ରାଜସ୍ଥାନରେ ନିଜର ଉତ୍ତରାଧିକାରୀ ଚୟନ କଲେ ଅଶୋକ ଗେହଲଟ୍, ମୁଖ୍ୟମନ୍ତ୍ରୀ କରିବାକୁ ସୋନିଆଙ୍କୁ କଲେ ସୁପାରିଶ

Published By : Prameya-News7 Bureau | September 22, 2022 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଉଥିବା ନେତାଙ୍କୁ ଗୁରୁବାର ପରାମର୍ଶ ଦେଇ କହିଛନ୍ତି, ସେମାନଙ୍କୁ ମନେ ରଖିବାକୁ ପଡିବ ଯେ ଏହା ମାତ୍ର ଏକ ପଦ ନୁହେଁ ବରଂ ବିଶ୍ଵାସର ପରମ୍ପରା ଏବଂ ବୈଚାରିକ ଦାୟିତ୍ଵ। ଅଶୋକ ଗେହଲଟଙ୍କ ଅଧ୍ୟକ୍ଷ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ରହିବା ପ୍ରଶ୍ନ ଉପରେ ରାହୁଲ ରୋକ୍ ଠୋକ୍ ଜବାବ ଦେଇଛନ୍ତି। ସେ କହିଛନ୍ତି ମୁଁ ଜଣେ ବ୍ୟକ୍ତି ଗୋଟିଏ ପଦ ନୀତିରେ କାଏମ ଅଛି। ଏହାର ପ୍ରତିଶ୍ରୁତି ଆମେ ଉଦୟପୁରରେ ଦେଇଥିଲୁ। ଏବେ ରାହୁଲ ଗାନ୍ଧୀଙ୍କ ବୟାନରୁ ସ୍ପଷ୍ଟ ଯେ, କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଗେହଲଟଙ୍କ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ରହିବା ମୁସ୍କିଲ ହୋଇଯିବ। ତେବେ ଚର୍ଚ୍ଚା ଚାଲିଛି ଯେ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ତାଙ୍କର ଉତ୍ତରାଧିକାରୀଙ୍କ ନାମ ସୋନିଆ ଗାନ୍ଧୀଙ୍କୁ ସୁପାରିଶ କରିଛନ୍ତି।

କଂଗ୍ରେସର ସୂତ୍ର ଅନୁଯାୟୀ, ବୁଧବାର ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ଅଶୋକ ଗେହଲଟ ସିପି ଯୋଶୀଙ୍କୁ ତାଙ୍କର ଉତ୍ତରାଧିକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଗେହଲଟଙ୍କୁ ଲାଗୁଛି ଯେ ସିପି ଯୋଶୀଙ୍କ ଜରିଆରେ ସେ ରାଜସ୍ଥାନ ରାଜନୀତିରେ ପୂର୍ବପରି ନିଜର ସ୍ଥିତି ମଜବୁତ ରଖି ପାରିବେ ଏବଂ ନିଜର ଭରସାଯୋଗ୍ୟ ଚେହେରାଙ୍କୁ ଆଗାମୀ ନିର୍ବାଚନରେ ଟିକେଟ୍ ଦେଇ ପାରିବେ। ଯଦି ପାଇଲଟ୍‌ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏମିତି କରିବା ଗେହଲଟ୍‌ଙ୍କ ପକ୍ଷେ ମୁସ୍କିଲ ହୋଇଯିବ। ତେଣୁ ସେ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି ନାହିଁ। ଏହି କାରଣରୁ ସେ ମୁଖ୍ୟମନ୍ତ୍ରୀ ଭାବେ ସିପି ଯୋଶୀଙ୍କ ନାମ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପକ୍ଷେ ମଝିରେ ମଝିରେ ପାଇଲଟ୍ ଗୋଷ୍ଠୀ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରି ଆସିଛନ୍ତି।

ବ୍ରାହ୍ମଣ ପରିବାରରୁ ଆସିଥିବା ସିପି ଯୋଶୀଙ୍କ ଜନ୍ମ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ହୋଇଛି। ମନୋବିଜ୍ଞାନରେ ପିଏଚଡି ଏବଂ ଆଇନରେ ଡିଗ୍ରୀ କରିଥିବା ସିପି ଯୋଶୀ ଅଧ୍ୟାପକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ସମୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୋହନ ଲାଲ ସୁଖାଡିଆଙ୍କ ସଂପର୍କରେ ଆସିଥିଲେ। ତାଙ୍କୁ ସୁଖାଡିଆ ନିର୍ବାଚନ ପ୍ରଚାରର ଦାୟିତ୍ଵ ଦେଇଥିଲେ। ନିର୍ବାଚନ ଜିତିବା ପରେ ଯୋଶୀ ସୁଖାଡିଆଙ୍କ ବିଶ୍ଵାସ ପାତ୍ର ହୋଇ ପାରିଥିଲେ। ୧୯୮୦ରେ ସିପି ଯୋଶୀଙ୍କୁ ବିଧାନସଭା ନିର୍ବାଚନର ଟିକେଟ୍ ମିଳିଥିଲା। ନିର୍ବାଚନ ଜିତି ୨୯ ବର୍ଷ ବୟସରେ ସିପି ଯୋଶୀ ପ୍ରଥମ ଥର ବିଧାୟକ ହୋଇଥିଲେ। ଏହା ପରେ ୨୦୦୮ରେ ସେ ରାଜସ୍ଥାନ କଂଗ୍ରେସର ସଭାପତି ହୋଇଥିଲେ। ରାଜସ୍ଥାନ ସରକାରରେ ମନ୍ତ୍ରୀ ରହିବା ସହିତ ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ। ସଂପ୍ରତି ସେ ରାଜସ୍ଥାନ ବିଧାନସଭାର ବାଚସ୍ପତି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.