ନୂଆଦିଲ୍ଲୀ: ୫୦ ଦିନ ପରେ ତିହାର ଜେଲରୁ ବାହାରିଲେ ଅରବିନ୍ଦ କେଜ୍ରିଓ୍ବାଲ । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ପରେ ବାହାରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସର୍ବୋଚ୍ଚ ଅଦାଲତ ତାଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଶନିବାର ଅରବିନ୍ଦ କେଜ୍ରିଓ୍ବାଲ ଆମ୍ ଆଦମୀ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହିତ ଆପ୍ ବରିଷ୍ଠ ନେତାଙ୍କ ସହିତ ସାକ୍ଷାତ କରି ଆଲୋଚନା କରିବେ । ଦିନ ୧୧ଟା ବେଳେ ସିଏମ୍ କେଜ୍ରିଓ୍ବାଲ କନଟ୍ ପ୍ଲେସ୍ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦିନ ଗୋଟାଏ ବେଳେ ଆପ୍ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଏବଂ ସଂଧ୍ୟାରେ ରୋଡ୍ ଶୋ’ କରିବେ ।
ଶୁକ୍ରବାର ତିହାର ଜେଲରେ ବାହାରିବା ପରେ ଭଗବାନ ହମୁମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ, ଦେଶରୁ ତାନାଶାହ ସମାପ୍ତ କରିବାକୁ ଲଢ଼େଇରେ ଲୋକଙ୍କ ସମର୍ଥନ ମାଗିଛନ୍ତି । କେଜ୍ରିଓ୍ବାଲ ଜେଲରୁ ବାହାରିବା ପରେ ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ୍’ ଏବଂ ‘ଇନକଲାବ ଜିନ୍ଦାବାଦ’ ନାରା ଦେଇଥିଲେ । କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଥିଲେ, ମୁଁ ମୋର ପୂରା ଶକ୍ତି ସହିତ ତାନାଶାହ ବିରୋଧରେ ଲଢ଼େଇ କରୁଛି କିନ୍ତୁ ଏହି ସଂଗ୍ରାମରେ 140 କୋଟି ଦେଶବାସୀଙ୍କ ସମର୍ଥନ ଦରକାର । ଆମେ ସମସ୍ତେ ମିଶି ଏହି ବିରୋଧରେ ଲଢ଼େଇ କରିବା ବୋଲି କେଜ୍ରିଓ୍ବାଲ କହିଥିଲେ । ଆଜି ପୂଜା ସମୟରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ବେଳେ ବହୁ ସଂଧ୍ୟାରେ ଲୋକ ସାମିଲ୍ ହେବାକୁ ଅପିଲ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ସୌରଭ ଭରଦ୍ବାଜ ଏକ୍ସରେ ପୋଷ୍ଟ କରି କହିଛନ୍ତି, କେଜ୍ରିଓ୍ବାଲଜୀ ଜେଲରୁ ବାହାରିବା କୌଣସି ଚମତ୍କାରରୁ କମ୍ ନୁହେଁ । ଆଗକୁ କିଛି ବଡ଼ କାର୍ଯ୍ୟ ହେବାକୁ ଯାଉଛି । ୨୦୨୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଆଜି ରୋଡ୍ ଶୋ’ କରିବାକୁ ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଦିଲ୍ଲୀରୁ ଲୋକସଭା ପ୍ରାର୍ଥୀ ସହିରାମ ପହଲବାନଙ୍କ ପାଇଁ କେଜ୍ରିଓ୍ବାଲ ମହେରୋଲୀରେ ରୋଡ୍ ଶୋ’ କରିବେ । ଯେଉଁଥିରେ ଆପ୍ର ବହୁ ବରିଷ୍ଠ ନେତା ଏବଂ ପଞ୍ଜାବ ସିଏମ୍ ଭଗବତ ସିଂହ ମାନ୍ ମଧ୍ୟ ସାମିଲ୍ ହେବାର ସମ୍ଭାବନା ରହିଛି ।