ମିଳିଲା ଆଶ୍ୱସ୍ତି, ଉପରମୁହାଁ ହେଲା ସେନସେକ୍ସ ଓ Nifty, କାରବାର ଶେଷ ଦିନରେ ନିବେଶକ ଅର୍ଜନ କଲେ ୮୨ ହଜାର କୋଟି ଟଙ୍କା

Published By : Prameya-News7 Bureau | February 03, 2023 IST

ମୁମ୍ବାଇ ୩।୨: ବ୍ୟବସାୟୀକ ସପ୍ତାହର ଶେଷ ଦିନ ନିବେଶକଙ୍କୁ ଅଶ୍ୱସ୍ତି ଦେଇଛି। ସେୟାର ବଜାର ମଜଭୁତ ହୋଇଥିବା ବେଳେ ଦିନକରେ ନିବେଶକ ଅର୍ଜନ କରିଛନ୍ତି ୮୨ ହଜାର କୋଟି ଟଙ୍କା। କାରବାର ଶେଷ ବେଳକୁ ସେନସେକ୍ସ ୯୦୦ ପଏଣ୍ଟ ଉପରେ କାରବାର କରି ବନ୍ଦ ହୋଇଥିବା ବେଳେ ନିଫଟି ୧୭,୮୦୦ ପାର କରି ବନ୍ଦ ହୋଇଛି। ଶୁକ୍ରବାର ବ୍ୟାଙ୍କ ନିଫ୍ଟି ୨ ପ୍ରତିଶତ ଅଭିବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ସେକ୍ଟୋରାଲ ଇଣ୍ଡେକ୍ସରେ କଞ୍ଜ୍ୟୁମର ଡ୍ୟୁରେବଲ ସେୟାର ଇଣ୍ଡେକ୍ସ ସର୍ବାଧିକ ୨.୫ ପ୍ରତିଶତ ଅଭିବୃଦ୍ଧି ସହ ବନ୍ଦ ହୋଇଛି।

ଏହା ଛଡା ଫାଇନାନସିଆଲ ସର୍ଭିସେସ୍, ଟେଲିକମ୍ୟୁନିକେସନ ଓ ଅଟୋ ସେୟାର ମଧ୍ୟ ଅଭିବୃଦ୍ଧି ସହ ବନ୍ଦ ହୋଇଛନ୍ତି। ତେବେ ବିଏସଇ ମେଡକ୍ୟାପ୍‌ ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସ ଆଜି ମଧ୍ୟ ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ଦିନର କାରବାର ଶେଷ ବେଳକୁ ବିଏସଇ ସେନସେକ୍ସ ୯୦୯.୬୪ ପଏଣ୍ଟ ଅର୍ଥାତ ୧.୫୨ ପ୍ରତିଶତ ବୃଦ୍ଧି ସହ ୬୦,୮୪୧.୮୮ ଅଙ୍କରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ୨୨୨.୦୫ ଅର୍ଥାତ ୧.୨୬ପ୍ରତିଶତ ଅଭିବୃଦ୍ଧି ସହ ୧୭,୮୩୨.୪୫ ସ୍ତରରେ ବନ୍ଦ ହୋଇଛି।

{"id":741164,"sizeSlug":"full","linkDestination":"none"}

ଶୁକ୍ରବାର ଦିନର କାରବାର ସହ ବିଏସଇରେ ଲିଷ୍ଟେଡ କମ୍ପାନୀମାନଙ୍କ ମୋଟ ମାର୍କେଟ୍‌ କ୍ୟାପିଟାଲ ୨୬୬.୫୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ତେବେ ଏହା ଗୁରୁବାର ଫେବୃଆରୀ ୨ ତାରିଖରେ ୨୬୫.୭୧ଲକ୍ଷ କୋଟି ଟଙ୍କାରେ ଥିଲା। ଫଳରେ ବିଏସଇରେ ଲିଷ୍ଟେଡ୍ କମ୍ପାନୀମାନଙ୍କ ମାର୍କେଟ୍ କ୍ୟାପିଟାଲ ଦିନକରେ ୮୨ହଜାର କୋଟି ଟଙ୍କା ଅର୍ଜନ କରିଛି। ଯାହାକୁ ଅନ୍ୟ ଅର୍ଥରେ ନିବେଶକଙ୍କ ମୋଟ ଅର୍ଜନ ୮୨ ହଜାର କୋଟି ଟଙ୍କା ହୋଇଛି ବୋଲି କୁହାଯାଇପାରେ। ସେନସେକ୍ସରେ ଶୁକ୍ରବାର ୩୦ ସେୟାର ମଧ୍ୟରୁ ୨୭ଟି ଅଭିବୃଦ୍ଧି ସହ ବନ୍ଦ ହୋଇଛନ୍ତି। ଏଥିରେ ଟାଇଟନର ସେୟାରରେ ସର୍ବାଧିକ ୬.୯୪ ପ୍ରତିଶତ ବୃଦ୍ଧି ଦେଖାଯାଇଛି।

ଟାଇଟନ ପଛକୁ ବଜାଜ ଫାଇନାନ୍ସ, ବଜାଜ ଫିନସର୍ଭ, ଏଚଡିଏଫସି ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ସେୟାର ମଧ୍ୟ ବେଶ୍ ଅଭିବୃଦ୍ଧି ହାସଲ କରିଛନ୍ତି। ଏହି ସବୁ ସେୟାର ୩.୨୨ରୁ ୫.୦୯ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହାସଲ କରିଛନ୍ତି। ତେବେ ସେନସେକ୍ସରେ ଶୁକ୍ରବାର ୩ଟି ସେୟାର ହ୍ରାସ ସହ ବନ୍ଦ ହୋଇଛନ୍ତି। ଏଥିରେ ୱିପ୍ରୋ ସେୟାର ମୂଲ୍ୟରେ ୦.୫୧ ପ୍ରତିଶତ ହ୍ରାସ ଦେଖାଯାଇଛି। ଏହା ଛଡା ଏଚସିଏଲ ଟେକ୍ ଓ ଟେକ୍ ମହିନ୍ଦ୍ରା ଯଥାକ୍ରମେ ୦.୪୫ ଓ ୦.୨୨ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.