ଅଶ୍ୱିନୀ କୁମାର ହେଲେ ଏମସିଡିର ନୂଆ କମିଶନର

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮।୬:  ଦିଲ୍ଲୀରେ ବରିଷ୍ଠ ବ୍ୟୁରୋକ୍ରାଟଙ୍କ ବଦଳି ପର୍ବ ଆରମ୍ଭ ହୋଇଯାଇଛି। ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରାଳୟ ଦିଲ୍ଲୀ ନଗର ପାଳିକା ପରିଷଦ (ଏନଡିଏମସି) ଅଧ୍ୟକ୍ଷ ଆଇଏଏସ୍ ଅମିତ ଯାଦବଙ୍କ ବଦଳି କରିଦେଇଛନ୍ତି। ସେହିପରି ଦିଲ୍ଲୀ ନଗର ନିଗମ (ଏମସିଡି) କମିଶନର ଜ୍ଞାନେଶ ଭାରତୀଙ୍କର ମଧ୍ୟ ବଦଳି ହୋଇଯାଇଛି। ଗୃହମନ୍ତ୍ରାଳୟ ୧୯୯୨ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଧିକାରୀ ଅଶ୍ୱିନୀ କୁମାରଙ୍କୁ ଏମସିଡି କମିଶନର ନିଯୁକ୍ତ କରିଛନ୍ତି। 

ଏହି ନିଯୁକ୍ତି ସମ୍ପର୍କରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି)ଙ୍କ ମୁଖ୍ୟ ସଚିବଙ୍କୁ ସୂଚିତ କରିଦିଆଯାଇଛି। ଅଶ୍ୱିନୀ କୁମାର ଏବେ ଦିଲ୍ଲୀ ସରକାରଙ୍କ ରାଜସ୍ୱ ବିଭାଗରେ ଆଡିସନାଲ ଚିଫ ସେକ୍ରେଟାରୀ ତଥା ଡିଭିଜିନାଲ କମିଶନର ଅଛନ୍ତି। ଅଶ୍ୱିନୀ କୁମାରଙ୍କୁ ଦିଲ୍ଲୀ ସରକାରକୁ ପଠାଯିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଏମସିଡିର ସ୍ପେଶାଲ ଅଫିସର ନିଯୁକ୍ତ କରାଯାଇଥିଲା। ସେ ଅନେକ ବଡ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନଗର ନିଗମରେ ଏବେ ଆମ ଆଦମୀ ପାର୍ଟିର ଶାସନ ରହିଛି। କମିଶନରଙ୍କ ନିଯୁକ୍ତି ସବୁବେଳେ ଗୃହମନ୍ତ୍ରାଳୟ ହିଁ କରିଥାନ୍ତି। ହେଲେ ବର୍ତ୍ତମାନ ନିଗମର ଅବସ୍ଥା ଏପରି ଯେ ଏବେକା ମେୟରଙ୍କ କାର୍ଯ୍ୟକାଳ ସମାପ୍ତ ହୋଇସାରିଛି କିନ୍ତୁ ନୂଆ ମେୟରଙ୍କ ନିର୍ବାଚନ ମୁଖ୍ୟମନ୍ତ୍ରୀ ଜେଲରେ ରହିବା ଯୋଗୁ ଅଟକି ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୨୧ ଦିନ ପାଇଁ ଅନ୍ତରୀଣ ଜାମିନରେ ଜେଲରୁ ମୁକୁଳିଥିଲେ। ଜାମିନ ଅବଧି ସରିବା ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଜେଲକୁ ଫେରିଯାଇଛନ୍ତି, ହେଲେ ମେୟର ନିର୍ବାଚନ ଫାଇଲରେ କୌଣସି ପ୍ରୋଗ୍ରେସ ହୋଇ ନାହିଁ। 

ଏଣୁ ଏଲଜି କେଜରିୱାଲଙ୍କୁ ଟାର୍ଗେଟ୍ କରିଥିଲେ ଓ କହିଥିଲେ କେବଳ ନିଜ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଇସ୍ତଫା ସ୍ୱୀକାର କରିବା ବ୍ୟତୀତ ସେ ଜାମିନରେ ଥାଇ ଦିଲ୍ଲୀର ଗୋଟିଏବି କାମ କରି ନାହାନ୍ତି। ଦିଲ୍ଲୀ ମେୟର ନିର୍ବାଚନ ଫାଇଲ ରେକମଣ୍ଡ କରି ଏଲଜିଙ୍କୁ ପଠାଇବାକୁ ଥିଲା ତାହା ବି କରି ନାହାନ୍ତି। ଏଣୁ ଏବେ ଦିଲ୍ଲୀ ମେୟର ନିର୍ବାଚନ କରାଇବା ଆମ ଆଦମୀ ପାର୍ଟି ପାଇଁ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.