ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମେ ଅଧ୍ୟକ୍ଷ ପଦରୁ ହେଲେ ବିତାଡିତ, ଏବେ ହାତରୁ ଖସିପାରେ ମୁଖ୍ୟମନ୍ତ୍ରୀ ପଦ, ଗେହଲଟ୍‌ଙ୍କୁ ମହଙ୍ଗା ପଡିଲା ନିଜର ଚାଲାକିପଣ !

29/09/2022 at 6:41 PM

ନୂଆଦିଲ୍ଲୀ: କଥାରେ ଅଛି ଅତି ଲୋଭରୁ ମୃତ୍ୟୁ। ଅଧିକ ଚାଲାକି ନିଜ ପାଇଁ ଘାତକ ହୋଇପାରେ। ଏହି ଉକ୍ତିଟି ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ କ୍ଷେତ୍ରରେ ପ୍ରଯ୍ୟୁଜ। ମୁଖ୍ୟମନ୍ତ୍ରୀ ପଦର ମୋହ ଏବେ ତାଙ୍କୁ ମହଙ୍ଗା ପଡିଛି। ମୁଖ୍ୟମନ୍ତ୍ରୀ ପଦ ସହ ଅଧ୍ୟକ୍ଷ ପଦରେ ରହିବା ନେଇ ତାଙ୍କର ସମସ୍ତ ଚାଲ୍ ବୁମେରା ପାଲଟିଛି। ନିଜର ଅନୁଗତ ବିଧାୟକଙ୍କୁ ନେଇ ରାଜସ୍ଥାନରେ ଯେଉଁ ରାଜନୈତିକ ଡ୍ରାମା କଲେ ତାର ପରିଣାମ ଏବେ ତାଙ୍କୁ ଭୋଗିବାକୁ ପଡିଛି। ଗେହଲଟ୍‌ ଅଧ୍ୟକ୍ଷ ପଦ ହେବାର ସୁଯୋଗ ହରାଇ ସାରିଛନ୍ତି। ଆଉ ଏବେ ହାତରୁ ମୁଖ୍ୟମନ୍ତ୍ରୀ ପଦ ଖସିବାର ସଂଶୟ ଦେଖା ଦେଇଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ଆଗାମୀ ଦୁଇ ଦିନରେ ଏହାର ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି। କାଲି ସନ୍ଧା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ପାଇଲଟ୍‌ଙ୍କୁ ଅତ୍ୟଧିକ ମାତ୍ରାରେ ଘୃଣା କରିବା ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାର ଜିଦ୍ ଗେହଲଟ୍‌ଙ୍କୁ କେତେ ମହଙ୍ଗା ପଡିବ ତାହା ଆଗାମୀ ସମୟ ଜଣା ପଡିବ। ଯେଉଁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସେ ଏତେ ମୋହଗ୍ରସ୍ତ ଥିଲେ, ସେହି ଚୌକି ତାଙ୍କ ପାଖରେ ରହିବ କି ନାହିଁ ସନ୍ଦୀହାନ ଦେଖାଦେଇଛି। ରାଜସ୍ଥାନରେ ସୃଷ୍ଟି ରାଜନୈତିକ ସଙ୍କଟ ପାଇଁ ଦଳର ହାଇକମାଣ୍ଡ ଅଶୋକ ଗେହଲଟ୍‌ଙ୍କ ପ୍ରତି ଖପ୍ପା। ଦିନ ଥିଲା ଗାନ୍ଧୀ ଏବଂ ନେହେରୁ ପରିବାରର ସବୁଠୁ ଅନୁଗତ ଥିବା ଗେହଲଟ୍ ବର୍ତ୍ତମାନ ପାର୍ଟି ହାଇକମାଣ୍ଡଙ୍କ ଆସ୍ଥା ହରାଇଛନ୍ତି। ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇ ନାହିଁ। ସରଳ ଭାଷାରେ କହିବାକୁ ଗଲେ ନିଜ ଜାଲରେ ନିଜେ ଫସିଛନ୍ତି ଗେହଲଟ୍‌।

ଫଳରେ ଦଳରେ ଗେହଲଟ୍‌ଙ୍କ ମୁସ୍କିଲ ବଢିବାରେ ଲାଗିଛି। ବହୁତ କସରତ କରିବା ପରେ ସୋନିଆ ଗାନ୍ଧୀ ତାଙ୍କୁ ଭେଟିବାକୁ ସମୟ ଦେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେଲା,  ହେଲେ ଏଥିରୁ କିଛି ଖାସ୍ ପରିଣାମ ବାହାରି ପାରି ନାହିଁ। ଏହାର ସଙ୍କେତ ଗେହଲଟ୍‌ଙ୍କ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଆବଭାବରୁ ଦେଖିବାକୁ ମିଳିଥିଲା। ସେ ସ୍ଵୀକାର କରିଛନ୍ତି ଯେ, ରାଜସ୍ଥାନରେ ଏମିତି ରାଜନୈତିକ ଡ୍ରାମା ହେବା ଉଚିତ୍ ନଥିଲା। ହାଇକମାଣ୍ଡଙ୍କ ହାତ ଉପରୁ ହଟିବା ପରେ ସେ ଅଧ୍ୟକ୍ଷ ନିର୍ବାଚନରୁ ଓହରି ଯାଇଛନ୍ତି। ଅନ୍ୟପକ୍ଷେ ସଚିନ ପାଇଲଟ୍‌ ମୁଖ୍ୟମନ୍ତ୍ରୀ ହେବା ଦୌଡରେ ରହିଛନ୍ତି। ତେଣୁ ଆଗାମୀ ଦୁଇ ଦିନ ରାଜସ୍ଥାନର ରାଜନୈତିକ ଘଟଣାକ୍ରମ ରୋଚକ ହୋଇପାରେ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାର ଅନ୍ତିମ ନିଷ୍ପତ୍ତି ସୋନିଆ ଗାନ୍ଧୀ ନେବେ।

କଂଗ୍ରେସର ସାଧାରଣ କେସି ବେଣୁଗୋପାଳ କହିଛନ୍ତି, ଦୁଇ ଦିନରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଉପରେ ନିଷ୍ପତ୍ତି ନିଆଯିବ। ଦଳର ହାଇକମାଣ୍ଡ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ଗେହଲଟ୍‌ଙ୍କ ପ୍ରତି ସୋନିଆଙ୍କ ଅସନ୍ତୋଷ ଥଣ୍ଡା ପଡିନଥିବାରୁ ଏହା ସଚିନ ପାଇଲଟ୍‌ଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଅନ୍ୟପକ୍ଷେ ରାଜସ୍ଥାନରେ ଗେହଲଟ୍‌ ସମର୍ଥକ ଏହି ଜିଦ୍‌ରେ ଅଟଳ ଯେ, ଯଦି ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ସମସ୍ତ ବିଧାୟକ ଇସ୍ତଫା ଦେବେ। ସମସ୍ତ ଘଟଣାକ୍ରମ ମଧ୍ୟରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଇଦାନରେ ଅଛନ୍ତି ଦିଗବିଜୟ ସିଂହ ଏବଂ ଶଶି ଥରୁର। ତେବେ କେସି ବେଣୁଗୋପାଳ ପ୍ରାର୍ଥୀ ପତ୍ର ଦାଖଲ କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

   Related Posts