ଭୁବନେଶ୍ବର୨୦|୧: ଅନୁଷ୍ଠିତ ହୋଇଛି ବହୁ ପ୍ରତିକ୍ଷୀତ ଏଏସଓ ପରୀକ୍ଷା । ୫୦୦ ପୋଷ୍ଟ ଲାଗି ସାରା ରାଜ୍ୟର ୪୮୪ ସେଣ୍ଟରରେ ୯୦ ହଜାରରୁ ଅଧି ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି । ତେବେ ଏହି ପରୀକ୍ଷା ପରିଚାଳନା ନେଇ ଆସିଛି ଏକ ଗୁରୁତର ଅଭିଯୋଗ । ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ସାଥୀରେ ସ୍କ୍ରାଇବ୍ ନେବାର ଅନୁମତି ମିଲି ନ ଥିଲା । ବିନା ଅନୁବାଦକରେ ଅନେକ ସେଣ୍ଟରରୁ ପରୀକ୍ଷା ଦେଇ ନ ପାରି ଫେରି ଆସିଥିଲେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନେ ।
କାହାର ହାତ ଚାଲୁନି, କାହା ଆଖିକୁ ଦିଶୁ ନାହିଁ, ହେଲେ ସମସ୍ତଙ୍କ ଆଖିରେ ଆଖିଏ ସ୍ବପ୍ନ । ସେହି ସ୍ବପ୍ନ ନେଇ ପରୀକ୍ଷା ହଲ୍ ଯାଏଁ ଧାଇଁ ଯାଇଥିଲେ ଏମାନେ । ହେଲେ ଜଣା ନ ଥିଲା ଓପିଏସସିର ମନମାନି ଆଗରେ ମୋଡ଼ି ମକଚି ଯିବ ସବୁ ଆଇନ୍ । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ଦ୍ବାରା ପରିଚାଳିତ ସହକାରୀ ସେକ୍ସନ ଅଫିସର ବା ଏଏସଓ ପରୀକ୍ଷା ସଂପର୍କରେ ଆସିଛି ଏମିତି କିଛି ସମ୍ବେଦନଶୀଳ ଅଭିଯୋଗ । ନିର୍ଦ୍ଦିଷ୍ଟ ବର୍ଗର ଦିବ୍ୟାଙ୍କ ପରୀକ୍ଷାର୍ଥୀଙ୍କ ଲାଗି ସ୍କ୍ରାଇବ୍ ବା ଅନୁବାଦକ ନେବାର ସୁବିଧା ରହିଛି । ହେଲେ ଏଏସଓ ପରୀକ୍ଷା ଲାଗି ଓପିଏସସି ସେ ଅନୁମତି ଦେଲାନାହିଁ । କିଏ ଅସହାୟ ହୋଇ ଫେରି ଆସିଲେ ତ ଆଉ କିଏ ନିରୁପାୟ ହୋଇ ଯେନତେନ ପରୀକ୍ଷା ଆଟେଣ୍ଡ କଲେ । ଇଏ ହେଉଛନ୍ତି ଦିବ୍ୟାଙ୍ଗ ବବିତା । ହାତ ଆଙ୍ଗୁଳି ଠିକ୍ ରେ ବୁଲୁ ନାହିଁ । ବିନା ସ୍କ୍ରାଇବରେ ହ୍ବିଲ୍ ଚେୟାରରେ ବସି ପରୀକ୍ଷା ଦେବାକୁ ବାଧ୍ୟ ହେଲେ । ଏହି ସମାନ ଅବସ୍ଥା ଶତାଧିକ ଦିବ୍ୟାଙ୍ଗ ଆବେଦନକାରୀଙ୍କ ।
ଏହି ଘଟଣାରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲଙ୍କ ରାୟ ବି ଆସିଥିଲା ଦିବ୍ୟାଙ୍କ ପରୀକ୍ଷାର୍ଥୀଙ୍କ ସପକ୍ଷରେ । ପୂର୍ବରୁ ବିଭିନ୍ନ ପରୀକ୍ଷାରେ ମଧ୍ୟ ଏହି ସୁବିଧା ମିଳିଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏ ନେଇ ଓପିଏସସିକୁ ଚିଠି ଲେଖି ମଧ୍ୟ ଜଣାଇଥିଲା । ହେଲେ ହଠାତ୍ କେଉଁ ନିୟମ ଆଧାରରେ ଦିବ୍ୟାଙ୍କ ପରୀକ୍ଷାର୍ଥୀ ଏହି ସୁଯୋଗରୁ ବଞ୍ଚିତ ହେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଏ ପ୍ରସଙ୍ଗରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବି ବଢିଛି । ଗତାକାଲି କଂଗ୍ରେସ ଏ ନେଇ ପ୍ରତିବାଦ କରିଥିବା ବେଳେ ଆଜି ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ଆଉ ବିଜେଡି କହିଛି, ସରକାର ଅଭିଯୋଗର ସମୀକ୍ଷା କରୁଛନ୍ତି ।
ଭାଗ୍ୟର ବିଡ଼ମ୍ବନା ଛଡାଇ ନେଇଛି ଏମାନଙ୍କ ହାତରୁ ସୁଯୋଗ । ଭିନ୍ନକ୍ଷମ କରି ବିଧାତା ତ ମଜାକ୍ କରିଥିଲେ, ଏବେ ଆମର ବିଧିବ୍ୟବସ୍ଥା ବି ଦୁଃଖକୁ ଦୁଇ ଗୁଣା କରୁଛି । ଆଇନ ଥାଇ ବି ଯଦି ସେମାନେ ସୁଯୋଗରୁ ବଞ୍ଚିତ ତାହେଲେ ସେମାନଙ୍କ ଲାଗି ଶହ ଶହ ଯୋଜନାର ମାନେ ବା କଣ?