ଏସିଆନ୍ ଗେମ୍ସ ୨୦୨୩: ଚତୁର୍ଥ ସ୍ଥାନ କାଏମ ରଖିଲା ଭାରତ, ସୋମବାର ଜିତିଲା ୭ ମେଡାଲ, ୩ ରୌପ୍ୟ ସାମିଲ୍, ସ୍ୱର୍ଣ୍ଣ ନିଲ୍
2/10/2023 at 11:04 PM

ନୂଆଦିଲ୍ଲୀ: ଚୀନର ହାଙ୍ଗଜୋରେ ଖେଳାଯାଉଥିବା ଏସିଆନ ଗେମ୍ସ ୨୦୨୩ରେ ସୋମବାର ବି ଭଲ ପ୍ରଦର୍ଶନ କରି ଭାରତ ଚତୁର୍ଥ ସ୍ଥାନ ବଜାଇ ରଖିଛି। ଆଜି ଭାରତୀୟ ଖେଳାଳିମାନେ ୭ଟି ମେଡାଲ୍ ଜିତିବାରେ ସକ୍ଷମ ହୋଇଥିଲେ। ସେଥିମଧ୍ୟରୁ ୫ ମେଡାଲ ଆଥ୍ଲେଟ୍ମାନେ ଜିତିଛନ୍ତି। ଏସିଆନ ଗେମ୍ସ ୨୦୨୩ରେ ଭାରତ ମୋଟ ପଦକ ସଂଖ୍ୟା ୬୦ ହୋଇଛି। ଆଜି ନବମ ଦିନରେ ଭାରତ ତିନୋଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି।

ଆଜିର ଖେଳ ଶେଷ ହେବା ବେଳକୁ ତେଜସ୍ୱିନ୍ ଶଙ୍କର ୪୨୬୦ ପଏଣ୍ଟ ସହ ଡେକାଥଲନର ଶୀର୍ଷରେ ରହିଛନ୍ତି। ସେହିପରି ୪୦୦ ମିଟର ମିଶ୍ରିତ ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଏହାପୂର୍ବରୁ ଆଜି ସ୍କେଟର୍ସ ୨ ଟି କାଂସ୍ୟ ପଦକ ଜିତିଥିଲେ। ଏହାପରେ ଅପରାହ୍ନରେ ଟେବୁଲ୍ ଟେନିସର ମହିଳା ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲା ଭାରତ। ସନ୍ଧ୍ୟାରେ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହୋଇଥିଲା।
ଭାରତ ସ୍କେଟିଂରେ ବ୍ରୋଞ୍ଜ ପଦକ ଜିତିଛି। ମହିଳା ଦଳ ସ୍କେଟିଂ ୩୦୦୦ ମିଟର ରିଲେରେ ୪: ୩୪.୮୬୧ ସମୟ ସହିତ ପଦକ ଜିତିଥିଲେ। ଏହା ପରେ ପୁରୁଷ ଦଳ ୪: ୧୦.୧୨୮ ସମୟ ସହିତ ରିଲେ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲା।

ତେବେ ଟେବୁଲ ଟେନିସରେ ସୁତୀର୍ଥ ମୁଖାର୍ଜୀ ଏବଂ ଆୟହିକା ମୁଖାର୍ଜୀଙ୍କୁ ସେମିଫାଇନାଲରେ କୋରିଆ ଯୋଡି ଠାରୁ ପରାଜିତ ହୋଇଥିଲେ। ଫଳରେ ଦୁଇ ଭାରତୀୟ ଖେଳାଳିଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କୋରିଆ ଖେଳାଳି ଭାରତୀୟ ଯୋଡିକୁ ୧-୭, ୮-୧୧, ୧୧-୭, ୮-୧୧, ୯-୧୧, ୧୧-୫, ୨-୧୧ରେ ପରାସ୍ତ କରିଥିଲେ।
ଆଜି ଷ୍ଚିପଲଚେଜ୍ରେ ବି ରୌପ୍ୟ ଜିତିଛି ଭାରତ। ମହିଳା ୩୦୦୦ ମିଟର ଷ୍ଟିପଲ୍ଚେଜ୍ ଇଭେଣ୍ଟରେ ପାରୁଲ ଚୌଧୁରୀ ଭାରତ ପାଇଁ ରୌପ୍ୟ ଜିତିଛନ୍ତି। ହେଲେ ଏହି ଇଭେଣ୍ଟରେ ପ୍ରୀତିଙ୍କୁ ବ୍ରୋଞ୍ଜ ମେଡାଲ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ଲଙ୍ଗ ଜମ୍ପରେ ସୋଜନ ରୌପ୍ୟ ଜିତିଛନ୍ତି। ୬.୬୩ ମିଟର ଲମ୍ଫ ଦେଇ ରୌପ୍ୟ ହାତେଇଛନ୍ତି ସୋଜନ। ଏହା ବ୍ୟତୀତ ମିକ୍ସ ରିଲେ ଟିମ୍କୁ ରୌପ୍ୟ ମିଳିଛି। ଏହି ଟିମ୍ରେ ମହମ୍ମଦ ଅନସ, ଜିସ୍ନା ମାଥ୍ୟୁ, ଐର୍ଯ୍ୟା ମିଶ୍ର, ସୋନିଆ ବୈଶ୍ୟ, ମହମ୍ମଦ ଅଜମଲ ଖେଳାଳି ଥିଲେ।

ସେମିଫାଇନାଲ୍ରେ ପହଞ୍ଚିଲା ଭାରତୀୟ ହକି ଦଳ
ଏସିଆନ୍ ଗେମ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଶେଷ ଗ୍ରୁପ୍ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ଖେଳି ୧୨-୦ରେ ଜିତିଥିଲା। ଭାରତ ପାଇଁ ହରମାନପ୍ରୀତ ସିଂ ଏବଂ ମନପ୍ରୀତ ସିଂ ପ୍ରତ୍ୟେକ ୩ ଗୋଲ ସ୍କୋର କରିଥିଲେ। ଅଭିଷେକ ଦୁଇଟି ଗୋଲ ସ୍କୋର କରିଥିଲେ। ଏଥିସହ ଅମିତ ରୋହିଦାସ, ଲଲିତ ଉପାଧ୍ୟାୟ, ନୀଲକାନ୍ତ ଶର୍ମା ଏବଂ ଗୁରୁଜନ୍ତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।
ବର୍ତ୍ତମାନ ସୁଦ୍ଧା ଭାରତ ୧୩ ସ୍ୱର୍ଣ୍ଣ, ୨୪ ରୌପ୍ୟ ଓ ୨୩ ବ୍ରୋଞ୍ଜ ପଦକ ହାସଲ କରି ଏସିଆନ୍ ଗେମ୍ସରେ ଚତୁର୍ଥ ସ୍ଥାନରେ ରହିଛି। ରବିବାର ଭାରତୀୟ ଟିମ୍ ଗୋଟିଏ ଦିନରେ ୧୫ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା। ଏଥିସହିତ ଭାରତର ମୋଟ ମେଡାଲ ସଂଖ୍ୟା ୫୦ ଟପିଥିଲା।

ଏସିଆନ ଗେମ୍ସରେ ନବମ ଦିନର ଖେଳ ସୁଦ୍ଧା ପଦକ ହାସଲରେ ଆୟୋଜକ ଚୀନ ମୋଟ ୨୬୯ ପଦକ ସହ ଏକ ନମ୍ବରରେ ସ୍ଥାନରେ ରହିଛି। ସେଥିମଧ୍ୟରୁ ୧୪୬ ସ୍ୱର୍ଣ୍ଣ, ୮୧ ରୌପ୍ୟ ଓ ୪୨ କାଂସ୍ୟ ପଦକ ଜିତିଛି। ସେହିପରି ଦ୍ୱିତୀୟରେ ରହିଛି ଜାପାନ। ଜାପାନ ହାସଲ କରିଥିବା ପଦକ ମଧ୍ୟରେ ୩୩ ସ୍ୱର୍ଣ୍ଣ, ୪୪ ରୌପ୍ୟ ଓ ୪୫ କାଂସ୍ୟ ପଦକ ସହ ମୋଟ ୧୨୨ ପଦକ ହାତେଇଛି। ୧୩୩ ପଦକ ସହ ପଏଣ୍ଟ ତାଲିକାରେ ତୃତୀୟରେ ରହିଛି ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆ ୩୧ ସ୍ୱର୍ଣ୍ଣ ୩୮ ରୌପ୍ୟ ଓ ୬୩ କାଂସ୍ୟ ପଦକ ହାତେଇଛି। ତାଲିକାରେ ଭାରତ ଚତୁର୍ଥରେ ରହିଛି।







