ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ କି ସୋନୁ ସୁଦ୍: କାଲି ଅଭିନେତାଙ୍କୁ ଭେଟିବେ କେଜ୍ରିୱାଲ

Published By : Prameya-News7 Bureau | August 26, 2021 IST

ନୂଆଦିଲ୍ଲୀ ୨୬/୦୮ : ଆମ ଆଦମୀ ପାର୍ଟି ଆଗାମୀ ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତ ହେଉଛି। ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ନିର୍ବାଚନ ଉପରେ ଅଧିକ ଫୋକସ କରୁଛନ୍ତି. ପଞ୍ଜାବ ସରକାରରେ ବିରୋଧୀ ଦଳରେ ବସିଥିବା ଆପ ବର୍ତ୍ତମାନ ଅନେକ ବରିଷ୍ଠ ଓ ନାମୀ ମୁହଁକୁ ଆପ ସହ ଯୋଡିବା ଆରମ୍ଭ କରିଦେଇଛି।

ଗୁରୁବାର ଦିନ କେଜ୍ରିୱାଲ ପୂର୍ବତନ ମନ୍ତ୍ରୀ ସେବା ସିଂହଙ୍କୁ ସାକ୍ଷାତ କରି ତାଙ୍କୁ ଆପରେ ସାମିଲ କରିଛନ୍ତି। ଦେଶର ରିୟା ହିରୋ ଭାବେ ପରିଚିତ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ କେଜ୍ରିୱାଲ ସାକ୍ଷାତ କରିବେ। ଦଳର ସୂତ୍ର ଅନୁଯାୟୀ, ଶୁକ୍ରବାର ସକାଳେ କେଜ୍ରିୱାଲ ସୋନୁ ସୁଦଙ୍କୁ ସାକ୍ଷାତ କରିବେ। ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ନିଃସ୍ୱାର୍ଥପର ସେବା ଭାବ ପାଇଁ ଭଗବାନ ଭଳି ସାମ୍ନାକୁ ଆସିଥିଲେ। କେଜ୍ରିୱାଲ ଓ ସୋନୁ ସୁଦଙ୍କ ସାକ୍ଷାତକୁ ରାଜନୀତି ସହ ଯୋଡାଯାଉଛି। ସୋସିଆଲ ମିଡ଼ିଆରେ ଏନେଇ ଅନେକ ଚର୍ଚ୍ଚା ହେଉଛି।

ତେବେ ବର୍ତ୍ତମାନ କେଜ୍ରିୱାଲ ସୋନୁ ସୁଦଙ୍କୁ ସାକ୍ଷାତ କରିବା ଖବର ଆସିଛି। ତାଙ୍କୁ ଆପରେ ସାମିଲ କରି ପଞ୍ଜାବ ନିର୍ବାଚନରେ ଉତାରି ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯଦି ସୋନୁ ସୁଦ ଆପରେ ସାମିଲ ହୁଅନ୍ତି ତେବେ ପଞ୍ଜାବ ରାଜନୀତିର ଛବି ବଦଳି ଯାଇପାରେ। ସୋନୁ ସୁଦଙ୍କୁ ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ଆହୁରି ମଧ୍ୟ କୁହାଯାଉଛି ଯେ, ପଞ୍ଜାବ ନିର୍ବାଚନ ପାଇଁ ଆପ ଆନ୍ଦୋଳନକାରୀ କୃଷକ ନେତାଙ୍କ ମଧ୍ୟରୁ ଶିଖ ମୁଖ୍ୟମନ୍ତ୍ରୀ ମୁହଁ ଖୋଜୁଛି। କୃଷକ ନେତା ବଲବୀର ରାଜେଵାଲଙ୍କ ସହ ଆପର ଅନେକ ପର୍ଯ୍ୟାୟ କଥାବତ୍ତା ହୋଇସାରିଛି।

ତେବେ ସୋନୁ ସୁଦ ଓ ଅରବିନ୍ଦ କେଜ୍ରିୱାଲଙ୍କ ସାକ୍ଷାତକୁ ନେଇ କେବଳ ଅନୁମାନ ହିଁ କରାଯାଉଛି। ଏବେ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ସୋନୁ ସୁଦ୍ ରାଜନୀତିରେ ଏଣ୍ଟ୍ରି କରିବେ ନା ନାହିଁ ତାହା ଆସନ୍ତାକାଲି ଉଭୟଙ୍କ ସାକ୍ଷାତ ପରେ ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.