ନ୍ୟୁୟର୍କ ଯାଉଥିଲେ ଅଶନୀର ଗ୍ରୋଭର ଓ ତାଙ୍କପତ୍ନୀ, ବିମାନ ବନ୍ଦରରେ ଅଟକାଇ ଫେରାଇ ଦେଲା ପୁଲିସ

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଭାରତପେର ସହ ସଂସ୍ଥାପକ ଅଶନୀର ଗ୍ରୋଭରଙ୍କୁ ସମନ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଏନେଇ ଅଶନୀର ଶୁକ୍ରବାର ଏକ୍ସ ପୋଷ୍ଟ କରି ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ଗୁରୁବାର ନ୍ୟୁୟର୍କ ଯାଉଥିବା ବେଳେ ଅଶନୀର ଓ ତାଙ୍କ ପତ୍ନୀ ମାଧୁରୀ ଜୈନ୍‌ଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଇଥିଲା ଦିଲ୍ଲୀ ପୁଲିସ।

ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାର ଅଭିଯୋଗ ପରେ ଏହି ଦୁଇ ଜଣଙ୍କ ବିରୋଧରେ ସରକାର ଲୁକ୍‌ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି। ଏଥିପାଇଁ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇଥିଲା ବୋଲି କୁହାଯାଉଛି।। ସେଠାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଘରକୁ ପୁଲିସ ପଠାଇ ଦେଇଥିବା ସୂଚନା ମିଳିଛି।

ପଢ଼ନ୍ତୁ-ସୁବ୍ରତ ରୟଙ୍କ ପରଲୋକ ପରେ ସାହାରା ମାମଲା କ’ଣ ହେବ ? SEBI ଅଧ୍ୟକ୍ଷ କଲେ ସ୍ପଷ୍ଟ

ଅନ୍ୟପଟେ ଗ୍ରୋଭର କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ବିରୋଧରେ ମେ ୧୦ ତାରିଖରେ ମାମଲା ରୁଜୁ ହେବା ପରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଇଓଡବ୍ଲୁ ପକ୍ଷରୁ ତାଙ୍କୁ କୌଣସି ସମନ କରାଯାଇ ନଥିଲା। ହେଲେ ସକାଳ ୮ ପରେ ସେ ଇଡି ଠାରୁ ସମନ ପାଇଛନ୍ତି ବୋଲି ଅଶନୀର କହିଛନ୍ତି। ତେବେ ମାମଲା ରୁଜୁ ହେବା ପରେ ଏକାଧିକ ଥର ବିଦେଶ ଯାଇଛନ୍ତି ବୋଲି ଟ୍ୱିଟ୍ କରି ଲେଖିଛନ୍ତି ଅଶନୀର।

ସୂଚନା ଥାଉକି, ଚଳିତ ବର୍ଷ ମେ ମାସ ୧୦ ତାରିଖରେ ଅଶନୀର ଓ ତାଙ୍କ ପତ୍ନୀ ମାଧୁରୀ ଜୈନ୍‌ଙ୍କ ବିରୋଧରେ ଆର୍ଥିକ ହେର୍‌ଫେର୍ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। କମ୍ପାନୀର ଅଭିଯୋଗ ପରେ ଅଶନୀର ଭାରତପେର ପରିଚାଳନା ନିର୍ଦ୍ଦେଶକ ଓ ବୋର୍ଡ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଥିଲେ। ଭାରତପେ ଗ୍ରୋଭର ଓ ତାଙ୍କ ପରିବାର ଉପରେ ୮୧.୨୮ କୋଟି ଠକେଇର ଅଭିଯୋଗ ଆଣିଥିଲା। ଏମାନେ କମ୍ପାନୀର ଟଙ୍କାଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିଲେ ବୋଲି ଅଭିଯୋଗ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.