ରାତିରେ ପୃଥିବୀକୁ ଅତି ନିକଟରୁ ଅତିକ୍ରମ କରିବ ବିଶାଳ asteroid, ଆକାରରେ ବୁର୍ଜ ଖଲିଫା ସାଙ୍ଗେ ସମାନ
29/11/2020 at 5:47 PM

ୱାସିଂଟନ : ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ରବିବାର ରାତିରେ ଏକ ବିଶାଳ ଗ୍ରହାଣୁ(ଆଷ୍ଟ୍ରଏଡ) ପୃଥିବୀକୁ ଅତି ନିକଟରୁ ଅତିକ୍ରମ କରିଯିବ ବୋଲି ସୂଚିତ କରିଛନ୍ତି। ଏବେ ଗ୍ରହାଣୁଟି ପ୍ରତିଘଣ୍ଟା ୯ହଜାର କିଲେମିଟର ବେଗରେ ପୃଥିବୀ କକ୍ଷପଥ ଆଡକୁ ମୁହାଁଇଛି। କୌଣସି କ୍ଷେପଣାସ୍ତ୍ର ଠାରୁ ମଧ୍ୟ ଅଧିକ ବେଗରେ ଆସୁଥିବା ଏହି ଗ୍ରହାଣୁର ଆକାର ଦୁବାଇର ବୁର୍ଜ ଖଲିଫାଠାରୁ ସାମାନ୍ୟ କମ୍।

ଏହି ଗ୍ରହାଣୁକୁ ୧୫୩୨୦୧ ୨୦୦୦ଡବ୍ଲୁଓ ୧୦୭ ନାମକରଣ କରାଯାଇଛି। ଏହାର ଉଚ୍ଚତା ୮୨୦ ମିଟର ହୋଇଥିବା ବେଳେ ବୁର୍ଜ ଖଲିଫାର ଉଚ୍ଚତା ୮୨୯ ମିଟର। ନାସା ଏହାକୁ ନିୟର ଆର୍ଥ ଅବଜେକ୍ଟ ଶ୍ରେଣୀଭୁକ୍ତ କରିଛି। ଏହା ପୃଥିବୀ ସହିତ ଧକ୍କା ଲାଗିବାର କୌଣସି ସମ୍ଭାବନା ନାହିଁ। ପୃଥିବୀଠାରୁ ମାତ୍ର ଅଳ୍ପ କେତେ ହଜାର କିଲୋମିଟର ଦୂରରୁ ଆଷ୍ଟରଏଡ ରାସ୍ତା ବଦଳାଇ ଚାଲିଯିବ।

ନାସା ଦୀର୍ଘ ସମୟରୁ ଏହି କ୍ଷୁଦ୍ର ଗ୍ରହ ଉପରେ ନଜର ରଖି ରହିଛି। ପୃଥିବୀ ସହ ଏହା ଧକ୍କା ଲାଗିବାର ଅନେକ ସମ୍ଭାବନା ଥିବାରୁ ଏହାର ପ୍ରତି ଗତିବିଧି ଉପରେ ନଜର ରଖାଯାଇଛି। ତେବେ ଏଥର ମଧ୍ୟ ଗ୍ରହାଣୁ ସୁରକ୍ଷିତ ଦୂରତାରେ ପୃଥିବୀକୁ ଅତିକ୍ରମ କରିଯିବ ବୋଲି ସ୍ପଷ୍ଟ ହେବା ପରେ ନାସା ସମେତ ଖଗୋଳିୟ ଗତିବିଧି ଉପରେ ନଜର ରଖିଥିବା ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ତେବେ କେବଳ ୨୦୦ ଡବ୍ଲୁଓ ୧୦୭ ନୁହେଁ ଚଳିତବର୍ଷ ଏହି ଭଳି ଅନେକ ବିପଦ ପୃଥିବୀକୁ ଅତି ନିକଟରୁ ଅତିକ୍ରମ କରିଯାଇଛି। ହେଲେ ଏହିଭଳି କୌଣସି ମହାଜାଗତିକ ବସ୍ତୁ ପୃଥିବୀ ଆଡକୁ ଆସି ନାହାନ୍ତି। ତେବେ କୋଭିଡ ଗ୍ରସ୍ତ ପୃଥିବୀରେ ଘଟୁଥିବା ପ୍ରତିଟି ଘଟଣାକୁ ଲୋକେ ଏବେ ଏହି ସବୁ ଘଟଣା ସହ ସମ୍ପର୍କିତ କରି ଦେଖୁଛନ୍ତି।