ପୂର୍ବରୁ ୬୦୦ ବନ୍ଦ କରିଛି, ସବୁ ମଦ୍ରାସା ବନ୍ଦ କରିବା ମୋର ଲକ୍ଷ୍ୟ; ହିମନ୍ତ ବିଶ୍ୱ ଶର୍ମା
17/03/2023 at 3:57 PM

ବେଙ୍ଗାଲୁରୁ: ରାଜ୍ୟରେ ସବୁ ମଦ୍ରାସା ବନ୍ଦ କରିଦେବାକୁ ମୋର ଉଦ୍ଦେଶ୍ୟ। କାରଣ ଲୋକମାନେ ମଦ୍ରାସା ବଦଳରେ ସ୍କୁଲ୍ରେ ପାଠ ପଢ଼ିବାକୁ ଚାହୁଁଛନ୍ତି। ତେଣୁ ରାଜ୍ୟରେ ଆଗକୁ ମଦ୍ରାସା ଉପରେ ଚଢ଼ାଉ ଜାରି ରହିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ବିଜେପି ବିଜୟ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ଗୁରୁବାର ଲୋକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
ହମନ୍ତ ବିଶ୍ୱ ଶର୍ମା କହିଛନ୍ତି “ମୁଁ ୬୦୦ ମଦ୍ରାସା ବନ୍ଦ କରିଛି। ଏବଂ ସବୁ ମଦ୍ରାସା ବନ୍ଦ କରିବା ମୋର ଉଦ୍ଦେଶ୍ୟ। କାରଣ ଆମେ ମଦ୍ରାସା ଚାହୁଁ ନାହୁଁ ବରଂ ଆମେ ସ୍କୁଲ୍ କଲେଜ, ୟୁନିଭର୍ସିଟି ଚାହୁଁଛୁ।”
ସୂଚନା ଥାଉକି ୨୦୨୦ରେ ଶ୍ରୀ ଶର୍ମା ଆସାମରେ ଏକ ବିବାଦୀୟ ଆଇନ୍ ପ୍ରଣୟନ କରିଥିଲେ। ଯେଉଁଥିରେ ରାଜ୍ୟ ସରକାର ଦ୍ୱାରା ଚାଳିତ ସମସ୍ତ ମଦ୍ରାସାକୁ ପ୍ରାଥମିକ ସ୍କୁଲ୍ରେ ପରିଣତ କରିବାର ନିୟମ ରହିଛି। ଜାନୁଆରୀ ୨୦୨୩ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ଅଣପଞ୍ଜିକୃତ ଭାବେ ୩୦୦୦ ମଦ୍ରାସା ରହିଛି।ସେହିପରି ବାଂଲାଦେଶ ଅନୁପ୍ରବେଶକାରୀ ଭାରତର ସଂସ୍କୃତି ଓ ପରମ୍ପରା ପାଇଁ ବିପଦ ବୋଲି ଶ୍ରୀ ଶର୍ମା କହିଛନ୍ତି।
କେବଳ ସେତିକି ନୁହେଁ ଏହି ରାଲିରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ବର୍ତ୍ତମାନର ମୁଗଲ ବୋଲି ଶ୍ରୀ ଶର୍ମା କହିଛନ୍ତି। ରାଲିକୁ ସମ୍ବୋଧ କରି ସେ କହିଛନ୍ତି ” କଂଗ୍ରେସ ଓ କମ୍ୟୁନିଷ୍ଟମାନେ ଦର୍ଶାଇଛନ୍ତି ଯେ ଭାରତର ଇତିହାସ ହେଉଛି କେବଳ ବାବର, ଔରଙ୍ଗଜେବ୍ ଏବଂ ଶାହା ଜାହନକୁ ବୁଝାଏ। ମୁଁ ତାଙ୍କ କହିବାକୁ ଚାହେଁ ଯେ ଇତିହାସ କେବଳ ସେମାନଙ୍କ ବିଷୟରେ ନୁହେଁ,ବରଂ ଛତ୍ରପତି ଶିବାଜୀ ମହାରାଜା, ଗୁରୁ ଗୋବିନ୍ଦ ସିଂହ, ସ୍ୱାମୀ ବିବେକାନନ୍ଦଙ୍କର।” କଂଗ୍ରେସକୁ ମୋଗଲ ସହ ତୁଳନା କରି ଶ୍ରୀ ଶର୍ମା କହିଛନ୍ତ ବିରୋଧି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛି। ପୂର୍ବରୁ ମୋଗଲମାନେ ଦେଶକୁ ଦୁର୍ବଳ କରୁଥିଲେ। କଂଗ୍ରେସ ହେଉଛି ଆଜିର ମୋଗଲ। ଯେଉଁଠି ରାମ ମନ୍ଦିର ହେଉଛି କଂଗ୍ରେସ ଏହାକୁ ବିରୋଧ କରୁଛି। ଆପଣ(କଂଗ୍ରେସ) କଣ ମୋଗଲ ଛୁଆ କି? ରାମ ମନ୍ଦିର ବିଷୟରେ କାହିଁକି କହୁନାହିଁ। ବର୍ତ୍ତମାନ କଂଗ୍ରେସ ନୂଆ ମୋଗଲର ପ୍ରତିନିଧିତ୍ୱ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।
ଏଥିସହିତ ହିନ୍ଦୁ ମୁସଲମାନଙ୍କୁ ନେଇ ସେ କହିଛନ୍ତି ଯେ ଜଣେ ଭାରତୀୟ ମୁସ୍ଲିମ ଗର୍ବରେ କହୁଛି ମୁଁ ଭାରତୀୟ ମୁସ୍ଲିମ ଓ ଭାରତୀୟ ଖ୍ରୀଷ୍ଟିଆନ। ଏଥିରେ ଆମର କିଛି ଆପତ୍ତି ନାହିଁ। କିନ୍ତୁ ଜଣେ ଏମିତି ଲୋକର ଆବଶ୍ୟକତା ଅଛି ଯିଏ କହିବ ମୁଁ ଜଣେ ଭାରତୀୟ ହିନ୍ଦୁ।