କେଜ୍ରିଓ୍ୱାଲଙ୍କୁ ମିଳିଲାନି ଆଶ୍ୱସ୍ତି: ଜୁଲାଇ ୩ ଯାଏଁ ରହିବେ ନ୍ୟାୟିକ ହେପାଜତରେ

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ: ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ। ଏହା ସହିତ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ହେପାଜତ ଅବଧି ଶେଷ ହେବା ପରେ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ବିନୋଦ ଚୌହାନଙ୍କୁ ବିଆରଏସ ନେତା କବିତାଙ୍କ PA ମାଧ୍ୟମରେ ୨୫ କୋଟି ଟଙ୍କା ମିଳିଛି। ସେ ଅଭିଷେକ ବୋଇନପାଲୀଙ୍କ ଜରିଆରେ ଗୋଆ ନିର୍ବାଚନ ପାଇଁ ଟଙ୍କା ପାଇଥିଲେ। ଏଥିସହ ଚଳିତ ମାସ ଶେଷରେ ବିନୋଦଙ୍କ ବିରୋଧରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି। ମେ ମାସରେ ତାଙ୍କୁ ଗିରଫ କରାଯାଇଥିଲା।

ମାର୍ଚ୍ଚ 21ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ମାମଲାରେ ଗିରଫ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ତାଙ୍କୁ ମେ ମାସରେ 21 ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କେଜ୍ରିୱାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହିଁଥିଲେ ମଧ୍ୟ ସେ ଜାମିନ ପାଇପାରିନଥିଲେ। ମଧ୍ୟବର୍ତ୍ତୀ ଜାମିନ ଅବଧି ଶେଷ ହେବା ପରେ ସେ ଜୁନ୍ ୨ରେ ତିହାରରେ ଆତ୍ମସମର୍ପଣ କରିଥିଲେ।

ଲାଇଭ ଲ’ ଅନୁଯାୟୀ ବରିଷ୍ଠ ଓକିଲ ବିବେକ ଜୈନ କେଜ୍ରିୱାଲଙ୍କ ପକ୍ଷରୁ ହାଜର ହୋଇଥିଲେ। ସେ କିଛି କହିବାକୁ ଚାହୁଁଛନ୍ତି କି ବୋଲି କୋର୍ଟ ସିଏମ କେଜ୍ରିୱାଲଙ୍କୁ ପଚାରିଥିଲେ। ଏହା ଉପରେ ସିଏମ କେଜ୍ରିୱାଲ କହିଛନ୍ତି ମୁଁ କିଛି କହିବାକୁ ଚାହେଁ ନାହିଁ। ମୋର ଓକିଲମାନେ ଉପସ୍ଥିତ ଅଛନ୍ତି। ଏହା ପରେ ତାଙ୍କ ଓକିଲ ବିବେକ ଜୈନ କହିଛନ୍ତି ଯେ ନ୍ୟାୟିକ ହେପାଜତକୁ ଯଥାର୍ଥତା ଦେବା ପାଇଁ କିଛି ନାହିଁ। ଆମେ ନ୍ୟାୟିକ ହେପାଜତକୁ ବିରୋଧ କରୁଛୁ। ଗିରଫ ପୂର୍ବରୁ ଚ୍ୟାଲେଞ୍ଜ ହୋଇସାରିଛି। ଏହା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.