ବାଲ୍ୟ ବିବାହ ନେଇ ଆସାମରେ ଚଢ଼ାଉ ଜାରୀ: ୨୨୭୮ ଗିରଫ, ମୁଖ୍ୟମନ୍ତ୍ରୀ କହିଲେ- ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ଗିରଫଦାରୀ
5/02/2023 at 8:58 PM

ଦିଶପୁର: ବାଲ୍ୟ ବିବାହ ଆଇନକୁ ଉଲ୍ଲଂଘନ କରିଥିବା ଅପରାଧିଙ୍କ ବିରୋଧରେ ଆସାମ ସରକାର ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଏହି ମାମଲାରେ ୨୨୭୮ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।
ବିଶ୍ୱନାଥ ଜିଲ୍ଲାରୁ ୧୩୯,ବାରପେଟରୁ ୧୩୦, ଧୁବରୀ ୧୨୬, ବକ୍ସା ୧୨୩, ବୋଙ୍ଗାଇଗାଓଁ ୧୧୭, ନଗାଁଓ ୧୦୧,କୋକରାଝାର ୯୪, କାମରୁପ ୮୫, ଗୋଲପାରା ଓ ଅଦଲଗୁରୀ ଜିଲ୍ଲାରୁ ୮୪ ଲେଖାଏଁ ଦୋଷୀଙ୍କୁ ଗିରଫ କରାଯାଇଛି।
ଏହି ମାମଲାରେ ମୋଟ ଗିରଫଦାରୀ ୨୨୭୮ ହୋଇଥିବା ବେଳେ ମୋଟ ୪୦୭୪ ମାମଲା ଦାୟର ହୋଇଛି। ଏହି ଅଭିଯାନ ଆଗାମୀ ନିର୍ବାଚନ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଆଗାମୀ ନିର୍ବାଚନ ପରେ ଆଉ କୌଣସି ବାଲ୍ୟ ବିବାହ ମାମଲା ଦେଖିବାକୁ ମିଳିବ ନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି। ତେବେ ଏନେଇ ପିଲାମାନଙ୍କ ବାପାଙ୍କୁ କେବଳ ଚେତାବନୀ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କେବଳ ବାଲ୍ୟ ବିବାହ କରିଥିବା ଅପରାଧିଙ୍କୁ ନୁହେଁ ବିବାହ କରାଇଥିବା କାଜି ଓ ପୁରୋହିତଙ୍କ ମଧ୍ୟ ଗିରଫ କରାଯାଉଛି। ଶନିବାର ସୁଧା ଏଭଳି ୫୨ ଜଣଙ୍କୁ ଗିରଫ କରାଯାଇଥିଲା। ସୂଚନା ଥାଉକି ଆସାମରେ ଏଭଳି ଅଭାଯାନ ଚଳାଇବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏହାପରେ ଶୁକ୍ରବାର ଠାରୁ ଗିରଫଦାରୀ ଆରମ୍ଭ ହୋଇଥିଲା।
ଆସାମରେ ଶିଶୁ ଓ ମା ମୃତ୍ୟୁହାର ଅଧିକ
ସୂଚନା ଥାଉକି, ବାଲ୍ୟ ବିବାହ ଯୋଗୁ ଆସାମରେ ଶିଶୁ ଓ ମା ମୃତ୍ୟୁ ହାର ଅଧିକ ରହୁଛି। ରାଜ୍ୟରେ ୩୧ ପ୍ରତିଶତ ବାଲ୍ୟ ବିବାହ ହୋଇଥିବା ଜଣାପଡ଼ିଛି। ତେଣୁ ଏହାକୁ ମୁଳୋତ୍ପାଟନ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।