ଆଦାନୀଙ୍କ ସହ ଡିଲ କରି ଖୁସ୍ ଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ, ରାହୁଲଙ୍କ ବୟାନରେ ପାଣି ହୋଇଗଲା ଖୁସି

Published By : Prameya-News7 Bureau | October 08, 2022 IST

ଜୟପୁର ୮।୧୦: ରାଜସ୍ଥାନରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଇନଭେଷ୍ଟମେଣ୍ଟ ମିଟ୍’ ଶନିବାର ଉଦଯାପିତ ହୋଇଛି। ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଛନ୍ତି। ଏହି ଅବସରରେ ସେ ଦେଶର ବିଭିନ୍ନ ଭାଗରୁ ଆସିଥିବା ବ୍ୟବସାୟୀ ଓ ଉଦ୍ୟୋଗ ଗୃହମାନେ ରାଜସ୍ଥାନ ସରକାରଙ୍କ ଉପରେ ଭରସା କରି ୧୧ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଥିବା କହିଛନ୍ତି। ଏହି ସୂଚନା ଦେଇ ଗେହଲୋଟ ବେଶ୍ ଖୁସ୍ ଥିବା ବେଳେ ରାହୁଲ ଗାନ୍ଧିଙ୍କ ଏକ ବୟାନ ତାଙ୍କ ଖୁସିକୁ ପାଣି କରିଦେଇଛି।

ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୁକ୍ରବାର ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ଯୋଡି ଅଧିକ ଭାଇରାଲ କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ମ୍ୟାଟରକୁ ନେଇ ଶନିବାର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ରାହୁଲ କହିଛନ୍ତି ଯେ ଗୌତମ ଆଦାନୀ ରାଜସ୍ଥାନରେ ୬୫ ହଜାର କୋଟି ଟଙ୍କା ନିବେଶ କରିବେ। ଏହା ବାସ୍ତବିକ କୌଣସି ମୁଖ୍ୟମନ୍ତ୍ରୀଙ୍କ ଲାଗି ଖୁସିର କଥା। ତେବେ ଏ ବାବଦେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମୁଁ ସତର୍କ କରିଦେବାକୁ ଚାହୁଁଛି ଯେ ଯଦି ତ୍ରୁଟି ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ଏପରି କିଛି କରୁଥାନ୍ତି ତେବେ ମୁଁ ଏହାର ଘୋର ବିରୋଧ କରିବି। ରାହୁଲଙ୍କ ଏହି ବୟାନ ଆସିବା ପରେ ଅଶୋକ ଗେହଲୋଟଙ୍କ ମୁହଁ ବନ୍ଦ ହୋଇଯାଇଛି। ଏହା ପରେ ଗେହଲୋଟ କୌଣସି ବୟାନବାଜୀ କରି ନାହାନ୍ତି।

ରାହୁଲ କହିଛନ୍ତି ଯେ ଆମେ ବିଜନେସ୍‌ ଅଥବା ଅନ୍ୟ ଇନଭେଷ୍ଟମେଣ୍ଟକୁ ବିରୋଧ କରୁନୁ। ତେବେ ଏଥିଲାଗି ଯେଉଁ ରାସ୍ତା ଅବଲମ୍ବନ କରାଯାଉଛି ତାହା ଠିକ୍ ହେବା ଦରକାର। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଓ ଗୌତମ ଆଦାନୀଙ୍କ ଫଟୋ ସହ ଅଶୋକ ଗେହଲୋଟଙ୍କ ଫଟୋ ଏବେ ଅଲଗା ଅଲଗା ଟେକ୍ସଟ ଓ ଡାୟଲଗରେ ଭାଇରାଲ ହେଉଛି। ଏହି ଭାଇରାଲ ମ୍ୟାସେଜ ପରେ କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା ଚଳାଇଥିବା ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ରାହୁ ଦେଇଥିବା ବୟାନର ଏବେ ଅଲକା ଅଲଗା ଅର୍ଥ ବାହାର କରାଯାଉଛି।

ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ରାଜସ୍ଥାନରେ ଅମିତ ଶାହ ଅଥବା ତାଙ୍କ ପୁଅ ଜୟ ଶାହ ହୁଅନ୍ତୁ ବା ଅନ୍ୟ କେହି ବ୍ୟବସାୟୀ ଯିଏବି ହୁଅନ୍ତୁ ନା କାହିଁକି  ରାଜ୍ୟରେ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଥିଲେ ସେମାନଙ୍କ ଲାଗି ଦ୍ୱାର ଖୋଲା ଅଛି ବୋଲି ଗଣମାଧ୍ୟମକୁ କହିଥିଲେ। ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ବି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.