ଅଶୋକ ଗେହଲୋଟ କହିଲେ ଅନ୍ୟ ପାର୍ଟିଙ୍କୁ ଚାନ୍ଦା ଦେବାକୁ ଡରୁଛନ୍ତି ଲୋକେ, ନିର୍ବାଚନର ବଣ୍ଡର ୯୫ ପ୍ରତିଶତ ଯାଉଛି ବିଜେପିକୁ

Published By : Prameya-News7 Bureau | October 29, 2022 IST

ସୁରଟ ୨୯।୧୦: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ନିର୍ବାଚନ ଚାନ୍ଦାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଆମ ଦେଶରେ ରାଜନୈତିକ ଚାନ୍ଦା ଉପରେ ମଧ୍ୟ ଗୋଟିଏ ପାର୍ଟି ନିଜର ଏକାଧିପତ୍ୟ ବିସ୍ତାର କରି ରଖିଛି। ୯୫ ପ୍ରତିଶତ ଚାନ୍ଦା ବିଜେପିକୁ ଯାଉଥିବାର ସେ ଅଭିଯୋଗ କରିଛନ୍ତି। ଦାତାମାନେ ଅନ୍ୟ ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାକୁ ଡରୁଥିବା ସେ କହିଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସୁରଟରେ ପ୍ରଚାର ଅଭିଯାନ ଲାଗି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗେହଲୋଟ ଏହା କହିଛନ୍ତି। କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଙ୍କୁ  କର୍ପୋରେଟ ଓ ଉଦ୍ୟୋଗ ଗୃହମାନେ ଚାନ୍ଦା ଦେବାକୁ ଆଗ୍ରହୀ ଥିଲେ ମଧ୍ୟ ବିଜେପିର ଧମକରେ ସେମାନେ ପଛ ଘୁଞ୍ଚା ଦେଉଥିବା ଗେହଲୋଟ କହିଛନ୍ତି। ଗେହଲୋଟ କହିଛନ୍ତି ଯେ ଯଦି ଅନ୍ୟ ପାର୍ଟିମାନଙ୍କୁ କେହି ଦାନ ଦେଉଛନ୍ତି ତେବେ ସେମାନଙ୍କ ଦ୍ୱାରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ (ଆଇଟି)ଙ୍କୁ ପଠାଇ ଦିଆଯାଉଛି।

ତେବେ ପାର୍ଟି ଚାନ୍ଦା ଉପରେ ଏକାଧିପତ୍ୟ ବିସ୍ତାର କରିଥିବା ବିଜେପି କୋଟି କୋଟି ଟଙ୍କା ଠୁଳ କରିଥିବା ବେଳେ ସାରା ଦେଶରେ ଫାଇଭଷ୍ଟାର ପାର୍ଟି କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ କରୁଛି। ଦେଶରେ ନିର୍ବାଚନୀ ବଣ୍ଡ ଆରମ୍ଭ କରାଯିବା ପରଠାରୁ ୯୫ ପ୍ରତିଶତ ବିଜେପି ଖାତାକୁ ଯାଉଥିବା ସେ କହିଛନ୍ତି। ଦାନକର୍ତ୍ତାମାନେ ଡରରେ ଅନ୍ୟ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଉ ନଥିବା ସେ କହିଛନ୍ତି। ଏହି ଚାନ୍ଦାରେ ବିଜେପି ଏକ ମଡେଲ ମଧ୍ୟ ଉପସ୍ଥାପନ କରିଛି। ଚାନ୍ଦା ଲବ୍ଧ ଅର୍ଥକୁ ଅଣ ବିଜେପି ଶାସିତ ରାଜ୍ୟରେ ସରକାର ଭାଙ୍ଗିବା ଲାଗି ଉପଯୋଗ କରୁଛି ବୋଲି ସେ କହିଛନ୍ତି।

{"id":702002,"width":840,"height":551,"sizeSlug":"full","linkDestination":"none"}

ଗେହଲୋଟ ବିଜେପିକୁ ଫାଶିବାଦ ରାଜନୈତିକ ଦଳ ବୋଲି କହିଛନ୍ତି। ଏହି ପାର୍ଟି କୌଣସି ନୀତି, କାର୍ଯ୍ୟକ୍ରମ ଅଥବା ସିଦ୍ଧାନ୍ତ ବଦଳେ ଧାର୍ମିକ ଆଧାରରେ ନିର୍ବାଚନ ଜିତୁଥିବା କହିଛନ୍ତି। ଗୁଜରାଟ ମହାତ୍ମା ଗାନ୍ଧିଙ୍କ ଭୂମି, ହେଲେବି ଏଠାରେ ହିଂସା ଓ ଅଶାନ୍ତିର ପରିବେଶ ରହିଛି। ଏପରି ପରିସ୍ଥିତି କୌଣସି ଦେଶର ଗଣତନ୍ତ୍ର ଲାଗି ବାସ୍ତବିକ ଚିନ୍ତାଜନକ ବୋଲି ଗେହଲୋଟ କହିଛନ୍ତି। ସମାଜର ସବୁ ବର୍ଗ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ସେ କହିଛନ୍ତି। ଏଣୁ ଏବେ ସରକାରକୁ ହଟାଇବାର ସମୟ ଆସିଯାଇଥିବା ବେଳେ କଂଗ୍ରେସ ରାଜ୍ୟରେ ସରକାର ଗଢିବାକୁ ପ୍ରସ୍ତୁତ ବୋଲି ଗେହଲୋଟ କହିଛନ୍ତି।

ସେହିପରି ଆମଆଦମୀ ପାର୍ଟି ସଂଯୋଜକଙ୍କ ବିରୋଧରେ ମଧ୍ୟ ଉଦଗାରିଛନ୍ତି ବରିଷ୍ଠ କଂଗ୍ରେସ ପର୍ଯ୍ୟବେକ୍ଷକ। ଜାତୀୟ ସଂଯୋଜକ କେଜରିୱାଲ ମିଡିଆକୁ ନିୟନ୍ତ୍ରିତ କରୁଥିବାର ଅଭିଯୋଗ କରିଛନ୍ତି। ତାଙ୍କ ଟିଭି ସାକ୍ଷାତକାର ମଧ୍ୟ ଏକ ନାଟକ ବୋଲି ଗେହଲୋଟ କହିଛନ୍ତି। କେଜରିୱାଲ ମଧ୍ୟ ଯାହା କରୁଛନ୍ତି ତାହା ଗଣତନ୍ତ୍ର ଲାଗି ବିପଦଜନକ ବୋଲି କହିଛନ୍ତି ଗେହଲୋଟ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.