ସିଡିପିଓଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ଆସ୍କା ନିଖିଳ ଓଡିଶା ଅଙ୍ଗନବାଡି ସଂଘ

Published By : Prameya-News7 Bureau | October 30, 2021 IST

ଖଲ୍ଲିକୋଟ ୩୦/୧୦: ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ ସିଡିପିଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା କିଛି ଅଙ୍ଗନବାଡି କର୍ମୀ ଓ ସେକ୍ଟର ଲିଡର l ସିଡିପିଓ ଜଣଙ୍କ ଦୀର୍ଘବର୍ଷ ଧରି ନିଜ ପଦବୀର ଅପବ୍ୟବହାର କରି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ନେଇ ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଆସ୍କା ବ୍ଲକ ଶାଖା ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପୃଥକ ପୃଥକ ବିଭିନ୍ନ ଅଭିଯୋଗ ପତ୍ର ଆସ୍କା ସିଡିପିଓଙ୍କ ବିରୁଦ୍ଧରେ ପ୍ରଦାନ କରିଛନ୍ତି l ଏହା ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲିନା କୁମାରୀ ଖେସଙ୍କ ସହ ଏହି ପ୍ରତିନିଧି ଦଳ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି l

ଦୀର୍ଘବର୍ଷ ଧରି ସିଡିପିଓ ବିଭିନ୍ନ ଉପାୟରେ ଅର୍ଥ ଉପାର୍ଜନ କରି ବହୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି l ୨୦୧୯-୨୦ ପ୍ରାକ-ବିଦ୍ୟାଳୟ ଶିଶୁଙ୍କ ଦୁଇ ହଳ ପୋଷାକ ବଦଳରେ ଏକ ହଳ ଦେଇ ଦୁଇ ହଳ ପୋଷାକର ୟୁସି ଦାଖଲ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟରେ, ବିନା ରସିଦରେ କଣ୍ଟିଜେନ୍ସ ଫଣ୍ଡକୁ ନଗଦ ଆକାରରେ ଅଙ୍ଗନବାଡି କର୍ମୀଙ୍କ ଠାରୁ ଆଦାୟ କରୁଛନ୍ତି। ନିମ୍ନ ମାନର ଛତୁଆ ଯୋଗାଣ କାରବାରରେ ପରୋକ୍ଷରେ ଜଡିତ ରହି ମୋଟା ଆକାରରେ ପିସି ଆଦାୟ କରୁଥିବା ନେଇ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ଆସିକା ବ୍ଲକ ଶାଖାର କର୍ମକର୍ତ୍ତାମାନେ ଅତିରିକ୍ତ ଜିଲ୍ଲାପାଳ ଲିନା ଖେସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

ସମସ୍ତ ଦୁର୍ନୀତିର ଉଚିତ ତଦନ୍ତ କରି ସିଡିପିଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି l ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବା ସହ ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ ସୂଚନା ଦେଇଛନ୍ତି l

{"id":536002,"width":594,"height":445,"sizeSlug":"full","linkDestination":"none"}

ଏହି ଦାବି ପତ୍ର ପ୍ରଦାନ ବେଳେ ଆସ୍କା ବ୍ଲକ ଶାଖାର ଉପସଭାନେତ୍ରୀ ମିନତୀ କୁମାର ବରାଡ଼, ସମ୍ପାଦିକା ଗାୟତ୍ରୀ ପଣ୍ଡା, ଉପଦେଷ୍ଟା ଉମାରାଣୀ ପାତ୍ର, ସେକ୍ଟର ଲିଡର ସୁଧାଞ୍ଜଳି ଆପଟ, ଗୌରୀ ନାୟକ, ସୁକାନ୍ତି କୁମାରୀ ପ୍ରଧାନ, ରିତାଞ୍ଜଳୀ ସାହୁ, କିରଣ ନାହାକ, ନମିତା ସ୍ୱାଇଁ, ଆରନ୍ୟା କୁମାରୀଙ୍କ ସମେତ ସଂଘର ବହୁ ସଦସ୍ୟାମାନେ ଉପସ୍ଥିତ ଥିଲେ l ଅପରପକ୍ଷରେ ଆସ୍କା ସିଡିପିଓ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.