ଏସିଆ କପ : ଆଜିଠୁ ସୁପର ୪ ମ୍ୟାଚ,ଭାରତ ଓ ବାଂଲାଦେଶ ମୁକାବିଲା
21/09/2018 at 1:48 PM

ଏସିଆ କପ ଗ୍ରୁପ ମ୍ୟାଚ ସରିବା ପରେ ଆଜିଠାରୁ ସୁପର-୪ ମ୍ୟାଚ ଆରମ୍ଭ ହୋଇଛି | ଆଜି ସୁପର-୪ ଶୃଙ୍ଖଳାର ଭାରତ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ | ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ଭାରତୀୟ ସମୟ ଅପରାହ୍ନ ୫ଟାରେ ଆରମ୍ଭ ହେବ | ଆଜି ଅନ୍ୟ ଏକ ମ୍ୟାଚରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ |
ଏସିଆ କପ ଗ୍ରୁପ ମ୍ୟାଚରେ ଭାରତ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି | ପ୍ରଥମ ମ୍ୟାଚରେ ହଂକଂ ସହିତ କଡା ମୁକାବିଲା ସତ୍ୱେ ଭାରତ ବିଜୟୀ ହୋଇଥିଲା | ସେହିଭଳି ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଥିଲା | ଅନ୍ୟପକ୍ଷରେ ବାଂଲାଦେଶ ଗରିବ-ବି ର ଦୁଇଟି ମ୍ୟାଚ ମଧ୍ୟରୁ ଗୋଟିଏ ହାରିଥିବା ବେଳେ ଗୋଟିଏ ଜିତିଛି | ବାଂଲାଦେଶ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଆଫଗାନିସ୍ଥାନ ଠାରୁ ହାରି ଯାଇଥିଲା |
ଭାରତ ପ୍ଲେଇଂ-୧୧ ରେ ଗୋଟିଏ ପରିବର୍ତ୍ତନ ହେବ | ଆହତ ହୋଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିଛି | ତେଣୁ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ବା ଦୀପକ ସୁଯୋଗ ମିଳିପାରେ | ସୂଚନାଯୋଗ୍ୟ ଯେ, ପାଣ୍ଡ୍ୟାଙ୍କ ଭଳି ଆହତ ହୋଇଥିବାରୁ ଶାରଦୁଲ ଠାକୁର ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ଟୁର୍ଣ୍ଣାମେଣ୍ଟ ଛାଡି ଫେରିବାକୁ ପଡିଛି | ଦଳର ୩ ଜଣ ଆହତ ହେବା କାରଣରୁ ରବୀନ୍ଦ୍ର ଜାଡେଜା, ସିଦ୍ଧାର୍ଥ କୌଲ ଏବଂ ଦୀପକ ଚହରଙ୍କୁ ଦଳରେ ସାମିଲ କରାଯାଇଛି |
ଅପରପକ୍ଷରେ ବାଂଲାଦେଶର ଖେଳାଳି ତାମିମ ଇକବାଲ ମଧ୍ୟ ଆହତ ହେବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି |
ଭାରତର ସବୁ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ଫର୍ମରେ ଅଛନ୍ତି | ଭାରତର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶିଖର ଧୱନ ଗୋଟିଏ ଶତକ କରିପାରିଥିବା ବେଳେ ରୋହିତ ଶର୍ମା ଏବଂ ଅମ୍ବାତି ରାୟୁଡୁ ଅର୍ଦ୍ଧ ଶତକ କରିସାରିଛନ୍ତି | ସେହିଭଳି ଗତ ଦୁଇଟି ମ୍ୟାଚରେ ଦୀନେଶ କାର୍ତ୍ତିକ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିସାରିଛନ୍ତି | ଏହି ୪ ଜଣଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କୁ ଗତ ୨ଟି ମ୍ୟାଚରେ ଖେଳ ପ୍ରଦର୍ଶନରେ ବିଶେଷ ସୁଯୋଗ ମିଳିନାହିଁ |
ତେବେ ବାଂଲାଦେଶର ସ୍ପିନରମାନେ ଭଲ ଫର୍ମରେ ଥିବାରୁ ଭାରତକୁ ଅଡୁଆରେ ପକାଇପାରନ୍ତି ବୋଲି ସମୀକ୍ଷକମାନେ ଆଶଙ୍କା କରୁଛନ୍ତି | ବିଶେଷ କରି ବାଂଲାଦେଶର ସ୍ପିନର ମେହଦି ଦସନ ଏବଂ ସାକିବ ଅଲ ଦସନ ମୁଣ୍ଡ ବଥାର କାରଣ ହୋଇପାରନ୍ତି | ସେହିଭଳି ଦ୍ରୁତ ବୋଲର ମୁସ୍ତାଫିଦୁର ରହେମାନ ମଧ୍ୟ ଆରମ୍ଭ ଓଭର ଗୁଡିକରେ ଘାତକ ସାବ୍ୟସ୍ତ ହୋଇପାରନ୍ତି |
ଭାରତୀୟ ଦଳ:ରୋହିତ ଶର୍ମା (ଅଧିନାୟକ),ଶିଖର ଧାଓ୍ବନ,ଅମ୍ବିତ ରାୟୁଡ଼ୁ, ଦିନେଶ କାର୍ତ୍ତିକ,କେଦାର ଯାଦବ,ମହେନ୍ଦ୍ର ସିଂ ଧୋନୀ,ଦୀପକ ଚାହର,ରବୀନ୍ଦ୍ର ଜାଡ଼େଜା,ଭୁବନେଶ୍ବର କୁମାର,କୁଲଦୀପ ଯାଦବ,ୟୁଜବେନ୍ଦ୍ର ଚହଲ,ଯସପ୍ରିତ ବୁମରାହ,ଲୋକେଶ ରାହୁଲ,ମନୀଷ ପାଣ୍ଡେ, ସିଦ୍ଧାର୍ଥ କୈାଲ ଏବଂ ଖଲିଲ ଅହମଦ।
ବାଂଲାଦେଶ ଦଳ:ମଶରଫ ମୁର୍ତ୍ତଜା(ଅଧିନାୟକ),ଲିଟନ ଦାସ,ଶାକିବ ଅଲ ହାସନ,ମୁସାଫିର ରହିମ୍,ମହମ୍ମୁଲ୍ଲାହ,ମୋସାଜିକ୍ ହୁସେନ୍,ମେହେଦୀ ହସନ,ରୁବେଲ ହୁସେନ,ମୁସ୍ତାଫିଜୁର ରହେମନ,ଅବୁ ହୈଦର,ଆରିଫ ହକ୍,ମୈାମିନୁଲ ହକ୍,ନଜରୁଲ ହୁସେନ ଏବଂ ନଜରୁଲ ଇସ୍ମାଲ।