WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁରରେ ୩ ପୋଲିସ ପ୍ରତିଷ୍ଠାନ ଉପରେ ଆକ୍ରମଣ ଉଦ୍ୟମ, ପୁଣି କଡ଼ାକଡି ହେଲା କର୍ଫ୍ୟୁ

21/09/2023 at 8:00 PM

ଇମ୍ଫାଲ ୨୧।୯: ମଣିପୁରରେ ହିଂସା ଥମିବାର ନାଁ ନେଉନି। ୫ ଜଣ ଯୁବକଙ୍କ ପୋଲିସ ଗିରଫଦାରୀକୁ ବିରୋଧ କରି ଗୁରୁବାର ଲୋକେ ୨ଟି ଥାନା ଓ ଗୋଟିଏ ଫାଣ୍ଡି ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ। ତେବେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ଭିଡକୁ ଘଉଡାଇ ଦେଇଛି। ଏହି ଘଟଣା ପରେ  କୋହଳ କରାଯାଇଥିବା କର୍ଫ୍ୟୁକୁ ପୁଣି କଡ଼ାକଡ଼ି କରାଯାଇଛି। ଲୋକେ ଗିରଫ ଯୁବକମାନଙ୍କୁ ନିସର୍ତ୍ତରେ ଥାନାରୁ ଛାଡିବା ଦାବିରେ ପେରମ୍ପୋଟ ପୋଲିସ ଷ୍ଟେସନ, ସିଙ୍ଗଜାମେଇ ପୋଲିସ ଷ୍ଟେସନ ଓ କ୍ୱାକିଥେଲ ଫାଣ୍ଡି ଉପରେ ଆକ୍ରମଣ ଉଦ୍ୟମ କରିଥିଲେ।

ପୋଲିସ ଥାନା ଓ ପ୍ରତିଷ୍ଠାନ ଉପରେ ଆକ୍ରମଣ ନିମନ୍ତେ ୬ ସ୍ଥାନୀୟ କ୍ଲବ ଓ ମୀରା ପେବିସ୍ ଉସକାଇଥିବାର ପୋଲିସ କହିଛି। ତେବେ ଲୋକଙ୍କ ଉଦ୍ଦେଶ୍ୟ ବୁଝିପାରି ପୋଲିସ ଥାନାଆଡକୁ ମାଡି ଆସୁଥିବା ଉତ୍ତେଜିତ ଭିଡକୁ ଲକ୍ଷ କରି ଲୁହବୁହା ବାସ୍ପ ପ୍ରୟୋଗ କରିଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ଗ୍ରାମବାସୀ ଗ୍ରାମର ସ୍ୱୟଂ ସେବକମାନଙ୍କୁ ପୋଲିସ ଗିରଫ କରିନେଇଥିବା ଅଭିଯୋଗ କରିଛନ୍ତି। ସ୍ୱୟଂ ସେବକଙ୍କ ଗିରଫ ପରେ ଗ୍ରାମର ସୁରକ୍ଷା ନେଇ ଲୋକେ ଚିନ୍ତିତ ହୋଇପଡିଥିବା ବେଳେ ସେମାନଙ୍କୁ ଥାନାରୁ ଛଡେଇ ନେବାକୁ ମେଳି ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୧୬ ତାରିଖ ଦିନ ମଣିପୁର ପୋଲିସ ବିନା ଅନୁମତିରେ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖିବା ଓ ନକଲି ପୋଲିସ ପୋଷାକ ପିନ୍ଧିବା ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀ ପରେ ପୋଲିସ ଏକ ବୟାନ ମଧ୍ୟ ଜାରି କରିଥିଲା। ପରେ ଗିରଫ ୫ ଜଣଙ୍କୁ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯାଇଛି।

ଗୁରୁବାରର ଏହି ଘଟଣା ପରେ ରାଜ୍ୟ ସରକାର ଇମ୍ଫାଲର ଦୁଇ ଜିଲ୍ଲାରେ କର୍ଫ୍ୟୁରେ ଦିଆଯାଇଥିବା ଢିଲା ପୁଣି କଡ଼ାକଡି  କରିଛନ୍ତି। ପଶ୍ଚିମ ଇମ୍ଫାଲ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏ ବାବଦେ ଅଧିକାରୀକ ଆଦେଶ ମଧ୍ୟ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ୨୧ ସେପ୍ଟେମ୍ବର ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ଅପରାହ୍ନ ୫ଟା ବେଳେ ହଟାଇ ଦିଆଯାଇଛି। ଏହା ସହ ପ୍ରଥମରୁ ଜାରି ସବୁ କଟକଣା କଡାକଡି ରହିବ ବୋଲି ମଧ୍ୟ କୁହାଯାଇଛି। ପୂର୍ବ ଇମ୍ଫାଲରେ ମଧ୍ୟ ସମାନ ଆଦେଶ ଜାରି ହୋଇଛି।

   Related Posts