ଅଡୁଆରେ ପିସିବି, ତାରକା ଖେଳାଳି କହିଲେ- ଏସିଆ କପ୍ ପାକିସ୍ତାନରୁ ସ୍ଥାନାନ୍ତର କରିବା ଠିକ୍ ନିଷ୍ପତ୍ତି ହେବ
7/02/2023 at 4:21 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ମଧ୍ୟରେ ଏସିଆ କପ୍ ୨୦୨୩କୁ ନେଇ ଚର୍ଚ୍ଚା ଲଗାତାର ଜାରି ରହିଛି। ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରି ଦେଇଛି। ଏହାକୁ ନେଇ ପାକିସ୍ତାନ କ୍ଷୁବ୍ଧ। ତେବେ ପାକିସ୍ତାନକୁ ଏବେ ଲାଗିଛି ବଡ ଝଟକା। ନିଜ ଦଳର ଖେଳାଳି ହିଁ ହୃଦୟଙ୍ଗମ କରିଛନ୍ତି ଯେ, ଏସିଆ କପ୍ ଅନ୍ୟତ୍ର ହେବା ଉଚିତ୍।
ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ କହିଛନ୍ତି, ଯଦି ଏସିଆ କପ୍ ୨୦୨୩କୁ ସ୍ଥାନାନ୍ତର କରାଯାଏ ତେବେ ଏହା କ୍ରିକେଟ୍ ପାଇଁ ଭଲ ନିଷ୍ପତ୍ତି ହେବ। ରଜାକ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହୋଇ ପାରୁଛି। ଯଦି ଏସିଆ କପ୍ ଦୁବାଇ କିମ୍ବା ଅନ୍ୟ କୌଣସି ଦେଶ ସ୍ଥାନାନ୍ତର ହୁଏ ତେବେ ଏହା ସବୁ ଦୃଷ୍ଟିରୁ ଭଲ ରହିବ।
ସେ ଏହା ମଧ୍ୟ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବା କ୍ରିକେଟ୍ ଏବଂ କ୍ରିକେଟ୍ ଖେଳାଳିଙ୍କ ପାଇଁ ଜରୁରୀ ଅଟେ। ଯଦି ଟୁର୍ଣ୍ଣାମେଣ୍ଟ ବାତିଲ୍ ହେବ ତେବେ ତାହା ସଭିଙ୍କ ପାଇଁ କ୍ଷତିକାର ହେବ। ତେଣୁ ବିସିସିଆଇ ଏବଂ ପିସିବିକୁ ଏକାଠି ବସି ବିବାଦର ସମାଧାନ କରିବା ଉଚିତ୍। ଯଦ୍ଵାରା ଏସିଆ କପ୍ ବିବାଦ ସମାପ୍ତ ହେବ।
ଆମର ବହୁତ କ୍ଷତି ଘଟିବ
ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଖାଲିଦ ମେହମୁଦ କହିଛନ୍ତି, ଆଇସିସିକୁ ନିଜ ଶକ୍ତିର ବ୍ୟବହାର କରିବା ଉଚିତ୍ ଏବଂ ବିସିସିଆଇକୁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ କହିବା ଉଚିତ୍। ଯଦି ଆମେ ବିନା ଭାରତୀୟ ଦଳରେ ଏସିଆ କପ୍ର ଆୟୋଜନ କରିବୁ ତେବେ ଅନେକ ପ୍ରାୟୋଜକ ପଛଘୁଞ୍ଚା ଦେବେ ଏବଂ ଆମକୁ ବ୍ୟାଡକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ।