କୋର୍ଟ ଯିବା ପୂର୍ବରୁ ଭଗଓ୍ବନ୍ତ ମାନଙ୍କୁ ଭେଟିବେ ଅରବିନ୍ଦ କେଜରିଓ୍ବାଲ, ତିହାର ଜେଲ୍ ପ୍ରଶାସନର ମିଳିଲା ଅନୁମତି

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅବକାରୀ ଘୋଟାଲାରେ ୧୫ ଦିନିଆ ନ୍ୟାୟିକ ହେପାଜତରେ ତିହାର ଜେଲ୍‌ରେ ଅଛନ୍ତି। ଆସନ୍ତା ଏପ୍ରିଲ ୧୫ରେ ତାଙ୍କର ଏହି ନ୍ୟାୟିକ ହେପାଜତ ଅବଧି ଶେଷ ହେବାକୁ ଯାଉଛି। ତେଣୁ ସେହିଦିନ ହିଁ ତାଙ୍କୁ କୋର୍ଟରେ ହାଜର କରାଯିବ। ହେଲେ ଏହାରି ମଧ୍ୟରେ ଖବର ଆସିଛି ଯେ, କୋର୍ଟରେ ହାଜର ହେବା ପୂର୍ବରୁ କେଜରିଓ୍ବାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ସହ ସାକ୍ଷାତାକାର କରିବେ।

ଭଗଓ୍ବନ୍ତ ମାନଙ୍କୁ କେଜରିଓ୍ବାଲଙ୍କ ସହ ସାକ୍ଷାତକାର କରିବା ପାଇଁ ଅନୁମତି ମଧ୍ୟ ମିଳିସାରିଛି। ଏହି ସାକ୍ଷାତକାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ନେଇ ଜେଲ୍‌ ଏବଂ ଦିଲ୍ଲୀ ଏବଂ ପଞ୍ଜାବ ପୋଲିସ ଅଧିକାରୀଙ୍କ ମଧ୍ୟରେ ଶୁକ୍ରବାର ଆଲୋଚନା ହୋଇଛି।

ମାନ ତିହାର ଜେଲ୍‌ ନମ୍ବର ଦୁଇରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର କରିବା ପାଇଁ ତିହାର ପ୍ରଶାସନକୁ ସମୟ ମାଗିଥିଲେ। ଆଉ ଏହା ଅନୁଯାୟୀ, ତାଙ୍କୁ ଏପ୍ରିଲ ୧୫ରେ ସାକ୍ଷାତକାର ଅନୁମତି ମିଳିଛି। ଏହା ପୂର୍ବରୁ ଭଗଓ୍ବନ୍ତ ମାନ କେଜରିଓ୍ବାଲଙ୍କୁ ଏପ୍ରିଲ ୧୦ରେ ଦେଖାକରିଥାନ୍ତେ। ମାତ୍ର ଜେଲ୍‌ ଅଧିକାରୀଙ୍କ ତରଫରୁ ଅନୁମତି ନମିଳିବାରୁ ସାକ୍ଷାତକାର ହୋଇପାରିନଥିଲା। 

ଜେଲ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଭଗଓ୍ବନ୍ତ ମାନ ଅରବିନ୍ଦ କେଜରିଓ୍ବାଲଙ୍କୁ ଦ୍ବିପ୍ରହରରେ କଡ଼ା ସୁରକ୍ଷା ମଧ୍ୟରେ ‘ମୁଲାକାନ୍ତ ଜଙ୍ଗଲା’ ଭିତରେ ସାକ୍ଷାତକାର କରିବେ । କାରଣ ମାନଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି। ‘ମୁଲାକାତ ଜଙ୍ଗଲା’ ହେଉଛି ଲୁହାର ଜାଲି । ଯେଉଁଥିରେ ଆଗନ୍ତୁକ ଏବଂ କଏଦୀ ଆମ୍‌ନା-ସାମ୍ନି ବସି ପରସ୍ପର ସହ କଥା ହୋଇଥାନ୍ତି। 

ସୂଚନାଥାଉକି, ଅରବିନ୍ଦ କେଜରିଓ୍ବାଲ ନ୍ୟାୟିକ ହେପାଜତରେ ଯିବା ପରେ ନିୟମ ଅନୁଯାୟୀ, ସେହି ୬ ଜଣକ ତାଲିକା ଦେଇଥିଲେ ଯାହାଙ୍କୁ ସେ ସାକ୍ଷାତକାର କରିପାରିବେ। ଏଥିରେ ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ଭଗଓ୍ବନ୍ତ ମାନଙ୍କ ନାଁ ମଧ୍ୟ ଥଲା। କେଜରିଓ୍ବାଲଙ୍କ ଗିରଫ ପରଠାରୁ ତାଙ୍କ ପତ୍ନୀ ସୁନୀତା ଏବଂ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହ ତିନି ଥର ଜେଲ୍‌ରେ ସାକ୍ଷାତକାର କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.