ନାଟମଣ୍ଡପ ବିମ୍ ରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ଆରମ୍ଭ

Published By : Prameya-News7 Bureau | February 23, 2024 IST

ପୁରୀ 23/02 : ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ନିକଟ ନାଟମଣ୍ଡପ ବିମ୍ ରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ମରାମତି ପାଇଁ ସ୍ୱତନ୍ତ୍ର ଭାବେ ଏକ ଲୁହା ଭାରା ନିର୍ମାଣ କରାଯାଉଛି। ଏହି ଲୁହା ଭାରା ଉପରେ ଏଏସାଆଇ ଅଧିକାରୀ ଓ କାରିଗରମାନେ ଉପସ୍ଥିତ ରହି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାର ସୁରକ୍ଷା ପାଇଁ ଏହି ବିମ୍ ତଳେ ଚାରୋଟି ଷ୍ଟେନଲେସ୍ ଷ୍ଟିଲ ବିମ୍ ଖଞ୍ଜା ଯିବ। ଫଳରେ ଆଗାମୀ ଦିନରେ ନାଟମଣ୍ଡପ ବିମ୍ ରେ ଥିବା ଫାଟ ଅଧିକ କ୍ଷତିଗ୍ରସ୍ତ ହେବନାହିଁ। ଆସନ୍ତା ମାର୍ଚ୍ଚ ୧୯ତାରିଖ ମଧ୍ୟରେ ଏହାର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସଆଇ ଲକ୍ଷ୍ୟ ରଖିଛି। ଅପରାହ୍ନ ୧ଟା ରୁ ସନ୍ଧ୍ୟା ୭ଟା ଯାଏଁ ଏହି ମରାମତି କାର୍ଯ୍ୟ ଜାରି ରହିବ।

{"id":912810,"sizeSlug":"full","linkDestination":"none"}

ତେବେ ନାଟମଣ୍ଡପ ବିମ୍ ମରାମତି ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ଯେଭଳି ବାଧାପ୍ରାପ୍ତ ନହୁଏ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ମହାପ୍ରଭୁଙ୍କ ନୀତିକାନ୍ତିକୁ ସଅଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ନାଟମଣ୍ଡପ ବିମ୍ ର ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରଖାଯାଇ ଆସନ୍ତା ମାର୍ଚ୍ଚ୧୯ ତାରିଖ ଯାଏଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସହ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏଁ ନାଟମଣ୍ଡପର ମରାମତି କରାଯିବ। ତେବେ ନାଟମଣ୍ଡପ ମରାମତି ସମୟରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ନକରିବାକୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ମରାମତି କାର୍ଯ୍ୟ ସନ୍ଧ୍ୟା ୭ଟାରେ ଶେଷ ହେବା ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନଙ୍କୁ ଗରୁଡ଼ ସ୍ତମ୍ଭ ପଛପଟେ ଛଡ଼ା ନଯାଇ ସାତପାହାଚର ଡାହାଣ ପାର୍ଶ୍ଵରେ ସ୍ୱତନ୍ତ୍ର ଲାଇନ୍ କରାଯାଇ ଜୟବିଜୟ ଦ୍ଵାର ଯାଏଁ ଭକ୍ତଙ୍କୁ ଛଡାଯାଉଛି। ତେବେ କିଭଳି ନାଟମଣ୍ଡପ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହୋଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ସେବାୟତ କହିଛନ୍ତି।

Also Read- ଶନିବାର ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ, ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି

ଆଜିଠାରୁ ନାଟମଣ୍ଡପ ବିମ୍ ର ମରାମତି କାର୍ଯ୍ୟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ଅନୁଧ୍ୟାନ କରିବା ପାଇଁ ଏଏସଆଇର ଏକ ଏକ୍ସପୋର୍ଟ ଟିମ୍ ଶ୍ରୀମନ୍ଦିରକୁ ଆସିବେ। ଏହି ଏକ୍ସପୋର୍ଟ ଟିମ୍ ର ମତାମତ ଆଧାରରେ ସମସ୍ତ କାର୍ଯ୍ୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.