ରାହୁଲ ଗାନ୍ଧିଙ୍କ ସମର୍ଥନରେ ଆସିଲେ ଅରବିନ୍ଦ କେଜରୀୱାଲ, ଜାଣନ୍ତୁ କହିଲେ କ’ଣ?
23/03/2023 at 3:08 PM

ନୂଆଦିଲ୍ଲୀ ୨୩।୩: ଗୁଜରାଟର ସୁରଟ ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ୨୦୧୯ ମସିହାରେ ଦେଇଥିବା ‘ମୋଦି ସରନେମ’ ବୟାନ ମାମଲାରେ ଦୋଷୀସାବ୍ୟସ୍ତ କରିଛନ୍ତି। ଏଥି ପାଇଁ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ତେବେ କଂଗ୍ରେସ ସାଂସଦଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି। ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଅନ୍ୟ ରାଜନୈତିକ ଦଳମାନେ କଂଗ୍ରେସ ସହ ସେମାନଙ୍କର ଶ୍ୱର ମିଳାଇଛନ୍ତି।
ମାମଲାରେ ଆମ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଦେଶରୁ ଅଣ ବିଜେପି ନେତା ଓ ପାର୍ଟିମାନଙ୍କୁ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି । ସେ କହିଛନ୍ତି ଯେ କଂଗ୍ରେସ ସହ ଆମର ମତପାର୍ଥକ୍ୟ ରହିଛି ସତ, ହେଲେ ରାହୁଲ ଗାନ୍ଧିଙ୍କୁ ଏପରି ମାନହାନୀ ମୋକଦ୍ଦମାରେ ଫଶାଇବା ଠିକେ ହୋଇ ନାହିଁ। ଆମେ ବି କୋର୍ଟଙ୍କ ସମ୍ମୁଖୀନ ହୋଇଛୁ ତେବେ କୋର୍ଟଙ୍କ ନିଷ୍ପତ୍ତିରେ ଆମେ ସହମତ ନୁହଁ ବୋଲି କେଜରିୱାଲ କହିଛନ୍ତି।

ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି ଯେ ସେମାନେ ଯେଉଁ ଭଳି ରାହୁଲ ଗାନ୍ଧିଙ୍କୁ ବାରମ୍ବାର ଡକାଉଥିଲେ ଏଥିରୁ ମୋର ସନ୍ଦେହ ହେଉଥିଲା। ତେବେ ବିଜେପିକୁ ଧ୍ୟାନ ରଖିବା ଦରକାର ସେ ଯେତେବେଳେ କାହା ଆଡକୁ ଗୋଟିଏ ଅଙ୍ଗୁଳି ଉଠାଉଛି ସେତେବେଳେ ଆଉ ୪ଟି ଅଙ୍ଗୁଳି ତା ଆଡକୁ ଉଠୁଛି ବୋଲି ଖଡଗେ କହିଛନ୍ତି। ସେହିପରି ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଘଟଣାରେ ସରକାର ରାହୁଲ ଗାନ୍ଧିଙ୍କୁ ଡରନ୍ତି ବୋଲି କହିଛନ୍ତି।
ଚୌଧୁରୀ କହିଛନ୍ତି ଯେ ନିଜେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ତାଙ୍କୁ ଡରୁଛନ୍ତି, ସଦନ ଭିତରେ ହେଉ କି ବାହାରେ ରାହୁଲଙ୍କୁ ଦବାଇବା ପାଇଁ ହର ସମ୍ଭବ ପ୍ରୟାସ କରୁଥିବା ସେ କହିଛନ୍ତି। ଏଥି ଲାଗି ଏକ ମିଥ୍ୟା ମୋକଦ୍ଦମା ରୁଜୁ କରି ରାହୁଲ ଗାନ୍ଧିଙ୍କୁ ଫଶେଇବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ରାହୁଲଙ୍କ ସଂସଦ ସଦସ୍ୟତା ଖାରଜ କରିବା ପାଇଁ ଅନେକ ମାସ ଧରି ଏହି ଷଡ଼ଯନ୍ତ୍ର ଚାଲିଥିଲା ବୋଲି ସେ କହିଛନ୍ତି। ବିଜେପି ରାହୁଲଙ୍କ ରାଜନୈତିକ ଛବିକୁ ମଇଳା କରିବାକୁ ଉଦ୍ୟମ କରୁଥିବା ଅଧିର ରଞ୍ଜନ କହିଛନ୍ତି।

ସେହିପରି କଂଗ୍ରେସ ନେତା ଦିଗବିଜୟ ସିଂହ ସୁରଟ କୋର୍ଟଙ୍କ ନିଷ୍ପତ୍ତି ନେଇ କହିଛନ୍ତି ଯେ ଏହା ଏକ ଚିନ୍ତାର ବିଷୟ। ଆଜି ଯଦି କେହି ମୋଦି ସରନେମ ନେଇ କିଛି କହିଦିଏ ତେବେ ମାନହାନୀ ମୋକଦ୍ଦମା ହୋଇ ଯାଉଛି। ରାହୁଲଙ୍କ ବିରୋଧରେ ଏହି ମାମଲା ତାଙ୍କର ସେହି ଟିପ୍ପଣୀକୁ ନେଇ ରୁଜୁ ହୋଇଥିଲା ଯେଉଁଥିରେ ସେ ‘କାହିଁକି ସବୁ ଚୋରଙ୍କ ସମାନ ସରନେମ ମୋଦି ହିଁ ହୋଇଥାଏ’ ବୋଲି କହିଥିଲେ। ରାହୁଲଙ୍କ ଏହି ବିବାଦୀୟ ବୟାନ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୁରନେଶ ମୋଦି ପିଟିସନ ଦାଖଲ କରିଥିଲେ।