ପ୍ରଶ୍ନ ପତ୍ର ଲିକ୍କୁ ନିଜ ସରକାରର ବିଫଳତା ବୋଲି ସ୍ୱୀକାର କଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ-ଦୋଷୀଙ୍କ ବିରୋଧରେ ହେବ ଆକ୍ସନ
16/03/2023 at 6:47 PM

ନୂଆଦିଲ୍ଲୀ: ପ୍ରଶ୍ନ ପତ୍ର ଲିକ୍ ତାଙ୍କ ସରକାରଙ୍କ ବିଫଳତା ବୋଲି ସ୍ୱୀକାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶିର୍ମା । ଆସାମରେ ଜାରି ରହିଥିବା ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ସାଧାରଣ ବିଜ୍ଞାନର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା । ଏହା ଉପରେ ଟିପ୍ପଣୀ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ତାଙ୍କ ସରକାରଙ୍କ ବିଫଳତା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ବିଧାନସଭାରେ ବଜେଟ୍ ଅଧିବେଶନକୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉତ୍ତରଦାୟିତ୍ୱ ନେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତିଙ୍କୁ ଟିହ୍ନଟ କରାଯାଇ ସାରିଛି ଏବଂ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ‘ପେପର ଲିକ୍ ହେବା କଥା ନୁହେଁ । ମୁଁ ଅନୁଭବ କରୁଛି ଯେ ଏହା ଆମର ବିଫଳତାକୁ ଦର୍ଶାଉଛି ଏବଂ ମୁଖ୍ୟମନ୍ତ୍ରୀ ଭାବେ ଏଥିପାଇଁ ଉତ୍ତରଦାୟୀ । ଘଟଣାର ପୁନରାବୃତ୍ତି ଯେପରି ନ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି’ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଗୋଟିଏ ସ୍କୁଲର ପ୍ରଭାରୀ ଏବଂ ତିନି ଶିକ୍ଷକ ସାମିଲ ଥିଲେ । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଆସାମ ପୋଲିସ ୪୮ ଘଣ୍ଟା ଭିତରେ ମାମଲାର ପର୍ଦ୍ଦାଫାସ କରିଥିବା ସେ କହିଛନ୍ତି । ତଦନ୍ତ ପ୍ରଭାବିତ ହେବା ଆଶଂକା ଯୋଗୁଁ ସେମାନଙ୍କ ନାଁ ଗୋପନ ରଖାଯାଉଛି । ଏହାସହ ଅନ୍ୟ ଯେଉଁମାନେ ଏଥିରେ ସାମିଲ ଅଛନ୍ତି ପୋଲିସ ନିକଟରେ ଆତ୍ମସମର୍ପଣ କରିଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୁଧବାର ସଂଧ୍ୟା ସୁଦ୍ଧା ୧୨ ଛାତ୍ରଛାତ୍ରୀ ଏବଂ ୪ ସରକାରୀ କର୍ମଚାରୀଙ୍କ ସହ ୨୫ ଜଣଙ୍କୁ ରାଜ୍ୟ ପୋଲିସର ସିଆଇଡି ଗିରଫ କରିଥିଲା । ପ୍ରଶ୍ନ ପତ୍ର ଲିକ୍ ପରେ ମାର୍ଚ୍ଚ ୧୩ରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରି ମାର୍ଚ୍ଚ ୩୦ରେ ଆୟୋଜନ କରିବାକୁ ସ୍ଥିର କରାଯାଇଛି ।