ଅଷ୍ଟ୍ରେଲିଆନ ଓପନ: ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଲେ ସବଲେଙ୍କା, ରିବାକିନାଙ୍କୁ ଦେଲେ ମାତ୍
28/01/2023 at 5:39 PM

ନୂଆଦିଲ୍ଲୀ: ଇତିହାସ ରଚିଲେ ଆରିନା ସବଲେଙ୍କା। ଜିତିଲେ କ୍ୟାରିୟରରେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍। ଏଲେନା ରିବାକିନାଙ୍କୁ ୪-୬, ୬-୩ ଏବଂ ୬-୪ ସେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆନ ଓପନ ଟାଇଟଲ୍ ଜିତିଛନ୍ତି। ବେଲାରୁସର ଏହି ୨୪ ବର୍ଷୀୟ ଷ୍ଟାର ଟେନିସ୍ ଖେଳାଳି ଚଳିତ ବର୍ଷ ୧୧ତମ ଥର ସିଧାସଳଖ ଗେମ୍ରେ ବିଜୟୀ ହୋଇଛନ୍ତି। ବିଜୟ ସହ ଆରିନା ସବଲେଙ୍କା ମାନ୍ୟତାର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି।
ଦୁଇ ଖେଳାଳିଙ୍କ ମଧ୍ୟରେ ଆରମ୍ଭରୁ କଡା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ ସେଟ୍ରେ ରିବାନିକ ୪-୬ରେ ଜିତି ନେଇଥିବା ବେଳେ ଦ୍ଵିତୀୟ ସେଟ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ସବଲେଙ୍କା। ସେ ଅକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ସୁଯୋଗ ଦେଇନଥିଲେ। ସେ ଦ୍ଵିତୀୟ ସେଟ୍କୁ ୬-୩ରେ ଜିତି ନେଇଥିଲେ। ଏହା ପରେ ତୃତୀୟ ସେଟ୍ରେ ନିଜର ଚମତ୍କାର ପ୍ରଦର୍ଶନ ବଜାୟ ରଖି ୬-୪ରେ ଜିତି ନେଇଥିଲେ। ଏଥିସହ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି ଆରିନା ସବଲେଙ୍କା। ଦୁଇ ଖେଳାଳିଙ୍କ ମଧ୍ୟରେ ୨ ଘଣ୍ଟା ଧରି ମୁକାବିଲା ଜାରି ରହିଥିଲା।
ବିଜୟ ପରେ ସବଲେଙ୍କା କହିଛନ୍ତି ଯେ, ଫାଇନାଲ୍ ମ୍ୟାଚ୍ରେ ମୁଁ ନର୍ଭସ ଅନୁଭବ କରିଥିଲି। ତଥାପି ଟାଇଟଲ୍ ଜିତିବାର ଆଶା ହରାଇନଥିଲି। ଆଶା କରୁଛି ମୁଁ ଆହୁରି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତି ପାରିବି। ଏହି ବିଜୟ ପାଇଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଉଛି। ଏଠାକାର ପରିବେଶ ଏବଂ ମିଳିଥିବା ସମର୍ଥନ ବେଶ ଚମତ୍କାର ରହିଛି। ଟୁର୍ଣ୍ଣାମେଣ୍ଟକୁ ବେଶ ଉପଭୋଗ କରିଛି। ମୋ ଦଳକୁ ଧନ୍ୟବାଦ ବୋଲି ଫାଇନାଲ୍ ମ୍ୟାଚ୍ ଜିତିବା ପରେ ସବଲେଙ୍କା କହିଛନ୍ତି।