ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ଆଇପିଏଲ୍ ୨୦୨୪ରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ଗତକାଲି ସମାପ୍ତ ଏଲିମିନେଟର ମୁକାବିଲାରେ ସେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଅଶ୍ଵିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ୨ଟି ଓ୍ଵିକେଟ୍ ନେଇ ଆଇପିଏଲ୍ କ୍ୟାରିୟରରେ ୧୮୦ ଓ୍ଵିକେଟ୍ ପୂରଣ କରିଛନ୍ତି। ଏହା ସହିତ ସେ କୋଲକାତା ନାଇଟ ରାଇଡର୍ସର ସ୍ପିନର ସୁନୀଲ ନାରିନଙ୍କୁ ପଛରେ ପକାଇ ଟପ୍-୫ ବୋଲରରେ ସାମିଲ ହୋଇଛନ୍ତି। ଅଶ୍ଵିନଙ୍କ ଆଗରେ ୟୁଜବେନ୍ଦ୍ର ଚହଲ, ପୀୟୂଷ ଚାଓ୍ଵଲା, ଡ୍ଵେନ ବ୍ରାଭୋ ଓ ଭୁବନେଶ୍ଵର କୁମାର ରହିଛନ୍ତି।
Also read: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବୁନି, ଅଫରକୁ ପ୍ରତ୍ୟାଖ୍ୟାନ କଲେ ଦୁଇ ଭେଟେରାନ୍
ଆର ଅଶ୍ଵିନ ଏ ପର୍ଯ୍ୟନ୍ତ ୨୧୧ ଆଇପିଏଲ୍ ମ୍ୟାଚ୍ ଖେଳି ୨୯.୫୮ ହାରରେ ଏବଂ ୭.୧୦ ଇକୋନମିରେ ୧୮୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୪/୩୪ ରହିଛି। ସେ କେକେଆରର ସୁନୀଲ ନାରାୟଣଙ୍କୁ ପଛରେ ପକାଇଛନ୍ତି। ସୁନୀଲ ୧୭୬ଟି ମ୍ୟାଚ୍ରେ ୨୫.୪୪ ହାରରେ ଏବଂ ୫/୧୯ ସର୍ବଶ୍ରେଷ୍ଠ ବୋଲିଂ ସହ ୧୭୯ ସଫଳତା ହାସଲ କରିଛନ୍ତି।
ଆଇପିଏଲ୍ ଇତିହାସରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ସେ ଏହି ଲିଗରେ ଏକମାତ୍ର ବୋଲର ହିସାବରେ ୨୦୦ରୁ ଅଧିକ ଓ୍ଵିକେଟ୍ ନେଇଛନ୍ତି। ଚହଲ ଆଇପିଏଲ୍ କ୍ୟାରିୟରରେ ୧୫୯ଟି ମ୍ୟାଚ୍ ଖେଳି ୨୦୫ ବ୍ୟାଟରଙ୍କ ଶିକାର କରିଛନ୍ତି। ପୀୟୂଷ ଚାଓ୍ଵଲା ୧୯୨ ଓ୍ଵିକେଟ୍ ସହ ଦ୍ଵିତୀୟ, ଡ୍ଵେନ ବ୍ରାଭୋ ୧୮୩ ଓ୍ଵିକେଟ୍ ସହ ତୃତୀୟ ଏବଂ ଭୁବନେଶ୍ଵର କୁମାର ୧୮୧ ଓ୍ଵିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।