, ୨୦୧୧ ବିଶ୍ୱକପ୍‌ ସମୟରେ ମହେନ୍ଦ୍ର ସିଂହ ଧୋନିଙ୍କ ରାଶିରେ ଗ୍ରହଙ୍କ ଉପସ୍ଥିତି ଠିକ୍‌ ସେହି ସ୍ଥାନରେ ରହିଥିଲା । ତେଣୁ ରୋହିତ ଇତିହାସ ରଚିବେ । ଜ୍ୟୋତିର୍ବିଦ୍‌ ଅନିରୁଦ୍ଧ କୁମାରଙ୍କ ଗଣନା ମଧ୍ୟ ଭାରତ ସପକ୍ଷରେ । ୨୦୧୧ ମସିହାରେ ତାଙ୍କ ଗଣନା ହୋଇଥିଲା ସତ୍ୟ । ଏଥର ସେ ପ୍ରଥମରୁ ଗଣନା କରିନଥିଲେ ମଧ୍ୟ ଖେଳର ରୋମାଞ୍ଚ ଓ ଫ୍ୟାନ୍‌ଙ୍କ ଅନୁରୋଧ ତାଙ୍କୁ ବାଧ୍ୟ କରିଥିଲା ଭବିଷ୍ୟବାଣୀ କରିବାକୁ ।

ଅକ୍ଟୋବର ପ୍ରଥମ ସପ୍ତାହରେ ସେ କରିଥିଲେ ଗଣନା ଏବଂ କହିଥିଲେ ଭାରତ ଫାଇନାଲରେ ପହଞ୍ଚିବ, ବିଶ୍ୱକପ୍‌ ବି ହାତେଇବ । ଏହି ଗଣନାର ସତ୍ୟତା ଏବେ ଚୂଡ଼ାନ୍ତ ପାହାଚରେ । ଗଣେଶ ସ୍ପିକ୍‌ସ ଗଣନା ମଧ୍ୟ ରୋହିତ ସେନା ସପକ୍ଷରେ । ଭାରତୀୟ ଦଳର ସମସ୍ତ ବୋଲରଙ୍କ ଜାତକରେ ରବିବାର ଗ୍ରହ ନକ୍ଷତ୍ର ଉଚ୍ଚସ୍ଥାନରେ ରହୁଛି । ପ୍ରଦର୍ଶନ ହେବ ଚମତ୍କାର । ସେମାନେ ଧରିବେ ବିଶ୍ୱକପ୍‌ ।

you can also read….

   Related Posts