କେଜରିୱାଲଙ୍କୁ ଜାମିନ ମିଳିବାମାତ୍ରେ AAPର ସବୁ କାର୍ଯ୍ୟକ୍ରମ ରଦ୍ଦ, ରାତି ସୁଦ୍ଧା ମୁକୁଳିପାରନ୍ତି ଜେଲରୁ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ ୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଜାମିନ ମିଳିଯାଇଛି। ଏହା ପରେ ପାର୍ଟି ପକ୍ଷରୁ ଚଳା ଯାଇଥିବା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାତିଲ କରାଯାଇଛି।  କେଜରିୱାଲ ଜେଲରୁ ମୁକୁଳିବା ଦୃଷ୍ଟିରୁ ପାର୍ଟି ଏହି ପଦକ୍ଷେପ ନେଇଛି। କେଜରିୱାଲଙ୍କ ଓକିଲଙ୍କ ଅନୁସାରେ ସୁପ୍ରିମକୋର୍ଟଙ୍କ ଆଦେଶ ସିଧା ତିହାର ଜେଲକୁ ଯିବ। ଏଥିପାଇଁ କେଜରିୱାଲ ହୁଏତ ଶୁକ୍ରବାର ସନ୍ଧ୍ୟା ଅଥବା ରାତି ସୁଦ୍ଧା ଜେଲରୁ ମୁକୁଳିପାରନ୍ତି। 

ଏଣୁ କେଜରିୱାଲଙ୍କୁ ଜାମିନ ମିଳିଯାଇଥିବାରୁ ପାର୍ଟି ପକ୍ଷରୁ ଚଳାଯାଇଥିବା ‘ଜେଲର ଜବାବ ଭୋଟରେ’ ସଂକଳ୍ପ ସଭାଗୁଡିକୁ ରଦ୍ଦ କରାଯାଇଛି। ଶୁକ୍ରବାର ଦିଲ୍ଲୀରେ ୩ଟି ସଂକଳ୍ପ ସଭା ଅନୁଷ୍ଠିତ ହେବାର ଥିଲା। ଏଗୁଡିକୁ ପାର୍ଟି ବାତିଲ କରିଦେଇଛି। କେଜରିୱାଲଙ୍କୁ ଜାମିନ ମିଳିବା ପରେ ପାର୍ଟିର ସବୁ ବଡ଼ ନେତା ଆପ୍ କାର୍ଯ୍ୟାଳୟକୁ ପହଞ୍ଚିଛନ୍ତି। ଏଠାରେ ପାର୍ଟିର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ପାର୍ଟିର ନିଷ୍ପତ୍ତି ନେଇ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା। ଏହା ପରେ ତାଙ୍କୁ ଇଡି ୧୦ ଦିନ ରିମାଣ୍ଡରେ ନେଇଥିବା ବେଳେ ଏପ୍ରିଲ ୧ ତାରିଖରେ ଟ୍ରାୟଲ କୋର୍ଟ କେଜରିୱାଲଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହିପରି କେଜରିୱାଲ ଗିରଫ ପରଠାରୁ ଏପର୍ଯ୍ୟନ୍ତ ୫୧ ଦିନ ମଧ୍ୟରୁ ୪୧ ଦିନ ଜେଲରେ କଟାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.