ମୁଁ ବାପ ହେଇ ଭିକ ମାଗୁଛି, ଆର୍ଯ୍ୟନକୁ ଜେଲ୍ରେ ରହିବାକୁ ଦିଅନି, କ୍ୟାରିୟର ନଷ୍ଟ ହୋଇଯିବ: ୱାଙ୍ଖଡ଼େଙ୍କୁ ଅନୁରୋଧ କରିଥିଲେ ଶାହରୁଖ
19/05/2023 at 6:02 PM

ମୁମ୍ବାଇ: କ୍ଷମତା ଓ ଅର୍ଥରେ ମଣିଷ ଯେତେବେଡ଼ ହେଉ ନା କାହିଁକି ସନ୍ତାନ ମୋହ ଆଗରେ କେମିତି ବିବଶ ହୋଇଯାଏ ତାହା ଶାହରୁଖ ଖାନ୍ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କର୍ଡେଲିଆ କ୍ରୁସ୍ ଶିପ୍ ଡ୍ରଗ୍ସ କେସ୍ରେ ଫସିଥିବା ପୁଅ ଆର୍ଯ୍ୟନଙ୍କୁ ରକ୍ଷା କରିବାକୁ ବଲିଉଡ କିଙ୍ଗ୍ ଶାହରୁଖ ଖାନ୍ କିପରି ଅନୁନୟବିନୟ ହୋଇଥିଲେ ତାହା ଏବେ ସାମ୍ନାକୁ ଆସିଛି।
ସମୀର ୱାଙ୍ଖଡ଼େଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ ଶାହରୁଖ। ମେସେଜ୍ କରି ୱାଙ୍ଖଡ଼େଙ୍କୁ ଅନୁନୟବିନୟ ହୋଇଥିଲେ କିଙ୍ଗ୍ ଖାନ୍। ସିବିଆଇ ଏଫ୍ଆଇର ଖାରଜ କରିବା ନେଇ ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମୀର। ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ସମୀର କୋର୍ଟରେ ଶାହରୁଖ ଖାନ୍ଙ୍କ ସହ ହୋଇଥିବା ମେସେଜ୍ ବାର୍ତ୍ତାଳାପର ସ୍କ୍ରିନଶଟ୍ ଦେଇଛନ୍ତି। ଶାହରୁଖ ପୁଅକୁ ରକ୍ଷା କରିବାକୁ ତାଙ୍କୁ ଏଭଳି ଅନୁରୋଧ କରିଥିଲେ ବୋଲି ୱାଙ୍ଖଡ଼େ କୋର୍ଟଙ୍କୁ କହିଛନ୍ତି।

ୱାଙ୍ଖଡ଼େ ଦେଇଥିବା ସ୍କ୍ରିନଶଟ୍ରେ ଶାହରୁଖ ଖାନ୍ ତାଙ୍କୁ ଅନୁରୋଧ କରି କହୁଛନ୍ତି ଯେ ଆର୍ଯ୍ୟନକୁ ଜେଲ୍ରେ ରହିବାକୁ ଦିଅନି। ଏଥିରେ ତାର ଭବିଷ୍ୟତ ନଷ୍ଟ ହୋଇଯିବ। ୱାଙ୍ଖଡ଼େ ଶେୟାର କରିଥିବା ଚାଟ୍ ସ୍କ୍ରିନ୍ଶଟ୍ରେ ଶାହରୁଖ ଆହୁରି କହିଛନ୍ତି ଯେ ଦୁର୍ଦ୍ଦାନ୍ତ ଅପରାଧିଙ୍କ ଭଳି ଜେଲ୍ରେ ରହିବା ଭଳି ଆର୍ଯ୍ୟନ କିଛି ଭୁଲ୍ କରି ନାହିଁ। ଶାହରୁଖ କରିଥିବା ଚାଟ୍ର ସ୍କ୍ରିନଶଟ୍ କୋର୍ଟରେ ଦେଇଛନ୍ତି ୱାଙ୍ଖଡ଼େ।

ଏଥିରେ ଶାହରୁଖ ହ୍ୱାଟ୍ସଆପ୍ ଚାଟ୍ କରି କହିଛନ୍ତି “ ଭଗବାନଙ୍କ ଦୟାରୁ ନିଜ ଅଫିସରମାନଙ୍କୁ ଟିକେ ନରମ ମନୋଭାବ ପୋଷଣ କରିବାକୁ କୁହନ୍ତୁ। ମୁଁ ରାଣ ଖାଉଛି ଯେ ଆପଣ ଯେଉଁ ଭଲ କାମ କରିବାକୁ ଯାଉଛନ୍ତି ମୁଁ ସବୁ ସମୟରେ ଆପଣଙ୍କ ସହ ରହିବି। ଆପଣଙ୍କୁ ସହଯୋଗ କରିବି। ଇଏ ମୋର ପ୍ରତିଶ୍ରୁତି। ଆପଣ ବି ଜାଣନ୍ତି ଯେ ମୁଁ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଭଲ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ମୋ ଉପରେ ଓ ମୋ ପରିବାରକୁ ଦୟା କରନ୍ତୁ। ଆମେ ଅତି ସରଳ ଲୋକ। ମୋ ପୁଅ ଟିକେ ଖରାପ ରାସ୍ତାକୁ ଚାଲିଯାଇଛି। କିନ୍ତୁ ଦୁର୍ଦ୍ଦାନ୍ତ ଅପରାଧି ଭଲି ଜେଲ୍ରେ ରହିବା ଭଳି କାମ ସେ କରିନି। ଆପଣ ବି ତାହା ଜାଣନ୍ତି। ଦୟାକରି ଗୋଟେ ବଡ଼ ହୃଦୟରେ ଭାବନ୍ତୁ। ମୁଁ ଆପଣଙ୍କୁ ଏତିକି ଅନୁରୋଧ କରୁଛି।”
“ମୁଁ ତୁମକୁ ଅନୁରୋଧ କରୁଛି। ତାକୁ ଜେଲ୍ରେ ରହିବାକୁ ଛାଡ଼ିଦିଅନି। ଜଣେ ମଣିଷ ହିସାବରେ ସେ ଭାଙ୍ଗି ପଡ଼ିବ। କିଛି ମନ୍ଦ ଲୋକଙ୍କ ପାଇଁ ତାଙ୍କ ଉତ୍ସାହ ନଷ୍ଟ ହୋଇଯିବ। ଆପଣ ପ୍ରତିଶ୍ରୁତି ଦେଇଥିଲେ ଯେ ଆପଣ ମୋ ପିଲାକୁ ସୁଧାରିବେ। ତାକୁ ଏମିତି ଜାଗାରେ ରଖିବେନି ଯେଉଁଠି ସେ ପୂରା ଭାଙ୍ଗିପଡ଼ିବ ଓ ହତାସ ହୋଇ ଫେରିବ।”
ଶାହରୁଖ ଆହୁରି କହିଛନ୍ତି “ ଜେଣେ ଅଫିସର ହିସାବରେ ସଚ୍ଚୋଟତା ନ ହରାଇ ଯେ କୌଣସି ବାଟରେ ହୋଇପାରିବ ଆପଣ ସହଯୋଗ କରନ୍ତୁ। ମୁଁ ସବୁବେଳେ ଋଣୀ ହେଇ ରହିବି। ମୁଁ ମାମଲା ବିଷୟରେ ଜାଣିନି। ତେବେ ଯଦି ଦାୟିତ୍ୱରେ ଥିବା ଅଫିସରଙ୍କୁ ଲାଗିଲା ଯେ ସବୁ ଠିକ୍ ଅଛି। ଆପଣ ସନ୍ତୋଷ ଅଛନ୍ତି ତେବେ ଆପଣଙ୍କର କଣ ସର୍ତ୍ତ ଅଛି ତାହା ମୋତେ ଜଣାନ୍ତୁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଆପଣ ତାଠାରୁ ଯେଉଁ ସହଯୋଗ ଚାହୁଁଛନ୍ତି ସେ ସବୁ କରିବ। ମୋ ଅନୁରୋଧକୁ ଟିକେ ଦୟାପୂର୍ବକ ବିଚାର କରନ୍ତୁ। ଏହା ମୋ ପରିବାର ପ୍ରତି ବଡ଼ ଅନୁକମ୍ପା ହେବ। କାରଣ ସେ ଘରକୁ ଫେରୁ ଆମେ ଚାହୁଁଛୁ କିନ୍ତୁ ତା ପଛରେ କୁଖ୍ୟାତ ଅପରାଧିର ଟ୍ୟାଗ ଲାଗୁ ଓ ସେ ଜେଲ୍ରେ ରହୁ ଆମେ ଚାହୁଁନୁ। ଏହା ତା ଭବିଷ୍ୟତରେ ତାକୁ ସହଯୋଗ କରିବ। ଏଥିପାଇଁ ଜଣେ ବାପା ହିସାବରେ ମୁଁ ଅନୁରୋଧ କରୁଛି। ମୁଁ ଆଶା କରେ ଯେ ଆପଣ ଏଥିପାଇଁ ବିଚାର ନିଶ୍ଚୟ କରିବେ।”

ଜଣେ ବାପା ହିସାବରେ ମୋତେ ଭାଙ୍ଗିଯିବାକୁ ଦିଅନି
ଶାହରୁଖ ଖାନ୍ କହିଛନ୍ତି “ ଦୟାକରି ଅଫିସରମାନଙ୍କୁ ନରମରେ ବ୍ୟବହାର କରିବାକୁ କୁହନ୍ତୁ। ମୋତେ ମୋ ପୁଅକୁ ଘରକୁ ନେଇଯିବାକୁ ଦିଅନ୍ତୁ। ୟା ଠୁ ମୁଁ ଅଧିକ ଆପଣଙ୍କୁ କିଛି କହିପାରିବି ନାହି କି କରିପାରିବି ନାହିଁ। କେବଳ ଆପଣଙ୍କୁ ଭିକ ମାଗିପାରିବି। ଏସବୁ ଭିତରେ ଆପଣ ମୋ ବ୍ୟବହାର ଦେଖିଥିବେ। ଆପଣ ଜାଣିଥିବେ ଆପଣ ଯାହା କରୁଛନ୍ତି ତା ବିରୋଧରେ ମୁଁ ଯାଇନି। କାରଣ ଆପଣ ଯେତେବେଳେ କହିଲେ ଯେ ଆର୍ଯ୍ୟନକୁ ଆପଣ ନିଜ ପୁଅ ଭଳି ଭାବନ୍ତି। ତା ଜୀବନ ସୁଧାରିବାକୁ ଚାହାନ୍ତି। ସେତେବେଳେ ମୁଁ ଆପଣଙ୍କ କଥାରେ ବିଶ୍ୱାସ କଲି। ମୁଁ ମୋ ପୁଅକୁ ନିର୍ଦ୍ଦୋଷ ବୋଲି କିଛି କରି ନାହିଁ। ପ୍ରେସ୍ରେ କହିନି କି କିଛି ପ୍ରତିକ୍ରିୟା ଦେଇନି। ମୁଁ ଆପଣଙ୍କ ମଣିଷପଣିଆ ଉପରେ ବିଶ୍ୱାସ କରିଛି କେବଳ। ଦୟାକରି ମୋତେ ଗୋଟେ ବାପା ହିସାବରେ ଭାଙ୍ଗିଯିବାକୁ ଦିଅନି।”
ସେ କହିଛନ୍ତି “ଜଣେ ଭଲ ମଣିଷ ହିସାବରେ ଆପଣ ସେମିତି କାହିଁକି କରୁଛନ୍ତି ଯାହା କିଛି ମନ୍ଦ ଲୋକ କରିବାକୁ ଚାହୁଁଛନ୍ତି। ମୁଁ ସେମାନଙ୍କ ପାଖକୁ ଯିବି ଆଉ ତାଙ୍କୁ ଭିକ ମାଗି କହିବି ଯେ ସେମାନେ ଯେମିତି ଆପଣଙ୍କ ସାମ୍ନାରେ କିଛି ନ କୁହନ୍ତୁ। ମୁଁ ମୋ ସମସ୍ତ ଶକ୍ତି ଲଗାଇ ଦେଇ ସେମାନଙ୍କୁ ମୋ ଅନୁରୋଧ ଶୁଣିବାକୁ ବାଧ୍ୟ କରିବି। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି। ଯେ ସେମାନଙ୍କୁ ଏଭଳି କହିବାରେ ରୋକିବାକୁ ମୁଁ ଭିକ ମାଗିବାକୁ ବି ପଛାଇବି ନାହିଁ। କିନ୍ତୁ ଦୟାକରି ମୋ ପୁଅକୁ ଘରକୁ ପଠାଇ ଦିଅ। ଆପଣ ବି ଜାଣୁଛନ୍ତି ଯେ ଆପଣ ତା ପ୍ରତି ଟିକେ ଅଧିକ କଠୋର ହୋଇଯାଇଛନ୍ତି। ମୁଁ ଗୋଟେ ବାପା ହିସାବରେ ଆପଣଙ୍କୁ ଅନୁରୋଧ କରୁଛି।”