ବିଜୟଙ୍କୁ ହରାଇ ଭୁବନେଶ୍ୱର କ୍ଳବର ନୂଆ ସଭାପତି ହେଲେ ଅସିତ୍‌ ତ୍ରିପାଠୀ

Published By : Prameya-News7 Bureau | September 27, 2021 IST

ଭୁବନେଶ୍ୱର, ୨୭/୦୯: ବାଜିମାତ କରିଲେ  ଅସିତ ତ୍ରିପାଠୀ  ।  ଭୁବନେଶ୍ୱର କ୍ଳବର ସଭାପତି ଭାବେ ମନୋନୀତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏସ୍‌  ଅସିତ ତ୍ରିପାଠୀ   । ମୋଟ ୭୭୬ଟି  ଭୋଟ ପାଇ ସେ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ  ବିଜୟ ପଟ୍ଟନାୟକଙ୍କୁ ୪୯୮ଟି ଭୋଟ ମିଳିଥିବା ଜଣାପଡ଼ିଛି । ଅସିତ ତ୍ରିପାଠୀ ୨୭୮ ଭୋଟରେ ବିଜୟୀ ହୋଇଛନ୍ତି ।

ତେବେ ବିଜୟ ପରେ ଭୁବନେଶ୍ୱର କ୍ଳବକୁ ବହୁମୁଖୀ କ୍ଳବ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ । ସଂସ୍କୃତି, ଉନ୍ନତିକରଣ କରିବା ସହ କ୍ଲବର ସଦସ୍ୟମାନଙ୍କର ଥିବା ବିଭିନ୍ନ କ୍ଷେତ୍ରରେ ସ୍କିଲର ବିନିଯୋଗ କରାଯିବ ।

ରାଜ୍ୟର ହାଇପ୍ରୋଫାଇଲ୍‌ କ୍ଲବ୍‌ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ବାଛିବାକୁ ଚାଲିଥିବା ରେସ୍‌ ଆଜି ସରିଛି । ରବିବାର ଭୋଟ୍‌ ଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା । ଗତ ଦୁଇ ଦିନ ଧରି ଅର୍ଥାତ ଶନିବାର ଏବଂ ରବିବାର ଚାଲିଥିବା ଭୋଟିଂରେ ୧୨୫୪ଜଣ କ୍ଲବ୍‌ ସଦସ୍ୟ ଆସି ଭୋଟ୍‌ ଦେଇଥିଲେ । ତେବେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ଫଳ ଘୋଷଣା କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା ।

ରବିବାର ୫୬୯ ସଦସ୍ୟ ଭୋଟ୍‌ ଦେଇଥିଲେ । ଏହା ପୂର୍ବରୁ ଶନିବାର ୬୯୮ଜଣ ଭୋଟ୍‌ ଦେବାକୁ ଆସିଥିଲେ । କ୍ଲବ୍‌ରେ ଥିବା ମୋଟ ୧୮୫୪ ସଦସ୍ୟଙ୍କ ଭୋଟିଂ ଦେବା ଅଧିକାର ଥିବାବେଳେ ଏଥିରୁ ୧୨୬୭ଜଣ ଭୋଟ୍‌ ଦେଇଥିଲେ । କିନ୍ତୁ ଆହୁରି ୫୮୭ ସଦସ୍ୟ ଭୋଟ୍‌ ଦେବାକୁ ଆସିନଥିଲେ ।

 ୨୦୧୩ରେ ଶେଷ ଥର ପାଇଁ ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନ ହୋଇଥିଲା । ଏହା ପରଠାରୁ ଭୋଟିଂ ବଦଳରେ କ୍ଲବ୍‌ ସଭାପତି ଓ ଅନ୍ୟ କର୍ମକର୍ତ୍ତା ପଦ ପାଇଁ ସିଲେକ୍ସନ ହେଉଥିଲା । କିନ୍ତୁ ୮ ବର୍ଷ ପରେ ଏବେ ପୁଣି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରାଯାଇଛି । ସବୁଠୁ ଚର୍ଚ୍ଚାରେ ରହିଥିଲା ସଭାପତି ପଦ ଲଢ଼େଇ । ଏଥିରେ ରାଜ୍ୟର ଦୁଇ ପ୍ରଭାବଶାଳୀ ବ୍ୟକ୍ତି ପରସ୍ପର ବିରୋଧରେ ଛିଡା ହୋଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ କୁମାର ତ୍ରିପାଠୀ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଥିଲେ । ଅତୀତରେ ରାଜ୍ୟ ଶାସନର ମଙ୍ଗ ଧରିଥିବା ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ ଭିତରୁ ସମ୍ଭ୍ରାନ୍ତ କ୍ଲବ୍‌ର ମଙ୍ଗ ଏବେ ଅସିତ୍‌ ଧରିବେ ବୋଲି ଜଣାପଡ଼ିଛି ।

ସେହିଭଳି କ୍ଲବ୍‌ ସମ୍ପାଦକ ପଦବି ପାଇଁ ବି ମୁକାବିଲା କିଛି କମ୍‌ ହୋଇନଥିଲା । ବରିଷ୍ଠ ଆଇଏଏସ୍‌ ବିଶାଲ ଦେବ ଏହି ପଦବି ପାଇଁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷରେ ଲଢୁଥିଲେ ଅଶୋକ ଚିଞ୍ଚେଲା, ଦାମୋଦର ପ୍ରଧାନି, ଜ୍ୟୋତ୍ସାମୟୀ ପରିଡ଼ା ଓ ପାର୍ଥସାରଥୀ ପାଣିଗ୍ରାହୀ । ଉପସଭାପତି ପଦ ପାଇଁ ଦେବଶଙ୍କର ତ୍ରିପାଠୀ, ଜୟନ୍ତ କୁମାର ହୋତା, ମହେନ୍ଦ୍ର କୁମାର ଗୁପ୍ତା ଓ ତାପେସ ରାୟ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଯୁଗ୍ମ ସଚିବ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା । ସୋମବାର ଅପରାହ୍ନ ୨ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା । ଅପରାହ୍ନ ୬ଟା ସୁଦ୍ଧା ଗଣତି ସରିବା ପରେ ନୂଆ ମୁଖିଆଙ୍କ ନାମ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.