ଗେହଲଟ୍‌ଙ୍କୁ ମିଳିବ ବିଦ୍ରୋହର ସଜା, ଅଧ୍ୟକ୍ଷ ପଦ ଦୌଡରୁ ହଟାଇବାକୁ CWCର ଦାବି

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ଅଧ୍ୟକ୍ଷ ହେଲେ ତାଙ୍କର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ରାଜନୀତି ସରଗରମ ରହିଛି। ରାଜସ୍ଥାନରେ ବର୍ତ୍ତମାନ ରାଜନୈତିକ ସଙ୍କଟ ଉପୁଜିଛି। ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ନହଟାଇବାକୁ ଦାବି କରୁଛନ୍ତି ତାଙ୍କର ସମର୍ଥକ ବିଧାୟକ। ଏହା ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି(CWC) ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଦୌଡରୁ ଗେହଲଟଙ୍କ ନାମ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସିଡବ୍ଲ୍ୟୁସିର କହିବା କଥା ଗେହଲଟଙ୍କ ପରିବର୍ତ୍ତେ ଅଧ୍ୟକ୍ଷ ପଦ ପାଇଁ ଆଉ କାହାକୁ ପ୍ରାର୍ଥୀ କରାଯାଉ।

ରାଜସ୍ଥାନର ସଦ୍ୟତମ ଘଟଣାକ୍ରମ ଏବଂ ଗେହଲଟ ଗୋଷ୍ଠୀର ବିଧାୟକଙ୍କ ଆଚରଣରେ ସିଡବ୍ଲ୍ୟୁସି ସଦସ୍ୟ ଖପ୍ପା ଅଛନ୍ତି। ଗେହଲଟ ଗୋଷ୍ଠୀଙ୍କ ବିରୋଧରେ ପାର୍ଟି ପ୍ରମୁଖଙ୍କ ନିକଟରେ ଅଭିଯୋଗ କରାଯାଇଛି। ସିଡବ୍ଲ୍ୟୁସି ସଦସ୍ୟଙ୍କ କହିବା କଥା ଗେହଲଟ୍‌ଙ୍କ ଉପରେ ବିଶ୍ଵାସ କରିବା ଏବଂ ପାର୍ଟିର ଦାୟିତ୍ଵ ଦେବା ଠିକ୍ ହେବ ନାହିଁ। ପାର୍ଟିର ଶୀର୍ଷ ନେତୃତ୍ଵ ଦଳର ଅଧ୍ୟକ୍ଷ ପଦରେ ପ୍ରାର୍ଥୀ ପାଇଁ ପୁଣି ଥରେ ବିଚାର କରିବା ଉଚିତ୍।

ସିଡବ୍ଲ୍ୟୁସିର ସଦସ୍ୟ ଏମିତି ଅନ୍ୟ କୌଣସି ନେତାଙ୍କୁ ପାର୍ଟିର ଅଧ୍ୟକ୍ଷ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି ଯିଏ ଗାନ୍ଧୀ ପରିବାର ପ୍ରତି ବିଶ୍ଵସ୍ତ ଥିବେ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜସ୍ଥାନ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ୯୨ ବିଧାୟକ ଗେହଲଟଙ୍କ ସମର୍ଥନରେ ଇସ୍ତଫା ଦେଇଛନ୍ତି। ହାଇକମାଣ୍ଡଙ୍କ ପକ୍ଷରୁ ବିଧାୟକ ଦଳର ବୈଠକ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ  ଅଜୟ ମାକନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଉଭୟ ଦୂତ ବିଧାୟକଙ୍କ ସହ ଆଲୋଚନା କରି ଗେହଲଟ୍‌ ଗୋଷ୍ଠୀଙ୍କୁ ମନାଇବାରେ ବିଫଳ ହୋଇଛନ୍ତି। ଅଜୟ ମାକନ ଦିଲ୍ଲୀ ଫେରିବା ପୂର୍ବରୁ ମିଡିଆ ସାମ୍ନାରେ ଖୋଲାଖୋଲି ସମସ୍ତ କଥା ରଖିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ଯାହା ସବୁ ଘଟୁଛି ତାହା ସବୁ ଅନୁଶାସନହୀନତା।

ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକ ଦଳର ବୈଠକ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାସଭବନରେ ହେବାର ଥିଲା। ମାତ୍ର ଏହା ପୂର୍ବରୁ ଅଶୋକ ଗେହଲଟ୍‌ ଗୋଷ୍ଠୀର ବିଧାୟକମାନେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଶାନ୍ତି ଧାରିଓ୍ଵାଲଙ୍କ ବାସଭବନରେ ବୈଠକ ବସିଛି। ଏହା ପରେ ଜଣେ ପରେ ଜଣେ ବିଧାୟକ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ବାସଭବନରେ ପହଞ୍ଚି ନିଜର ଇସ୍ତଫା ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.