ହିମାଚଳରେ ଜାରି ସଂକଟ ଭିତରେ ଆସାମରେ କଂଗ୍ରେସକୁ ବଡ଼ ଝଟକା, ପାର୍ଟି ଛାଡ଼ିଲେ ପ୍ରଦେଶ ଅଧ୍ୟକ୍ଷ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସ ସରକାର ଉପରେ ସଂକଟର କଳା ବଦାଲ ରହିଛି । ଏହାରି ଭିତରେ ପୂର୍ବୋତ୍ତର ରାଜ୍ୟ ଆସାମରେ ପାର୍ଟିକୁ ବଡ଼ ଝଟକା ଲାଗିଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଣା ଗୌସ୍ୱାମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଖୁବ ଶୀଘ୍ର ସେ ବିଜେପିରେ ଯୋଗ ଦେଇପାରନ୍ତି । ବରିଷ୍ଠ ନେତା ରାଣା ଗୌସ୍ୱାମୀଙ୍କ ପୂର୍ବରୁ ଅନେକ ନେତା କଂଗ୍ରେସ ଛାଡ଼ି ସାରିଛନ୍ତି । କିଛି ଦିନ ପୂର୍ବେ ଅନ୍ୟ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ କମଲାଖ୍ୟା ଡେ ପୁରକାୟସ୍ଥ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାସହ ବିଧାୟକ ବସନ୍ତ କୁମାର ଦାସ ମଧ୍ୟ ବିଜେପି ସରକାରଙ୍କୁ ନିଜ ସମର୍ଥନ ଦେଇ ସାରିଛନ୍ତି । ଏହିପରି ଗତ କିଛି ଦିନ ମଧ୍ୟରେ ତିନି ବଡ଼ ନେତା କଂଗ୍ରେସରୁ ଅଲଗା ହୋଇସାରିଛନ୍ତି ।

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ପଠାଇଥିବା ଚିଠିରେ ରାଣା ଲେଖିଛନ୍ତି, 'ମୁଁ ଆସାମ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି । ଏହା ବ୍ୟତୀତ କଂଗ୍ରେସ ସକ୍ରିୟ କାର୍ଯ୍ୟକର୍ତ୍ତା ରୂପେ ମଧ୍ୟ ନିଜ ଦାୟିତ୍ୱ ଛାଡ଼ୁଛି ।'

ପଢନ୍ତୁ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ, କହିଲେ ସହିହେଲାନି ଅପମାନ

ଖବର ଅନୁସାରେ କଂଗ୍ରେସରୁ ଇସ୍ତଫା ଦେବା ରାଣା ଗୌସ୍ୱାମୀ ବିଜେପିରେ ସାମିଲ ହୋଇପାରନ୍ତି । ଏଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଥାବର୍ତ୍ତା ଶେଷ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମଧ୍ୟ ତାଙ୍କ ଭେଟ ହୋଇଛି । କିଛି ଦିନ ପୂର୍ବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ଗସ୍ତ କରିଥିଲେ । ଏହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହୋଇଥିଲା । ଅନୁମାନ କରାଯାଉଛି ଯେ ରାଣା ଗୌସ୍ୱାମୀଙ୍କୁ ଟିକଟ ମିଳିପାରେ ଏବଂ ଏଥିପାଇଁ ସେ ବିଜେପିରେ ସାମିଲ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.