କୋଣାର୍କର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଏଏସ୍ଆଇର ଅଜବ ଯୁକ୍ତି
13/02/2020 at 6:09 PM

ଭୁବନେଶ୍ୱର ୧୩।୦୧ – କୋଣାର୍କର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଏଏସ୍ଆଇର ଅଜବ ଯୁକ୍ତି । ମନ୍ଦିରରେ ଏଏସ୍ଆଇ ସାଧାରଣ ପଥର ଲଗାଇଥିଲା ବୋଲି କିଏ ଦେଖିଛି ବୋଲି ପ୍ରଶ୍ନ କରିଛନ୍ତି ଏଏସ୍ଆଇ ଅଧୀକ୍ଷକ । ୧୯୦୩ରେ ଏହି ପଥର ଲାଗିଥିଲା ଏବଂ ସେତେବେଳେ କୋଣାର୍କ ଦାୟିତ୍ବରେ ଏଏସ୍ଆଇ ନଥିଲା ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଏଏସ୍ଆଇ ସାଦା ପଥର ଲଗାଇଥିବାର ପ୍ରମାଣ ମାଗିଛନ୍ତି ସେ । ତେବେ ଏଏସ୍ଆଇର ଏହି ଅଜବ ଯୁକ୍ତି ଏହି ବିଶ୍ବ ଐତିହ୍ୟ ପ୍ରତି ଥିବା ତାର ଅବହେଳାକୁ ପଦାରେ ପକାଇ ଦେଇଛି ।…

ଚାରିଆଡ଼ ଜଳଜଳ ହୋଇ ଦିଶୁଛି । କେଉଁଠି ଭାଙ୍ଗିଯାଇଥିବା ମୂର୍ତ୍ତିକୁ କାଢ଼ିନେଇ ସେମିତି ଛାଡ଼ିଦିଆଯାଇଛି। ଆଉ କେଉଁଠି ନୂଆ ସାଧା ପଥର ଲଗାଇ ଦିଆଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିରର ଏମିତି ଆଧୁନିକ ରୂପ ଦେଖି ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା। ହେଲେ ନିଜର ଦୋଷ ମାନିବାକୁ ପ୍ରସ୍ତୁତ ନୁହେଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ । ଏଏସ୍ଆଇର ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ନ୍ୟୁଜ୍ 7କୁ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ସବୁ ସ୍ଥାନରେ ସାଦା ପଥର ଲାଗିଛି ତାହା ୧୯୦୩ ମସିହାରେ ବ୍ରିଟିଶ ଶାସନ ସମୟରେ ଲଗାଯାଇଥିଲା । ସେ ଓଲଟା ପଚାରିଛନ୍ତି ଏଏସ୍ଆଇ ଏହି ପଥର ଲଗାଇଛି ବୋଲି କଣ ପ୍ରମାଣ ଅଛି ?

କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ସ୍ଥାନରେ ଆଦୌ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ହିଁ କୁଆଡ଼େ ନଥିଲା ।

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବା ସଂପର୍କରେ ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ଯେ ଏ ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀ ନିଷ୍ପତ୍ତି ନେବେ ।୨୦୧୨ରୁ ୨୦୧୭ ମଧ୍ୟରେ କୋଣାର୍କର ବିଭିନ୍ନ ସର୍ଭେ କରାଯାଇଥିଲା । ଏଏସ୍ଆଇ ଅଧିକାରୀ ଆହୁରି କହିଛନ୍ତି ଯେ ଏଏସ୍ଆଇ ସାଦା ପଥର ଲଗାଇଛି ବୋଲି କୌଣସି ପ୍ରମାଣ ନାହିଁ ।ଏନେଇ କାହା ପାଖରେ ପ୍ରମାଣ ନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।…

ଏଏସ୍ଆଇ ଅଧିକାରୀଙ୍କ ଏହି ଯୁକ୍ତି କୋଣାର୍କ ଭଳି ଐତିହ୍ୟର ସୁରକ୍ଷା ପାଇଁ ସଂସ୍ଥାର ଆଭିମୁଖ୍ୟ କଣ ତାହା ପ୍ରମାଣିତ କରୁଛି । ତେବେ ଏଏସ୍ଆଇର ଏହି ଅଜବ ଯୁକ୍ତିର କଡ଼ା ନିନ୍ଦା କରିଛନ୍ତି ବିଶିଷ୍ଟ ସ୍ଥପତି ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ।…
ସେପଟେ ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସଂସ୍କୃତି ସଚିବଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆଜି କୋଣାର୍କ ଗସ୍ତ କରିଛି। ସେଠାରେ କେଉଁଠି କେଉଁଠି କେମିତି ପଥର ଲାଗିଛି ଏସବୁର ଅନୁଧ୍ୟାନ କରିଛି ।