ବଦଳିବ ଆସାମର ରାଜନୈତିକ ମାନଚିତ୍ର; ଅନ୍ୟ ଜିଲ୍ଲାରେ ବିଲୟ ହେବ ୪ ଜିଲ୍ଲା, ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | December 31, 2022 IST

ଗୌହାଟୀ: ନିର୍ବାଚନ ଆୟୋଗଙ୍କ ଅନୁମତି ପୂର୍ବ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସାମର ୪ଟି ଜିଲ୍ଲା ଅନ୍ୟ ଜିଲ୍ଲାରେ ବିଲୟ ହେବ । ଏଥି ସହିତ ୧୪ ଅଞ୍ଚଳରେ ପୁଣି ଥରେ ସୀମା ନିର୍ଦ୍ଧାରଣ କରାଯିବ । ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥିବା ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ଆସାମ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି ।

ବଦଳିବ ଆସାମର ରାଜନୈତିକ ମାନଚିତ୍ର । ୪ଟି ଜିଲ୍ଲା ଅନ୍ୟ ଜିଲ୍ଲାରେ ବିଲୟ ହେବ । ରାଜ୍ୟ କ୍ୟେବିନେଟର ନିଷ୍ପତ୍ତି ଅନୁଯାୟୀ, ବିଶ୍ବନାଥ ଜିଲ୍ଲା ସୋନିତପୁରରେ, ହୋଜଈ ଜିଲ୍ଲା ନୌଗାଁରେ, ବଜାଲୀକୁ ବାରପେଟା ଏବଂ ତମୁଲପୁରକୁ ବକ୍ସା ଜିଲ୍ଲାରେ ମିଶ୍ରଣ କରାଯିବ । ସେହିପରି ୧୪ ଲୋକସଭା କ୍ଷେତ୍ରର ସୀମା ପରିବର୍ତ୍ତନ ହେବ । ବିଧାନସଭା ଓ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣକୁ ନେଇ ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥିବା ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨୭ ତାରିଖରେ ନିର୍ବାଚନ ଆୟୋଗ ୧୨୬ଟି ବିଧାନସଭା ଆସନ ଓ ୧୪ ସଂସଦୀୟ କ୍ଷେତ୍ରରେ ପୁନଃ ସୀମା ନିର୍ଦ୍ଧାରଣ ପାଇଁ ଘୋଷଣା କରିଥିଲେ । ହେଲେ ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟର ଦିଲ୍ଲୀରେ ମିଟିଂ ହୋଇଥିଲା ।  ଏହି ବୈଠକରେ ୪ଜିଲ୍ଲାକୁ ଅନ୍ୟ ଜିଲ୍ଲାରେ ବିଲୟ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରିଖି ଏହି ଫୈସଲା ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା କହିଛନ୍ତି ।

କ୍ୟାବିନେଟ୍ ମୋହର ପରେ ଏହାକୁ ନେଇ ତତ୍କାଳ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଆସାମରେ ୩୫ଜିଲ୍ଲା ବଦଳରେ ୩୧ଟି ଜିଲ୍ଲା ହେବ । ଅନ୍ୟ ଜିଲ୍ଲାରେ ବିଲୟ ହେବାକୁଥିବା ୪ ଜିଲ୍ଲାରେ ପୂର୍ବ ଭଳି ପୋଲିସ ଥାନା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟାଳୟ ରହିବ । କାମରୂପ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଆସୁଥିବା ଉତ୍ତର ଗୌହାଟୀର ନଗରପାଳିକା ଏବେ କାମରୂପ ମହାନଗରରେ ସାମିଲ ହେବ । ଜିଲ୍ଲା ମିଶ୍ରଣ କରିବା ଏକ କଠିନ କାର୍ଯ୍ୟ। ତେଣୁ ରାଜ୍ୟବାସୀ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ସୂଚନା ଥାଉକି, ଆସାମରେ ବିଧାନସଭା କାର୍ଯ୍ୟକାଳ ୨୦ ମେ’ ୨୦୨୬ରେ ସମାପ୍ତ ହେବ । ରାଜ୍ୟରେ ଏବେ ୧୨୬ଟି ବିଭାନସଭା ସିଟ୍, ୧୪ ଲୋକସଭା ଓ ୭ଟି ରାଜ୍ୟ ଆସନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.