ମୋଦୀ ସୁନାମୀରେ ତିନି ରାଜ୍ୟରେ କଂଗ୍ରେସ ସଫା, ସଂଧ୍ୟାରେ ରାଜଭବନ ଯାଇ ଇସ୍ତଫା ଦେବେ ଗେହଲଟ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ମୋଦୀ ସୁନାମୀ ଆଗରେ ପୁଣି ଥରେ କଂଗ୍ରେସ ନିଜ ଅସ୍ତିତ୍ୱ ହରାଇଛି । ବିଜେପିର ପ୍ରଚଣ୍ଡ ବିଜୟରେ ତିନି ରାଜ୍ୟରୁ କଂଗ୍ରେସ ସଫା ହେଉଥିବା ଦେଖିବାକୁ ମିଳୁଛି । ଟ୍ରେଣ୍ଡ୍ ପରେ ଏବେ ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି । କଂଗ୍ରେସ ତେଲଙ୍ଗାନା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ଷମତାକୁ ଆସୁଥିବା ନଜର ଆସୁ ନାହିଁ । ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଦୁଇ ରାଜ୍ୟରେ ବିଜୟ ନେଇ କଂଗ୍ରେସର ବିଶ୍ୱାସ ଥିଲା, କହିବାକୁ ଗଲେ ଅତିଆତ୍ମବିଶ୍ୱାସୀ ହୋଇଥିଲା, କିନ୍ତୁ ମଧ୍ୟ ପ୍ରଦେଶ ଜନତା ଆଣ୍ଟିଇନକମ୍ୱେସିକୁ ଗ୍ରହଣ କଲେ ନାହିଁ ।

ଅନ୍ୟପଟେ କେବଳ ପାଞ୍ଚ ବର୍ଷ ଶାସନରେ ଥିବା ଭୂପେଶ ବଘେଲ ସରକାରଙ୍କ ବିରୋଧରେ ସରକାର ବିରୋଧୀ ଲହର ସ୍ପଷ୍ଟ ନଜର ଆସିଛି । ଏହି ବିରାଟ ବିଜୟରେ ସବୁ ବିଜେପି କର୍ମୀ ଖୁସି ମନାଉଛନ୍ତି । ସଂଧ୍ୟାରେ ବିଜେପି ମୁଖ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ସଂଧ୍ୟା ୬.୩୦ରେ ବିଜେପି ମୁଖ୍ୟାଳୟ ପହଞ୍ଚିବେ । କେନ୍ଦ୍ରମନ୍ତ୍ରୀ ଏହି ବିଜୟର ଶ୍ରେୟ ପିଏମ୍ ମୋଦୀ ଓ କେନ୍ଦ୍ର ସରକାରଙ୍କ ଜନହିତ କାର୍ଯ୍ୟଙ୍କୁ ଦେଉଛନ୍ତି ।ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ସହ ସିଧା ମୁକାବିଲା ହେଉଥିଲା । ଅନ୍ୟପଟେ ତେଲଙ୍ଗାନାରେ ବିଆରଏସ ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେଉଥିଲା ।

ପଢନ୍ତୁ: ରାଜସ୍ଥାନରେ ଜିତିଲେ ମହାରାଣୀ; ୫୧ ହଜାର ଭୋଟରେ ବସୁନ୍ଧରା ରାଜେ ବିଜୟୀ

ରାଜସ୍ଥାନରେ ବିଜେପିକୁ ୧୧୫ ଆସନ ମିଳୁଥିବା ବେଳେ କଂଗ୍ରେସ ୭୦ ଓ ଅନ୍ୟ ୧୫ଟି ଆସନ ମିଳୁଥିବା ଟ୍ରେଣ୍ଡିଂରୁ ଜଣାପଡୁଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୫.୩୦ରେ ରାଜଭବନ ପହଞ୍ଚିବେ । ସେଠାରେ ସେ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.