୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ହୋଇଯିବେକି ଅନଫିଟ୍ ? ଏମ୍ସ ଗବେଷଣାରେ ଆଶ୍ଚର୍ଯ୍ୟକର ଖୁଲାସା
12/03/2023 at 5:39 PM

ନୂଆଦିଲ୍ଲୀ, ୧୨/୦୩: ଦିଲ୍ଳୀ ଏମ୍ସର ରିପୋର୍ଟରେ ଏକ ଚକିତ କଲାଭଳି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ କରୋନା ପରଠାରୁ ପିଲାଙ୍କଠାରେ ପାଖ ବସ୍ତୁକୁ ଦେଖିବାରେ ଅର୍ଥାତ୍ ନିକଟ ଦୃଷ୍ଟି ଦୋଷ ମାୟୋପିଆ ମାମଲା ବଢ଼ିଛି, ଯାହାକି ଚିନ୍ତାଜନକ। ଏମିତିରେ ତ’ ଆଖି ସହ ଜଡ଼ିତ ସମସ୍ୟା ପ୍ରାୟ ସବୁ ବୟସରେ ଦେଖାଯାଇଥାଏ। କିନ୍ତୁ ନିକଟ ଅତୀତରେ ଆଖି ସମସ୍ୟାରେ ଅଧିକ ବୃଦ୍ଧି ଦେଖାଦେଇଛି। ଅତ୍ୟଧିକ ଡିଜିଟାଲ ସ୍କ୍ରିନ୍ ବ୍ୟବହାର ଦ୍ବାରା ଏଥିରେ ବୃଦ୍ଧି ହେଉଛି। ସବୁଠୁ ଅଧିକ ପିଲାଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖାଦେଉଛି। ତେଣୁ ଏଥିପାଇଁ ଆଖିକୁ ସୁରକ୍ଷିତ ରଖିବା ଖୁବ୍ ଜରୁରୀ।
ନିକଟରେ ହୋଇଥିବା ଏମ୍ସର ଗବେଷଣାରୁ ଜଣାପଡ଼ିଛି ଯେ କରୋନା ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍, ସ୍ମାର୍ଟ ଫୋନ୍ର ଅଧିକ ବ୍ୟବହାର ଏବଂ କମ୍ପ୍ୟୁଟର ଗେମ୍ସ ଖେଳିବା କାରଣରୁ ପିଲାଙ୍କ ଆଖି ଉପରେ ଖରାପ ପ୍ରଭାବ ପଡ଼ିଛି। ଗବେଷଣା ଅନୁଯାୟୀ, କରୋନା ପୂର୍ବରୁ ପିଲାଙ୍କଠାରେ ମାୟୋପିଆ ୫ ରୁ ୭ ପ୍ରତିଶତ ଥିଲା ଯାହାକି କରୋନା ପରେ ୧୧ ରୁ ୧୫ ପ୍ରତିଶତ ହୋଇଛି।
୨୦୫୦ ପର୍ଯ୍ୟନ୍ତ ୫୦ ପ୍ରତିଶତ ପିଲା ହୋଇଯିବେ ଅନିଫିଟ୍:
ଏମ୍ସ ରାଜେନ୍ଦ୍ର ପ୍ରସାଦ ଆଖି ହସ୍ପିଟାଲର ମୁଖ୍ୟ ପ୍ରଫେସର ଜୀବନ ଏସ ଟିଟିୟାଲ କହିଛନ୍ତି ଯଦି ପିଲାମାନେ ସ୍ମାର୍ଟଫୋନ୍ , କମ୍ପ୍ୟୁଟର, ଅନଲାଇନ ଗେମ୍, ଡିଜିଟାଲ ସ୍କିନ୍ର ଅତ୍ୟଧିକ ବ୍ୟବହାର କରିଚାଲିଥିବେ ତେବେ ୨୦୫୦ ସୁଦ୍ଧା ଦେଶରେ ୫୦ ପ୍ରତିଶତ ନିକଟ ଦୃଷ୍ଟି ରୋଗରେ ଶିକାର ହୋଇଯିବେ। ଏମିତିରେ ପିଲାମାନେ ଆଖିକୁ ସୁରକ୍ଷିତ ରଖିବା ଜରୁରୀ।
ତେବେ ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାରୁ ବଞ୍ଚାଇବା ପାଇଁ ବିଦ୍ୟାଳୟରେ ଏନେଇ ପ୍ରଶିକ୍ଷଣ ଏବଂ ନିଦ୍ଦେର୍ର୍ଶକୁ ପାଳନ କରିବାକୁ ହେବ। ପିଲାମାନଙ୍କୁ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଡିଜିଟାଲ ସ୍କ୍ରିନ୍ର ବ୍ୟବହାର କରିବାକୁ ଦିଆନଯାଉ। ଆଉ ମୋବାଇଲ ବ୍ୟବହାର କରୁଥିବା ସମୟରେ ମଧ୍ୟ ମଝିରେ ମଝିରେ ବିରତି ଦେବା ଦରକାର। ଯଦି ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେଉଛି ତେବେ ତାଙ୍କୁ ଚଷମାର ବ୍ୟବହାର କରିବା ଦରକାର। ବର୍ଷରେ ଅନ୍ତତଃ ଥରେ ଆଖି ପରୀକ୍ଷା କରିବା ଦରକାର।