ୱାଶିଂଟନ: କରୋନା ସଂକ୍ରମଣ ଆମେରିକାରେ ଜଟିଳ ହେବାରେ ଲାଗିଛି। ତେବେ ଜୁଲାଇ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ଟଳିବାର କୌଣସି ସମ୍ଭାବନା ନଥିବା ଆକଳନ କରିଛନ୍ତି ୱାଶିଂଟନ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମେଡିସିନ। ଉପୁଜିଥିବା ପରିସ୍ଥିତିରେ କରୋନା ଜୁନ ସୁଦ୍ଧା ୮୧ ହଜାର ଲୋକଙ୍କ ଜୀବନ ନେଇପାରେ ବୋଲି ଆକଳନ କରିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ଆକଳନରେ ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏକ ନିର୍ଦ୍ଧିଷ୍ଟ ଉଚ୍ଚତାରେ ପହଞ୍ଚି ଯିବ। ତେବେ ଭୂତାଣୁ ସଂକ୍ରମଣ ଯୋଗୁ ଜୁଲାଇ ଶେଷ ବେଳକୁ ମଧ୍ୟ ଆମେରିକାରେ କରୋନା ଜନିତ ମୃତ୍ୟୁ ଜାରିଥାଇପାରେ ବୋଲି ଗବେଷକମାନେ ଆଶଙ୍କା କରୁଛନ୍ତି। ଯଦିଓ ଜୁନ ବେଳକୁ ଦେଶରେ କରୋନା ମୃତ୍ୟୁ ବିପର୍ଯ୍ୟୟ ରଚିଥିବା ତେବେ ମହାମାରୀର ହାରକୁ ଛୁଇଁବ ନାହିଁ। ସେତେବେଳେ ଦିନକୁ ଅତି ବେଶିରେ ୧୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବୋଲି ଅନୁମାନ କରାଯାଉଛି।
ବିଶ୍ୱବିଦ୍ୟାଳୟ ଏହି ସମୀକ୍ଷା ଲାଗି ସରକାର, ହସ୍ପିଟାଲ ଓ ଯେଉଁ ସବୁ ସଂସ୍ଥାରୁ ତଥ୍ୟ ସଂଗ୍ରହ କରିଛନ୍ତି ସଂସ୍ଥା ଅନୁସାରେ ତଥ୍ୟ ଭିନ୍ନ ଭିନ୍ନ ରହିଛି। ତେବେ ସେହି ଅନୁସାରେ ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସର୍ବନିମ୍ନ ୩୮ ହଜାର ଓ ସର୍ବାଧିକ ୧ଲକ୍ଷ ୬୨ ହଜାର ଲୋକେ ମୃତ୍ୟୁମୁଖରେ ପଡିପାରନ୍ତି ବୋଲି ଆକଳନ କରାଯାଇଛି। ସେହିପରି ଭୂତାଣୁର ଆୟୁଷ ସାମାଜିକ ଦୂରତା ଲାଗି ଅବଲମ୍ବନ କରାଯାଉଥିବା ପଦକ୍ଷେପ ଉପରେ ନିର୍ଭର କରେ ବୋଲି ବିଶ୍ୱବିଦ୍ୟାଳୟର ହେଲଥ୍ ମେଟ୍ରିକ୍ ଓ ମୂଲ୍ୟାୟନ ସଂସ୍ଥାନର ନିର୍ଦ୍ଦେଶକ ଡା. କ୍ରିଷ୍ଟୋଫର ମୁରେ କହିଛନ୍ତି।
ସାମାଜିକ ଦୂରତା ଅବଧି ଯେତେ ଅଧିକ ରହିବ ଭୂତାଣୁର ଆୟୁଷ ସେତେ ହ୍ରାସ ହେବ ବୋଲି କହିଛନ୍ତି ଡା. ମୁରେ। ଏଥିରେ ଯଦି ସରକାର କଟକଣା କୋହଳ କରନ୍ତି ତେବେ ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତି ଜଟିଳ ହୋଇପାରେ ବୋଲି ଆକଳନ କରିଛନ୍ତି। ସେହିପରି ଅସୁସ୍ଥଙ୍କୁ ନେଇ କରାଯାଇଥିବା ଆକଳନ ଅନୁସାରେ ଅସୁସ୍ଥ ରୋଗୀଙ୍କ ସଂଖ୍ୟା ହସ୍ପିଟାଲ ଶଜ୍ୟା ସଂଖ୍ୟା ଠାରୁ ବି ଅଧିକ ହୋଇପାରେ। ଦେଶର ହସ୍ପିଟାଲମାନଙ୍କରେ ଏବେ ଉପଲବ୍ଧ ଶଜ୍ଜ୍ୟା ସଂଖ୍ୟା ୬୪ ହଜାର ରହିଛି। ସେହିପରି ଗୁରୁତର ଅସୁସ୍ଥଙ୍କ ଲାଗି ୨୦ ହଜାର ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ତେବେ ଗୁରୁତର ପ୍ରଭାବିତ ନ୍ୟୁୟର୍କରେ ଏବେ ଭେଣ୍ଟିଲେଟର ସଂକଟ ଦେଖାଦେଇଛି। କାଲିଫର୍ଣ୍ଣିଆରେ ଏବେ ସଂକ୍ରମଣ ହାର କମ୍ ରହିଛି। ତେବେ ଏପ୍ରିଲ ଶେଷ ଆଡକୁ ଏଠାରେ ସଂକ୍ରମଣ ହାର ଅଧିକ ହୋଇପାରେ।