କାବୁଲ ୨୨।୧୨: ଆଫଗାନିସ୍ତାନ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଆଶ୍ରଫ ଗନି ଦ୍ୱିତୀୟବାର ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ତେବେ ପ୍ରଥମରୁ ନିର୍ବାଚନରେ ବାଜିମାତ୍ କରିବେ ବୋଲି ଦାବି କରୁଥିବା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ଅବଦୁଲ୍ଲା ପୁଣି ପରାସ୍ତ ହୋଇଛନ୍ତି। ନିର୍ବାଚନରେ ଗନିଙ୍କୁ ମୋଟ ୯ଲକ୍ଷ ୨୩ ହଜାର ୮୬୮ଟି ଅର୍ଥାତ ମୋଟ ଭୋଟର ୫୦.୬୪ ପ୍ରତିଶତ ଭୋଟ ମିଳିଥିବା ବେଳେ ଅବଦୁଲ୍ଲା ଅବଦୁଲ୍ଲା ୭ ଲକ୍ଷ ୨ ହଜାର ୯୯ଟି ଭୋଟ ପାଇଛନ୍ତି।
ତେବେ ନିର୍ବାଚନ ଫଳାଫଳକୁ ଅବଦୁଲ୍ଲା ଅବଦୁଲ୍ଲା କୋର୍ଟରେ ଚାଲେଞ୍ଜ କରିବେ ବୋଲି ଘୋଷଣା କରିବା ପରେ ଏହି ଫଳାଫଳକୁ ନେଇ ଗନି ଏବେ ରାଷ୍ଟ୍ରପତି ହୋଇପାରିବେ ନାହିଁ। ଆସନ୍ତା ୭ ଦିନ ମଧ୍ୟରେ ପ୍ରତିଦ୍ୱନ୍ଦୀ କୋର୍ଟରେ ତାଙ୍କର ଅଭିଯୋଗ ଦାଖଲ କରିବେ। ପରେ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରପତି ନିର୍ଣ୍ଣୟ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଗତ ସେପ୍ଟେମ୍ବର ମାସ ୨୮ ତାରିଖରେଅନୁଷ୍ଠିତ ଏହି ନିର୍ବାଚନରେ ଗନିଙ୍କୁ ୫୦.୬୪ ପ୍ରତିଶତ ମତ ମିଳିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ୩୯.୫୨ ପ୍ରତିଶତ ଭୋଟ ପାଇ ମଧ୍ୟ ପରାଜୟ ସ୍ୱୀକାର କରୁନାହାନ୍ତି। ତେଣେ ଅବଦୁଲ୍ଲା ଅବଦୁଲ୍ଲା ଏହି ନିର୍ବାଚନକୁ ନକଲି ନିର୍ବାଚନ କହିବା ସହ ଏହାର ଫଳାଫଳକୁ ସ୍ୱୀକାର କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। କେବଳ କୋର୍ଟ ନୁହେଁ ଅନ୍ତର୍ଜାତୀୟ ସମର୍ଥକଙ୍କ ନିକଟରେ ନେଇ ମଧ୍ୟ ସେ ନିର୍ବାଚନ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି।