ବ୍ରିଟେନ ନିର୍ବାଚନକୁ ପ୍ରଭାବିତ କରିପାରନ୍ତି ହିନ୍ଦୁ ସମ୍ପ୍ରଦାୟ: ମନାଇବାକୁ ଲାଗିପଡ଼ିଛନ୍ତି ୟୁକେର ଉଭୟ ଦଳ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖ ଗୁରୁବାର ଠାରୁ ବ୍ରିଟେନ୍‌ରେ ଭୋଟ୍ ଆରମ୍ଭ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଋଷ ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଯାଇ ଭୋଟ୍ ଦେଇଛନ୍ତି। ଋଷ ସୁନକଙ୍କ ଦଳ କଞ୍ଜରଭେଟିବ ପାର୍ଟି ଏଥର ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ଲେବର ପାର୍ଟି ଏଥର ପରିବର୍ତ୍ତନର ନାରା ଦେଇଛି। ଏଥର ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ବ୍ରିଟେନର ହିନ୍ଦୁ ବିଭିନ୍ନ ଦାବି ରଖିଛି। ବ୍ରିଟେନ୍‌ରେ ଖ୍ରୀଷ୍ଟିଆନ ୪୬.୩ ପ୍ରତିଶତ, ମୁସଲମାନ ୬.୭ ପ୍ରତିଶତ ଓ ହିନ୍ଦୁ ୧.୭ ପ୍ରତିଶତ ସହିତ ତୃତୀୟ ବଡ଼ ସମ୍ପ୍ରଦାୟ। ୨୦୨୧ ଜନଗଣନା ଅନୁସାରେ ବ୍ରିଟେନରେ ପ୍ରାୟ ୧୦ ଲକ୍ଷରୁ ଅଧିକ ହିନ୍ଦୁ ରହୁଛନ୍ତି। ବର୍ତ୍ତମାନ ନିର୍ବାଚନ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱର ଶାଣିତ ହୋଇଛି। 

ନିର୍ବାଚନ ପୂର୍ବରୁ ବ୍ରିଟେନ୍‌ର ୨୨ ହିନ୍ଦୁ ସଂସ୍ଥା ୨୦୨୪ ଇସ୍ତାହାର ଜାରି କରିଥିଲେ। ଏଥିରେ ସେମାନଙ୍କର ୭ଟି ମୁଖ୍ୟ ଦାବି ରହିଛି। ଯେଉଁଥିରେ ହିନ୍ଦୁ ବିରୋଧୀ ଘୃଣାକୁ ଆଇନ୍‌ରେ ଏକ ଅପରାଧ ବୋଲି ବିଚାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ପ୍ରଥମ ଥର ବ୍ରିଟେନ୍‌ର ହିନ୍ଦୁମାନେ ଏଭଳି ଏକତ୍ରିତ ହୋଇ ନିଜ ସମ୍ପ୍ରଦାୟ ପାଇଁ ଦାବି କରିଛନ୍ତି। କାରଣ ଗତ କିଛି ବର୍ଷରେ ବ୍ରିଟେନ୍‌ରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି।  

ନିର୍ବାଚନ ଥିବାରୁ ଉଭୟ ଲେବର ପାର୍ଟି ଓ କଞ୍ଜରଭେଟିବ ପାର୍ଟି ଏହି ସମ୍ପ୍ରଦାୟକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛି। କଞ୍ଜରଭେଟିବ ପାର୍ଟିର ନେତା କେଇର ଷ୍ଟାରମେର ମନ୍ଦିର ଯାଇ ମୁଣ୍ଡିଆ ମାରୁଛନ୍ତି। ପୂର୍ବରୁ ଲେବର ପାର୍ଟିର ଭାରତୀୟ ଭୋଟରଙ୍କ ସହିତ ମତଭେଦ ରହିଥିଲା। ହେଲେ ଏବେ ଭୋଟ ହାତେଇବାକୁ ବ୍ରିଟେନ୍ ହିନ୍ଦୁଙ୍କୁ ମନାଇବାକୁ ଚେଷ୍ଟା କରୁଛି। ଲେବର ପାର୍ଟି ବର୍ତ୍ତମାନ ବ୍ରିଟେନ ନିର୍ବାଚନ ରେସ୍‌ରେ ଆଗରେ ରହିଛି। ଦଳ ମଧ୍ୟରେ  ଥିବା ଭାରତ ବିରୋଧୀ ଭାବନାକୁ ସମାଧାନ କରିବାକୁ ଦଳ ପ୍ରତିଶ୍ରୁତି ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସହ ରଣନୈତିକ ସମ୍ପର୍କ ସ୍ଥାପନ କରିବାକୁ ମଧ୍ୟ ଚେଷ୍ଟା କରିଛି।

ବ୍ରିଟେନ୍ ହିନ୍ଦୁଙ୍କ ଦାବି ହେଉଛି ହିନ୍ଦୁଫୋବିଆ ରୋକିବାକୁ ସରକାର ଚେଷ୍ଟା କରନ୍ତୁ। ୟୁକେରେ ହିନ୍ଦୁ ବିରୋଧୀ ଘୃଣା ବଢ଼ୁଛି। ଏଥିପାଇଁ କେବଳ ୟୁକେ ହିଁ ଦାୟୀ ବୋଲି ସେମାନେ ଦାବି କରିଛନ୍ତି। ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ, ଲସ୍କର-ଏ ତାଇବା ଓ ଅନ୍ତର୍ଜାତୀଯ ସିକ୍ଷ ୟୁଥ୍ ଫେଡେରେସନ ହିନ୍ଦୁ ହତ୍ୟାରେ ସାମିଲ୍ ରହୁଛନ୍ତି। ତେଣୁ ଏଭଳି ଚରମପନ୍ଥୀ ମାନସିକତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

ଅନ୍ୟପଟେ ଲେବର ପାର୍ଟି ହିନ୍ଦୁ ଭୋଟ ହାତେଇବା ପାଇଁ ଏକାଧିକ ପାର୍ଥୀ ଦେଇଛି। ତେବେ ଲେବର ପାର୍ଟି ଏବଂ ବ୍ରିଟେନ୍‌ର ପ୍ରବାସୀ ଭାରତୀୟ ମଧ୍ୟରେ ଅନେକ ସମୟରେ ସମ୍ପର୍କ ଭଲ ରହି ନାହିଁ। ତତ୍କାଳୀନ ଲେବର ପାର୍ଟି ନେତା ଜେରେମି କର୍ବିନ କାଶ୍ମୀର ଉପରେ ବିବାଦୀୟ ବିବୃତ୍ତି ଦେବା ପରେ ସେମାନଙ୍କ ମଧ୍ୟରେ ମତଭେଦ ରହିଥିଲା। କିନ୍ତୁ ଲେବର ପାର୍ଟି କିର ଷ୍ଟାରମରଙ୍କ ନେତୃତ୍ୱରେ ପୁନର୍ବାର ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା ହୋଇଛି। ଏଥିସହିତ ପ୍ରଥମଥର ଏକାଧିକ ହିନ୍ଦୁ ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେଇଛି। ସେହିପରି କଞ୍ଜରଭେଟିବ ପାର୍ଟି ମଧ୍ୟ ଏକାଧିକ ହିନ୍ଦୁ ପ୍ରାର୍ଥୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.