ଏମାର ମଠ ଖୋଳିବା ଜାଗାରେ ମିଳିଥିବା ୨ଟି ଭଙ୍ଗା ସିଂହ ମୁର୍ତ୍ତିକୁ ପୁରୀ ଆଞ୍ଚଳିକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କଲା ଏଏସଆଇ
19/05/2022 at 9:46 PM

ପୁରୀ ୧୯/୦୫ : ପୁରୀ ଏମାର ମଠ ଖନନ ସ୍ଥାନରେ ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଦୁଇଟିକୁ ସ୍ଥାନାନ୍ତର କରାଯାଇଛି। ଏଏସଆଇ ପୁରୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟକୁ ଏହି ମୂର୍ତ୍ତିକୁ ନିଆଯାଇଥିବା ବେଳେ ଏହାର ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ମୂର୍ତ୍ତି ସ୍ଥାନାନ୍ତର ବେଳେ ସ୍ଥାନୀୟ କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ତେବେ ଏହି ସିଂହ ମୂର୍ତ୍ତୀ ଦୁଇଟି ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥାଇ ପାରେ ବୋଲି ପୂର୍ବରୁ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଥିଲେ। ସେପଟେ ଐତିହ୍ୟ କିର୍ତ୍ତୀରାଜି ପ୍ରତି ଅବହେଳାକୁ ନେଇ ସିଂହଦ୍ଵାର ଥାନାରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନାଁରେ ଭଏସ ଅଫ କମନ୍ ମ୍ୟାନ୍ ପକ୍ଷରୁ ଏତଲା ଦିଆଯାଇଛି।
ଏଏସଆଇର ୬ ଜଣିଆ ଟିମ୍ ଖନନ ସ୍ଥାନରେ ପହଞ୍ଚିବା ପରେ ଭଙ୍ଗା ସିଂହ ମୂର୍ତ୍ତିକୁ ଦୁଇଟିକୁ ଅଖାରେ ଘୋଡାଇ ଟ୍ରାକ୍ଟର ଯୋଗେ ଏଏସଆଇ ପୁରୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟକୁ ସୁରକ୍ଷିତ ଭାବେ ନେଇଛନ୍ତି। ତେବେ ମୂର୍ତ୍ତି ସ୍ଥାନାନ୍ତର ବେଳେ ସ୍ଥାନୀୟ କିଛି ଲୋକେ ଏହାକୁ ବିରୋଧ କରିଥିଲେ। ସିଂହଦ୍ଵାର ଥାନା ଅଧିକାରୀ ଓ ସିଟି ଡିଏସପିଙ୍କ ବୁଝାସୁଝା ପରେ ବିରୋଧ ହଟିଥିଲା। କିଛିଦିନ ପୂର୍ବରୁ ଏମାର ମଠ ଖନନ ସ୍ଥାନରେ ଭଙ୍ଗା ସିଂହ ମୂର୍ତ୍ତି ପଡ଼ିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଗତ ୧୭ ତାରିଖରେ ଖନନ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିଥିଲା ଏଏସଆଇ ଟିମ୍। ଅନୁଧ୍ୟାନ ସମୟରେ ଏକ ୱଲର ଅବଶିଷ୍ଟାଂଶ ଖନନ ସ୍ଥାନରୁ ମିଳିଥିବା ବେଳେ ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ ବୋଲି କହିଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ।

ସେପଟେ ଏଏସଆଇର ଅବହେଳା ଓ ମନମୁଖୀ ବୟାନବାଜିକୁ ନେଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନାଁରେ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ପୁରୀର ଭଏସ ଅଫ୍ କମନ ମ୍ୟାନ ପକ୍ଷରୁ ହେକ୍ଟର ମିଶ୍ର ଏହି ଏତଲା ଥାନାରେ ଦେଇଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ଗତ ୨୯.୦୪.୨୦୨୨ ରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସିଂହ ମୂର୍ତ୍ତିର ଫଟୋଚିତ୍ର ସହ ସତ୍ୟପାଠ ଦାଖଲ ହୋଇଥିଲେ ହେଁ ସିଂହମୂର୍ତ୍ତି ସ୍ଥାନାନ୍ତରଣ ହୋଇନଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏଏସଆଇ ବୈଷୟିକ କମିଟି ଆସି ଅନୁଧ୍ୟାନ କରି ତରବରିଆ ଭାବେ ଏହା ଗଙ୍ଗ ବଂଶର ମୂର୍ତ୍ତି ବୋଲି କହିଥିଲେ। ରେଡିଓମେଟ୍ରିକ ଡେଟିଙ୍ଗ ବିନା ଏହା କେଉଁ ସମୟର ମୂର୍ତ୍ତି ବୋଲି କହିହେବ ନାହିଁ। ରାଜ୍ୟରେ ରେଡିଓମେଟ୍ରିକ ଡେଟିଙ୍ଗର ବ୍ୟବସ୍ଥା ନାହିଁ। ନମୁନା ସଂଗ୍ରହ କରି ପରୀକ୍ଷଣ ପରେ ରିପୋର୍ଟ ଆସିବାକୁ ଅନୁନ୍ୟ ଏକ ସପ୍ତାହ ଲାଗିବ। ଏଭଳି ସ୍ଥଳେ ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ ଭଗ୍ନ ସିଂହ ମୂର୍ତ୍ତିକୁ ଗଙ୍ଗ ବଂଶର ବୋଲି କହି ସାଢେ଼ ଚାରି କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ବିଭ୍ରାନ୍ତ କରିଥିବାରୁ ତୁରନ୍ତ ତାଙ୍କୁ କେନ୍ଦ୍ର ସରକାର ବହିଷ୍କାର କରନ୍ତୁ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି।