ରାଜସ୍ଥାନ କଂଗ୍ରେସରେ ହାଇଡ୍ରାମା; କୋର୍ଟଙ୍କ ରାୟ ପୂର୍ବରୁ ଇସ୍ତଫା ଫେରାଇ ନେଲେ ଗେହେଲଟ୍ ଗୋଷ୍ଠୀ ବିଧାୟକ
31/12/2022 at 11:13 PM

ଜୟପୁର: ରାଜସ୍ଥାନ କଂଗ୍ରେସକୁ ଆଶ୍ବସ୍ତି । ଇସ୍ତଫା ପତ୍ର ଫେରାଇ ନେବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଷ୍ଠୀ ବିଧାୟକ । ଅଦାଲତ ରାୟ ଶୁଣାଣି କରିବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ କଂଗ୍ରେସରେ ଏଭଳି ଦେଖିବାକୁ ମିଳିଛି ।
ରାଜସ୍ଥାନ କଂଗ୍ରେସରେ ରାଜନୈତିକ ହାଇଡ୍ରାମା ଏବେ ନୂଆ ରୂପ ନେଇଛି । ରାଜନୈତିକ ଘଟଣାକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖାସ୍ ବିଧାୟକ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି । ରାଜସ୍ଥାନ ହାଇକୋର୍ଟଙ୍କ ପ୍ରତିକୂଳ ରାୟରୁ ବଞ୍ଚିବା ପାଇଁ ଏମଏଲଏ ମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ଡିସେମ୍ବର ୬ତାରିଖରେ ରାଜସ୍ଥାନ ହାଇକୋର୍ଟ, ବିଧାନସଭା ଅଧ୍ୟକ୍ଷ ସିପି ଯୋଶିଙ୍କ ବିରୋଧରେ ବିପକ୍ଷ ଦଳ ଉପନେତା ରାଜେନ୍ଦ୍ର ରାଥୋର ଦାଖଲ କରିଥିବା ଜନସ୍ବାର୍ଥ ମାମଲା ଉପରେ ନୋଟିସ୍ ଜାରି କରିଥିଲେ । ୨୫ ସେପ୍ଟେମ୍ବରରେ କଂଗ୍ରେସର ୯୧ଜଣ ବିଧାୟକ ଦେଇଥିବା ଇସ୍ତଫା ଉପରେ କାହିଁକି ନିଷ୍ପତ୍ତି ନିଆଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏନେଇ ତିନି ସପ୍ତାହରେ ମଧ୍ୟରେ ଜବାବ ଦାଖଲ କରିବାକୁ କହିଥିଲେ । ହେଲେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଧାୟକମାନେ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି ।
ଗତ ସେପ୍ଟେମ୍ବରରେ ଅଶୋକ ଗେହଲଟଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭାଗ ନେବାକୁ ଦଳ ପକ୍ଷରୁ କୁହାଯାଇଥିଲା । ବରିଷ୍ଠ ନେତା ସଚିନ୍ ପାଇଲଟଙ୍କୁ ରାଜସ୍ଥାନ ଦାୟିତ୍ବ ଦେବା ନେଇ ଅନୁମାନ କରାଯାଉଥିଲା । ହେଲେ ପାଇଲଟ୍ ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରିଥିଲେ ଗେହଲଟ୍ ଗୋଷ୍ଠୀ । ୨୫ ସେପ୍ଟେମ୍ବରରେ ମନ୍ତ୍ରୀ ଶାନ୍ତି ଧାରିଓ୍ବାଲଙ୍କ ଘରେ ୯୦ରୁ ଅଧିକ ବିଧାୟକ ଡେରା ପକାଇଥିଲେ । ବୈଠକ ପରେ ସମସ୍ତ ବିଧାୟକ ଇସ୍ତଫା ପତ୍ରରେ ଦସ୍ତଖତ କରିଥିଲେ । ଏବେ ସ୍ବଇଚ୍ଛାରେ ବିଧାୟକମାନେ ଇସ୍ତଫା ଫେରାଇ ନେଇଥିବା କହିଛନ୍ତି ।