Asia Cup: ଟସ୍ ଜିତି ହଂକଂର ବୋଲିଂ ନିଷ୍ପତ୍ତି, ହାର୍ଦ୍ଦିକଙ୍କୁ ବିଶ୍ରାମ, ଋଷଭ ପନ୍ତଙ୍କୁ ମିଳିଲା ସୁଯୋଗ

Published By : Prameya-News7 Bureau | August 31, 2022 IST

ଦୁବାଇ:  ଏସିଆ କପରେ ବୁଧବାର ମୁହାଁମୁହିଁ ହେବେ ଭାରତ ଓ ହଂକଂ । ଉଭୟ ଦଳ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ଓ୍ୱିକେଟରେ ମାତ୍ ଦେଇଛି । ଏବେ ସବୁଠୁ ଦୁର୍ବଳ ଦଳ ଭାବେ ପରିଗଣିତ ହୋଇଥିବା ହଂକଂକୁ ମାତ୍ ଦେଇ ଭାରତ ସୁପର ୪ରେ ପ୍ରବେଶ କରିବାକୁ ପ୍ରୟାସ କରିବ । ଏହି ମୁକାବିଲାରେ ଟସ୍ ଜିତି ହଂକଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଓ୍ଵିକେଟ୍ କିପର ଋଷଭ ପନ୍ତଙ୍କୁ ସାମିଲ୍ କରାଯାଇଛି।

ମୁକାବିଲାରେ କେଏଲ ରାହୁଲଙ୍କୁ ବଡ ଇନିଂସ ଖେଳିବା ପାଇଁ ସୁଯୋଗ ମିଳିବ । ତେବେ ଭାରତ ପାଇଁ ଏହି ମୁକାବିଲା ନେଟ୍ ପ୍ରାକ୍ଟିସ୍ ଭଳି ହେବ । ହଂକଂର ଅଧିକାଂଶ ଖେଳାଳି ଭାରତ ଓ ପାକିସ୍ତାନ ବଂଶୋଦ୍ଭବ ଅଟନ୍ତି । ଏମାନେ ଭାରତରେ ପ୍ରଥମ ଶ୍ରେଣୀ ଟିମରେ ସ୍ଥାନ ପାଇନଥିଲେ । କେଏଲ ରାହୁଲ ଚଳିତ ବର୍ଷ ପ୍ରଥମ ଟି୨୦ରେ ପାକିସ୍ତାନ ବିପକ୍ଷରେ ମୁକାବିଲା ଖେଳିଥିଲେ । ସେ ଓ ରୋହିତ ହଂକଂ ବିପକ୍ଷରେ ବଡ ପାଳି ଖେଳିବେ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଭାରତ ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିପାରିବ ।

ସେହିପରି ବିରାଟ ହଂକଂ ବିପକ୍ଷରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି । ସେ ଦୀର୍ଘଦିନ ଧରି ବଡ ସ୍କୋର କରିବାରେ ବିଫଳ ହେଉଛନ୍ତି । ପାକିସ୍ତାନ ବିପକ୍ଷରେ କିଛି ଖାସ୍ କରିପାରିନଥିବା ରୋହିତ ମଧ୍ୟ ଭଲ ପାଳି ଖେଳିବେ ବୋଲି ଆଶା କରାଯାଉଛି । ତେବେ ଜାଡେଜାଙ୍କୁ ଦଳ ଆଜି କେଉଁ ନମ୍ବରରେ ଓହ୍ଲାଉଛି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

ଅନ୍ୟପକ୍ଷରେ ହଂକଂ ପାଖରେ ପାକିସ୍ତାନ ଭଳି ବୋଲର ନାହାଁନ୍ତି । କିନ୍ତୁ ଦଳକୁ ଦୁର୍ବଳ ଭାବିହେବ ନାହିଁ । କାରଣ ଏକ ଅଜଣା ଟିମର ପ୍ରଦର୍ଶନକୁ ନେଇ ଅନୁମାନ ଲଗାଯାଇ ପାରିବ ନାହିଁ । ଭାରତୀୟ ଅଧିନାୟକ ରୋହିତ ସ୍ପଷ୍ଟ ଭାବେ ଟିମରେ ନୂଆ ନୂଆ ଏକ୍ସପେରିମେଣ୍ଟ କରିବେ ବୋଲି କହିସାରିଛନ୍ତି । ଯଦି କୌଣସି ବଡ ପରିବର୍ତ୍ତନ ହୁଏ ତେବେ ଏଥିରେ ଚକିତ ହେବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଭାରତ

ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର,  ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।

ହଂକଂ ଦଳ

ନିଜାକତ ଖାନ(ଅଧିନାୟକ), ୟାସିମ ମୁର୍ତ୍ତାଜା, ବାବର ହୟାତ, କିଞ୍ଚିତ ଶାହ, ଅଇଜାଜ ଖାନ, ସ୍କଟ୍ ମ୍ୟାକକେନିଏ(ଓ୍ଵିକେଟ୍ କିପର), ଜିଶାନ ଅଲ୍ଲୀ, ହାରୁନ ଅରଶଦ, ଏହସାସ ଖାନ, ଆୟୁଷ ଶୁକ୍ଳା, ମହମ୍ମଦ ଘଜନାଫର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.