ଇତିହାସ ରଚୁଛି ଭାରତର ଡିଜିଟାଲ ନେଣଦେଣ, ଅଶ୍ୱିନୀ ବୈଷ୍ଣବ କହିଲେ ଆମେରିକା, ବ୍ରିଟେନ, ଜର୍ମାନ ଓ ଫ୍ରାନ୍ସ ବି ପଛରେ
20/01/2023 at 5:24 PM

ଡାଭୋସ ୨୦।୧: ଡିଜିଟାଲ ଟ୍ରାଞ୍ଜାକ୍ସନରେ ଭାରତ ଏବେ ବିଶ୍ୱର ନେତୃତ୍ୱ ନେଉଛି। ୟୁପିଆଇ ଭଳି ଇନୋଭେଟିଭ ଟୁଲର ଆବିଷ୍କାର ପରଠାରୁ ଦେଶରେ ଡିଜିଟାଲ ନେଣଦେଣ ଏତେମାତ୍ରାରେ ବଢି ଯାଇଛି ଯେ ଆମେରିକା, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ପଛେଇ ଯାଇଛନ୍ତି। ଭାରତର ଏହି ଉପଲବ୍ଧି ଏବେ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଅନୁଷ୍ଠିତ ହେଉଥିବା ୱାର୍ଲଜ ଇକୋନମିକ ଫୋରମ (ଡବ୍ଲୁଇଏଫ)ରେ ଚର୍ଚ୍ଚାର ବିଷୟ ପାଲଟିଛି।
ଡବ୍ଲୁଇଏଫର ଏକ ଅଧିବେଶନରେ ଯେତେବେଳେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ବାବଦେ ପଚରା ଗଲା ସେ କହିଛନ୍ତି ଯେ କେବଳ ଗତ ଡିସେମ୍ବର ମାସରେ ଭାରତରେ ଡିଜିଟାଲ ପେମେଣ୍ଟ ଟ୍ରାଞ୍ଜାକ୍ସନ ଦ୍ୱାରା ପାଖାପାଖି ୧୫ଶହ ବିଲିୟନ ଡଲାର ନେଣଦେଣ ହୋଇଥିବା କହିଛନ୍ତି। ଏହା ଆମେରିକା, ବ୍ରିଟେନ, ଜର୍ମାନ ଓ ଫ୍ରାନ୍ସରେ ହୋଇଥିବା ମୋଟ ଡିଜିଟାଲ କାରବାରର ୪ଗୁଣାରୁ ମଧ୍ୟ ଅଧିକ। ଡବ୍ଲୁଏଫଇ ବୈଠକରେ ବୈଷ୍ଣବ ବିଶ୍ୱକୁ ଇଣ୍ଡିଆ ଷ୍ଟେକ୍ ଆପଣେଇବାକୁ ପ୍ରସ୍ତାବ ଦେଇଛନ୍ତି।
India Stack for the world.
— Ashwini Vaishnaw (@AshwiniVaishnaw) January 19, 2023
One Earth. One Family. One Future@Davos #WEF23 pic.twitter.com/2Hr8Jzr1kF
ବୈଷ୍ଣବ କହିଛନ୍ତି ଯେ ଭାରତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବାର୍ତ୍ତା ନେଇ ଆସିଛି ଯେ ଦୁନିଆ ଇଣ୍ଡିଆ ଷ୍ଟେକ୍କୁ ଆପଣଉ । ଏହା ଉଦୀୟମାନ ଦେଶଙ୍କଠାରୁ ଆରମ୍ଭ କରି ଉଦୀୟମାନ କମ୍ପାନୀଙ୍କ ଲାଗି ଏକ ବଢିଆ ଡିଜିଟାଲ ସମାଧାନ ହେବ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ଏହା ଓପନ ସୋର୍ସ ପ୍ଲାଟଫର୍ମ ଆଧାରିତ, ଏଣୁ ଯେ କେହିବି ଏହାର ଫାଇଦା ନେଇ ପାରିବେ। ଇଣ୍ଡିଆ ଷ୍ଟେକ୍କୁ ଆପଣ ଭାରତର ଡିଜିଟାଲ ଚମତ୍କାର ବୋଲି ମଧ୍ୟ କହିପାରନ୍ତି। ଇଣ୍ଡିଆ ଷ୍ଟେକ୍ କେତେଗୁଡିଏ ଓପନ ସୋର୍ସ ଆପର ସମାହାର। ଏହାକୁ ଜନ ସ୍ୱାର୍ଥରେ ଓ ଦେଶର ଏକ ବିଶାଳ ଜନସଂଖ୍ୟାକୁ ଡିଜିଟାଲ ଦୁନିଆ ସହ ଯୋଡିବା ଲାଗି ପ୍ରସ୍ତୁତ କରାଯାଇଛି।
ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ରେଳମନ୍ତ୍ରାଳୟ ମଧ୍ୟ ରହିଛି। ଡବ୍ଲୁଇଏଫ ଅଧିବେଶନରେ ଭାରତରେ ବିକଶିତ ହେଉଥିବା ସେମିକଣ୍ଡକ୍ଟର ଇକୋ ସିଷ୍ଟମ ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୩ ବର୍ଷରେ ଭାରତ ଟେଲିକମ ଡିଭାଇସର ଏକ ବୃହତ୍ତ ଉତ୍ପାଦକରେ ପରିଣତ ହେବ। ଦେଶର ଏହି କ୍ଷେତ୍ରକୁ ୮୭ ବିଲିୟନ ଡଲାରର ନିବେଶ ଆସିଥିବା ବେଳେ ଏହା ଦେଶର ଏକ ବଡ ଇଣ୍ଡଷ୍ଟ୍ରିରେ ପରିଣତ ହୋଇଛି। ଏପରିକି ଆପଲ ଆଇଫୋନ ୧୪ ଏବେ ଭାରତରେ ତିଆରି ହେଉଛି ଓ ସପ୍ଲାଇ ଚେନ୍ ସିଫ୍ଟ ହେଉଛି ବୋଲି ବୈଷ୍ଣବ କହିଛନ୍ତି।