୭ କଫ୍ ସିରପ୍କୁ କଳା ତାଲିକାଭୁକ୍ତ କଲା WHO, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ‘ନକଲି ଔଷଧ ବରଦାସ୍ତ କରାଯିବ ନାହିଁ’
20/06/2023 at 6:25 PM

ନୂଆଦିଲ୍ଲୀ,୨୦/୦୬: ଭାରତରେ ନିର୍ମିତ ଖରାପ ଗୁଣବତ୍ତାର ୭ କଫ୍ ସିରପ୍କୁ ‘ହୁ’ କଳା ତାଲିକାଭୁକ୍ତ କରିଛି। ଖରାପ ଗୁଣବତ୍ତାର ଏହି ସିରପ୍ ଯୋଗୁଁ ଦୁନିଆରେ ୩୦୦ରୁ ଅଧିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ପାଇଁ ଭାରତ ନିର୍ମିତ ଏହି ସାତ ସିରପକୁ କଳା ତାଲିକାଭୁକ୍ତ କରାଯାଇଛି। ସେପଟେ ‘ହୁ’ର ଏହି ଘୋଷଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତିି ଭାରତରେ ମିଶ୍ରିତ କିମ୍ବା ନକଲି ଔଷଧ ଉପରେ କଟକଣା ଜାରି କରାଯାଇଛି। ଏଥିପାଇଁ ଭାରତ କେବେ ସହନଶୀଳ ନୁହେଁ।
ମଙ୍ଗଳବାର ଏହି ପ୍ରସଙ୍ଗକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମାଲଭିୟ କହିଛନ୍ତି ଯେ, ‘‘ଔଷଧର ଗୁଣବତ୍ତାକୁ ନେଇ ଏକ ବିସ୍ତୃତ ଆଲୋଚନା ଚାଲିଛି। ଔଷଧର ଗୁଣବତ୍ତାକୁ ନେଇ ଭାରତ କେବେ ବି ସାଲିସ କରେନାହିଁ। ବିଷାକ୍ତ ବା ନକଲି ଔଷଧ ଖାଇ ଯେପରି କୌଣସି ଗୋଟିଏ ବି ଜୀବନ ପ୍ରଭାବିତ ନହୁଏ, ସେଥିପ୍ରତି ଆମେ ସବୁବେଳେ ସତର୍କ ରହିଛୁ।’’
ଆହୁରି ପଢ଼ନ୍ତୁ: ଭାରତରେ ନିର୍ମିତ ୭ ସିରପ୍କୁ ବ୍ଲାକ୍ ଲିଷ୍ଟ କଲା WHO, ଅନେକ ଦେଶରେ ହୋଇଥିଲା ମୃତ୍ୟୁର କାରଣ
ରିପୋର୍ଟ ଅନୁଯାୟୀ ମାଣ୍ଡଭିୟ ଆହୁରି କହିଛନ୍ତି ଯେ, ‘‘ଭାରତ ନିର୍ମିତ କାଶ ସିରପ ବ୍ୟବହାର ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହିତ ୭୧ଟି ଔଷଧ ନିର୍ମିତ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ଏଥିମଧ୍ୟରୁ ୧୮ଟିକୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ, ସରକାର ଏବଂ ପ୍ରଶାସନ ମଧ୍ୟରେ ଭାରତରେ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଔଷଧ ଉତ୍ପାଦନ ପାଇଁ ଉଚ୍ଚସ୍ଥରୀୟ ଆଲୋଚନା କରାଯାଉଛି। ଭାରତ ବିଶ୍ବର ପ୍ରମୁଖ ଔଷଧ ନିର୍ମାଣକାରୀ ମଧ୍ୟରେ ଅନ୍ୟତମ ତେଣୁ ଆମେ ଉତ୍କୃଷ୍ଟ ଗୁଣବତ୍ତା ସମ୍ପନ୍ନ ଔଷଧ ଉତ୍ପାଦନ କରି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।’’
ସୂଚନାଥାଉକି, ଗାମ୍ବିୟାରେ ୬୬ ଓ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଭାରତୀୟ କାଶ ସିରପ ପିଇବା ଦ୍ବାରା ହୋଇଥିବା ଚର୍ଚ୍ଚା ହେବା ପରେ ଭାରତର ଔଷଧ ନିୟାମକ ନୋଏଡାର ମେରିୟନ ବାୟୋଟେକ, ହରିୟାଣା ସ୍ଥିତ ମେଡେନ ଫାର୍ମାସ୍ୟୁଟିକାଲ୍ସ, ଚେନ୍ନାଇ ସ୍ଥିତ ଗ୍ଲୋବାଲ ଫାର୍ମା ଏବଂ ପଞ୍ଜାବର କ୍ୟୁପି ଫାର୍ମାକେମ୍ ସହି ନିର୍ମାତାଙ୍କ ଉପରେ ଯାଞ୍ଚ ଆରମ୍ଭ କରିଥିଲେ। ଏହା ସହ ଯାଞ୍ଚ ସମୟରେ ଅନିୟମିତତା ମିଳିବା ପରେ ଏହାର ପରିଚାଳନା ଉପରେ ମଧ୍ୟ ରୋକ୍ ଲଗାଇଥିଲେ। ତାମିଲନାଡ଼ୁରେ ଗ୍ଳୋବାଲ ଫାର୍ମା ହେଲ୍ଥକେୟାର ଦ୍ବାରା ଉତ୍ପାଦିତ ସମସ୍ତ ଆଖି ଔଷଧକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: କଫ୍ ସିରପ୍ ମାମଲା: ନୋଏଡା ସ୍ଥିତ ଔଷଧ କମ୍ପାନୀର ତିନି ଅଧିକାରୀ ଗିରଫ