ଆସାମ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଲାଞ୍ଚ ନେବା ବେଳେ ଧରାପଡିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୪୯ ଲକ୍ଷ ଜବତ

Published By : Prameya-News7 Bureau | October 29, 2022 IST

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଆସାମ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ୯୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି । ଏକ ସିକ୍ୟୁରିଟି ଫାର୍ମର ଲାଇସେନ୍ସ ନବୀକରଣ ପାଇଁ ଏସିଏସ୍ କେକ ଶର୍ମା ଲାଞ୍ଚ ନେବା ସମୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ଏବଂ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଚଢଉ କରିଥିଲେ । ଏହି ଟିମର ନେତୃତ୍ୱ ନେଇଥିଲେ ସ୍ପେଶାଲ ଡିଜିପି ଜି.ପି.ସିଂ ।

ଏସିଏସ୍ କେକେ ଶର୍ମା ଆସାମ ସରକାରରେ ଯୁଗ୍ମ ସଚିବ ଅଛନ୍ତି । ସିକ୍ୟୁଟିରି ଫାର୍ମର ଲାଇସେନ୍ସ ନବୀକରଣ ପାଇଁ ଟଙ୍କା ଲାଞ୍ଚ ଦାବି କରୁଥିବା ଅଭିଯୋଗ ପରେ ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା । ଏହି ସମୟରେ ୯୦ ହଜାର ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଥିଲା ଭିଜିଲାନ୍ସ । ପରେ ତାଙ୍କୁ ଗିରଫ କରାଯାଇଛି ।

ଏହାପରେ ତାଙ୍କ ବାସ ଭବନରେ ଅଧିକ ଛାନଭିନ କରିଥିଲା ଟିମ । ସେଠାରୁ ୪୯ ଲକ୍ଷ ଟଙ୍କାର ଅଘୋଷିତ ଟଙ୍କା ଜବତ କରାଯାଇଛି । ଆଇନ ଅନୁସାରେ ପୋଲିସ ସେହି ଟଙ୍କାରୁ ସିଜ୍ କରିଛି ।

ଏହା ପୂର୍ବରୁ ମଧ୍ୟ ସମାନ ଏକ ଘଟଣା ଘଟିଥିଲା । ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବିଭାଗ ମିଳିତ ଭାବେ ଦିବ୍ରୁଗଡ଼ ଜିଲ୍ଲା ପରିବହନ ଅଧିକାରୀଙ୍କ ଠିକଣାରେ ଚଢଉ କରିଥିଲେ । ଡିଟିଓ ସଞ୍ଜୀବ ହଜାରିକାଙ୍କ ଠାରୁ ୭ ଲକ୍ଷ ୩ ହଜାର ୮୦୦ ଟଙ୍କାର ଅଘୋଷିତ ଟଙ୍କା ଜବତ କରାଯାଇଥିଲା । ଏହାସହ 8୭ ହଜରା ଟଙ୍କାର ପୁରୁଣା ନୋଟ ମଧ୍ୟ ଜବତ କରାଯାଇଥିଲା । ଆସାମ ସରକାର ଦୁର୍ନୀତି ବିରୋଧରେ ନିଜର କଠୋର ଅଭିମୁଖ୍ୟକୁ ଅଧିକ ଶାଣିତ କରିଛନ୍ତି ବୋଲି ସ୍ପେଶାଲ ଡିଜି ଜିପି ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.