ଏସିଆ କପରେ ନୂଆ ନିୟମ : ସର୍କଲ ଭିତରେ ରହିପାରିବେ ୫ ଫିଲ୍ଡର

Published By : Prameya-News7 Bureau | August 30, 2022 IST

ଦୁବାଇ ୩୦/୦୮: ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍‌ର ମ୍ୟାଚ୍‌ରେ କିଛି ଭିନ୍ନ ଫିଲ୍ଡ ସଜ୍ଜା ଦେଖିବାକୁ ମିଳିଥିଲା । ଉଭୟ ଦଳର ଡେଥ୍‌ ଓଭର ବୋଲିଂ ସମୟରେ ବାଉଣ୍ଡାରୀରେ ଜଣେ ଲେଖାଏଁ ଫିଲ୍ଡର କମାଇ ଦିଆଯାଇଥିଲା । ଫଳ ସ୍ୱରୂପ ଗ୍ରାଉଣ୍ଡ ଭିତର ୩୦ ଗଜ ସର୍କଲ ଭିତରେ ୫ଜଣ ଲେଖାଏଁ ଫିଲ୍ଡର ରହିଥିଲେ । ଉଭୟ ଦଳର ବୋଲିଂ ସମୟରେ ଶେଷ ୩ ଓଭରରେ ଏଭଳି ଫିଲ୍ଡିଂ ଦେଖିବାକୁ ମିଳିଥିଲା ।

ଗ୍ରାଉଣ୍ଡ ଭିତର ୩୦ଗଜ ସର୍କଲ ମଧ୍ୟରେ ଅତିରିକ୍ତ ଫିଲ୍ଡର ରଖାଯିବା ପଛର କାରଣ ରହିଥିଲା ମନ୍ଥର ବୋଲିଂ ଜନିତ ଦଣ୍ଡ ବିଧାନ । ଚଳିତ ବର୍ଷ ଜାନୁଆରୀ ମାସରୁ ଏହି ନିୟମ ଲାଗୁ କରାଯାଇଛି । ନିୟମ ଅନୁଯାୟୀ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ପ୍ରତି ଇନିଂସ ପାଇଁ ୮୫ ମିନିଟ୍‌ ଲେଖାଏଁ ସମୟ ରଖାଯାଇଛି । ଫଳରେ ଉଭୟ ଦଳ ୮୫ ମିନିଟ୍‌ ମଧ୍ୟରେ ୨୦ ଓଭର ବୋଲିଂ ଶେଷ କରିବା ବାଧ୍ୟତା ମୂଳକ । ଏହି ସମୟ ମଧ୍ୟରେ ବୋଲିଂ ଇନିଂସ ଶେଷ ନହେଲେ ବାକି ଓଭର ଗୁଡ଼ିକ ପାଇଁ ୩୦ଗଜ ସର୍କଲ ମଧ୍ୟରେ ଅତିରିକ୍ତ ଫିଲ୍ଡର ରହିବେ । ଓଭର ପିଛା ୪ମିନିଟ୍‌ ୧୫ ସେକେଣ୍ଡ ସମୟ ନିର୍ଦ୍ଧାରଣ କରାଯାଇଛି ।

ଅର୍ଥାତ ୨୦ ଓଭର ଶେଷ କରିବା ପାଇଁ ୮୩ ମିନିଟ୍‌ ସମୟ ଲାଗିବ । ଆହତ ସମସ୍ୟା, ବ୍ୟାଟିଂ ଦଳର ଖେଳାଳିଙ୍କ କ୍ରୀଡ଼ା ଉପକରଣ ପରିବର୍ତ୍ତନ ଇତ୍ୟାଦି ପାଇଁ ନିୟମ ସାମାନ୍ୟ କୋହଳ କରାଯାଇପାରିବ । ସେହିପରି ୱିକେଟ୍‌ ପତନ ସମୟରେ ପରବର୍ତ୍ତୀ ବ୍ୟାଟର କ୍ରିଜ୍‌ରେ ପହଞ୍ଚିବା ପାଇଁ ବୋଲିଂ ଦଳକୁ ଅତିରିକ୍ତ ୧ ମିନିଟ୍‌ କୋହଳ କରାଯିବ । ପ୍ରତି ୱିକେଟ୍‌ରେ ୧ ମିନିଟ୍‌ କୋହଳ କରାଯିବାର ନିୟମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.